ଜିଲ୍ଲାସ୍ତରୀୟ 'ପଞ୍ଚ ସମ୍ମିଳନୀ'; ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିଙ୍କୁ ଭିବି-ଜି ରାମ ଜି ସମ୍ପର୍କରେ ସଚେତନତା
District level GVB RAM G meeting
Gvbramg meeting


ଝାରସୁଗୁଡ଼ା, ୬ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ସ୍ଥିତ ଏମସିଏଲ୍ ଅଡିଟୋରିୟମ୍ ଠାରେ ଜିଲ୍ଲା ପରିଷଦ, ଝାରସୁଗୁଡ଼ା ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ 'ପଞ୍ଚ ସମ୍ମିଳନୀ' ଅନୁଷ୍ଠିତ ହୋଇଯାଇଛି। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ନିର୍ବାଚିତ ଜନପ୍ରତିନିଧି ଓ କାର୍ଯ୍ୟକର୍ତ୍ତାମାନଙ୍କୁ 'ଭିବି-ଜି ରାମ ଜି- ୨୦୨୫' ଆଇନର ବିଭିନ୍ନ ପ୍ରାବଧାନ ସମ୍ପର୍କରେ ସଚେତନ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସମ୍ମିଳନୀରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ, ଜିଲ୍ଲା ପରିଷଦ ସଭାପତି ତୁଳାବତୀ ମିଞ୍ଜ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପ୍ରଶାସନ) ସୂର୍ଯ୍ୟଂଶୁ ରୁଟ୍, କୋଲାବିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭୋଜରାଜ ପଟେଲ, କିର୍ମିରା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସାବିତ୍ରୀ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଦିଗାମ୍ବର ଭୋଇ, ଜିଲ୍ଲା ପରିଷଦ ସଦସ୍ୟା ଝରଣା ସାଗର, କୋଲାବିରା ଜିଲ୍ଲା ପରିଷଦ ସଦସ୍ୟ ନୃପଲାଲ ପ୍ରସାଦ, ଏବଂ କିର୍ମିରା ଜିଲ୍ଲା ପରିଷଦ ସଦସ୍ୟା ରୀତା ବାଗଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତରାଜ ପ୍ରତିନିଧିମାନେ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପ୍ରଶାସନ) ସୂର୍ଯ୍ୟଂଶୁ ରୁଟ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ନିଜର ଅଭିଭାଷଣ ରଖି କହିଥିଲେ ଯେ, ଗ୍ରାମୀଣ ଭାରତର ସମୃଦ୍ଧି ଓ ସାମାଜିକ କଲ୍ୟାଣ ପାଇଁ 'ଭିବି-ଜି ରାମ ଜି' ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ଯୋଜନା ମାଧ୍ୟମରେ ଗ୍ରାମୀଣ ପରିବାରଗୁଡ଼ିକୁ ବାର୍ଷିକ ୧୨୫ ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବା ସହ ଗ୍ରାମାଞ୍ଚଳରେ ଜଳ ସୁରକ୍ଷା, ମୌଳିକ ଭିତ୍ତିଭୂମିର ବିକାଶ ଓ ଦୀର୍ଘସ୍ଥାୟୀ ସମ୍ପତ୍ତି ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ତୃଣମୂଳ ସ୍ତରରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଆମର ପଞ୍ଚାୟତ ପ୍ରତିନିଧିମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲା ପରିଷଦ ଏମ.ସି. ରୂପସିତା ମିଶ୍ର ସଂଯୋଜନା କରିଥିଲେ। ଲାଇକେରା ଏପିଓ ସୁନୟନା ବେହେରା, ଝାରସୁଗୁଡ଼ା ଏପିଓ ନିବେଦିତା ପଣ୍ଡା, ଏବଂ କିର୍ମିରା ଏପିଓ ରଶ୍ମିତା ଭୋଳ 'ଭିବି-ଜି ରାମ ଜି' ଆଇନ, ଏହାର ମୁଖ୍ୟ ବିଶେଷତ୍ୱ ସମ୍ପର୍କରେ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଥିଲେ। ଓଏଲ୍ଏମ୍ ର ଡିପିଏମ୍ ଡକ୍ଟର ପୁଷ୍ପଶ୍ରୀ ନାୟକ ସମ୍ପୂର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ। ଗ୍ରାମାଞ୍ଚଳରେ ଜଳ ସୁରକ୍ଷା, ମୌଳିକ ଭିତ୍ତିଭୂମିର ବିକାଶ, ଜୀବିକା ପ୍ରୋତ୍ସାହନ, ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଭଳି ଚାରୋଟି ମୁଖ୍ୟ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande