ଡେଙ୍ଗୁ ଓ ମଶାବାହିତ ରୋଗର ନିୟନ୍ତ୍ରଣ ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ
District level task force committee
Task force committee


ଝାରସୁଗୁଡ଼ା, ୬ ଅଗଷ୍ଟ (ହି.ସ.)-

ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଭେକ୍ଟର ବୋର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ ପ୍ରୋଗ୍ରାମ ଅଧୀନରେ ୨୦୨୬-୨୭ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଆନ୍ତଃ-ବିଭାଗୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଡେଙ୍ଗୁ ଏବଂ ଅନ୍ୟାନ୍ୟ ମଶାବାହିତ ରୋଗର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାର ଗତ କେତେକ ବର୍ଷର ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ୧୪୫୬ ଜଣଙ୍କ ପରୀକ୍ଷାରୁ ୬୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୨୫ରେ ୧୦୬୧ ଜଣଙ୍କ ପରୀକ୍ଷାରୁ ୧୬ ଜଣ ପଜିଟିଭ୍ ବାହାରିଥିଲେ। ଚଳିତ ୨୦୨୬ ବର୍ଷରେ ଜୁଲାଇ ମାସ ସୁଦ୍ଧା ୩୨୭ ଜଣଙ୍କର ପରୀକ୍ଷା କରାଯାଇ ମାତ୍ର ୧ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ସଂକ୍ରମଣ ହ୍ରାସ ପାଇବାର ସୂଚନା ଦେଉଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ସପ୍ତାହର ୪ ଦିନ ସ୍ୱତନ୍ତ୍ର ଭାବେ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଶିଳ୍ପାଞ୍ଚଳ, ଏବଂ ଜନବସତିଗୁଡ଼ିକରେ ସଚେତନତା କାର୍ଯ୍ୟସୂଚୀ ଅନୁଷ୍ଠିତ ହେବ। ବିଶେଷ କରି ଡ୍ରାଏ ଡେ ଭାବେ ପାଳନ କରିବା ସହ ଟାୟାର, ସ୍କ୍ରାପ୍ ଓ ଜଳାଶୟଗୁଡ଼ିକରେ ମଶା ଉତ୍ପତ୍ତି ସ୍ଥଳ ଚିହ୍ନଟ କରି ନଷ୍ଟ କରିବାକୁ କୁହାଯାଇଛି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ପ୍ରସ୍ତୁତ ରହିଛି। ଏହାସହ ଚଳିତ ମୌସୁମୀ ସମୟରେ ପ୍ରତ୍ୟେକ ବେସରକାରୀ ହସ୍ପିଟାଲକୁ ୨ଟି ଲେଖାଁଏ ବେଡ୍ ସଂରକ୍ଷିତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳରେ ମଶା ବଂଶବୃଦ୍ଧି ରୋକିବା ପାଇଁ ସ୍ୱଚ୍ଛସେବୀଙ୍କୁ ନିୟୋଜିତ କରାଯିବା ସହ ଆଶା କର୍ମୀମାନଙ୍କ ଦ୍ୱାରା ଘରକୁ ଘର ବୁଲି ସଚେତନତା ଓ 'ନିୟମିତ ଅପଡେଟ୍ କରାଯାଉଛି। ଡେଙ୍ଗୁ ପରୀକ୍ଷା ମଧ୍ୟ ମାଗଣାରେ ଉପଲବ୍ଧ ରହିଛି।

ଏହି ସମୀକ୍ଷା ବୈଠକରେ ସିଡିଏମଓ ଏବଂ ପିଏଚଓ ଡ. ଶକ୍ତି ପ୍ରସାଦ ପାଢ଼ୀ, ଡିପିଏଚଓ ତଥା ଡିପିଏମ ଡ. ସୁନୀଲ କୁମାର ପଣ୍ଡା, ଭେକ୍ଟର ବୋର୍ଣ୍ଣ ଡିଜିଜ୍ ଆଣ୍ଡ ଲେପ୍ରୋସି ଅଧିକାରୀ ଡ. ରାଧାରମଣ ବିର୍ତିଆ, ଜିଲ୍ଲା ଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀ, ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିଆରସିଂହଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଓ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande