ଜିଲ୍ଲାସ୍ତରୀୟ ଯୌତୁକ ନିଷେଧ ଆଇନ, ୧୯୬୧ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
District level meeting on dwary
ଜିଲ୍ଲାସ୍ତରୀୟ ଯୌତୁକ ନିଷେଧ ଆଇନ, ୧୯୬୧ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ


ଝାରସୁଗୁଡା, ୦୬, ଅଗଷ୍ଟ (ହି.ସ.) - ଯୌତୁକ ନିଷେଧ ଆଇନ, ୧୯୬୧ର କାର୍ଯ୍ୟକାରୀତାକୁ ସୁଦୃଢ଼ କରିବା ସହ ଏହା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଡିଏମଏଫ୍ ସମ୍ମିଳନୀ କକ୍ଷ ଠାରେ ଏକ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଏବଂ ଉପଜିଲ୍ଲାପାଳ ତଥା ଜିଲ୍ଲା ଯୌତୁକ ନିଷେଧ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଅତିରିକ୍ତ ଉପଜିଲ୍ଲାପାଳ ତଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱରେ ଥିବା ଶ୍ରୀମତୀ ଭିକ୍ଟୋରିଆ ଏକ୍କା ସ୍ୱାଗତ ଭାଷଣ ପ୍ରଦାନ କରି କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡିଏସ୍ପି ମାନ୍ଦା ହାନ୍ସଦାହ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ୟାନେଲ୍ ଆଇନଜୀବୀ ବି. ନାଗେଶ୍ୱରୀ ଏବଂ ସେହାଡାର ନିର୍ଦ୍ଦେଶିକା ଆନନ୍ଦିନୀ ପାଢ଼ୀ ଉତ୍ସ ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ।

ପ୍ରଶିକ୍ଷଣରେ ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସମସ୍ତ ସିଡିପିଓ, ଆଇସିଡିଏସ୍ ସୁପରଭାଇଜର, ବିଭିନ୍ନ ଥାନାର ମହିଳା ଓ ଶିଶୁ ସହାୟତା ଡେସ୍କର ପୋଲିସ କର୍ମଚାରୀ, ପାରାଲିଗାଲ୍ ସ୍ୱେଚ୍ଛାସେବୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ, ଶକ୍ତି ସଦନ କର୍ମଚାରୀ, ବିଭିନ୍ନ ଧର୍ମଗୁରୁ ଓ କିଶୋରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ପ୍ରଶିକ୍ଷଣରେ ଯୌତୁକ ନିଷେଧ ଆଇନ, ୧୯୬୧ର ଆଇନଗତ ବ୍ୟବସ୍ଥା, ବିଭିନ୍ନ ବିଭାଗର ଭୂମିକା ଓ ଦାୟିତ୍ୱ, ପୀଡ଼ିତାଙ୍କ ପାଇଁ ସହାୟତା ବ୍ୟବସ୍ଥା, ଆନ୍ତଃବିଭାଗୀୟ ସମନ୍ୱୟ ଏବଂ ଯୌତୁକ ପ୍ରଥା ରୋକିବା ପାଇଁ ପ୍ରତିଷେଧକ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେସ୍ ଷ୍ଟଡି, ଗୋଷ୍ଠୀ ଆଲୋଚନା ଓ ପ୍ରଶ୍ନୋତର ମାଧ୍ୟମରେ ଅଂଶଗ୍ରହଣକାରୀମାନଙ୍କୁ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା।

ଅଂଶଗ୍ରହଣକାରୀମାନଙ୍କୁ ଗ୍ରାମ ଓ ସମୁଦାୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ, ଯୌତୁକ ସମ୍ବନ୍ଧୀୟ ଅପରାଧର ତୁରନ୍ତ ସୂଚନା ପ୍ରଦାନ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ପୀଡ଼ିତାଙ୍କୁ ଆଇନଗତ ଓ ସାମାଜିକ ସହାୟତା ଯୋଗାଇବା ପାଇଁ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର, ଝାରସୁଗୁଡାର ଜିଲ୍ଲା ସଂଯୋଜକ ଲିଲେଶ୍ୱର ସାହୁଙ୍କ ତତ୍ୱାବଧାନରେ ସମସ୍ତ ହବ୍ କର୍ମଚାରୀଙ୍କ ସହଯୋଗରେ ପରିଚାଳିତ ହୋଇଥିଲା। ଶେଷରେ ସୁରକ୍ଷା -କମ୍-ପ୍ରୋଗ୍ରାମ ଅଫିସର ଯାଗ୍ୟସେନୀ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande