


ବଲାଙ୍ଗିର, ୬ ଅଗଷ୍ଟ (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ସରଗୁଲ ଗ୍ରାମରେ ଗତକାଲି ରାତିରେ ଲୋକଙ୍କ ଘରଭାଙ୍ଗିବା ସହ ଉତ୍ପାତ ମଚାଇଛନ୍ତି ହାତୀପଲ । ରାତିରେ ଘରେ ଶୋଇଥିବା ବେଳେ ଏକ ପରିବାରର ୪ ଜଣ ସଦସ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି ।
ଖାଦ୍ୟ ଅନ୍ୱେଷଣରେ ଗତକାଲି ରାତିରେ ମୁରିବାହାଲ ରେଞ୍ଜ୍ ଅନ୍ତର୍ଗତ ସରଗୁଲ ଗ୍ରାମର ଲିଙ୍ଗରାଜ ଭୋଇଙ୍କ ଘରେ ପଶିଥିଲେ ହାତୀପଲ । ହାତୀପଲ ଘର ଭାଙ୍ଗିବା ସହ ପରିବାର ସଦସ୍ୟମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ଲିଙ୍ଗରାଜ ଓ ତାଙ୍କ ପତ୍ନୀଙ୍କ ସହିତ ତାଙ୍କର ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର ପରେ ପ୍ରଥମେ ସ୍ଥାନୀୟ ମୁରିବାହାଲ ମେଡିକାଲରେ ଭର୍ତି କରିଥିଲେ । ପରେ ଅଧିକ ଚିକିତ୍ସା ନିମନ୍ତେ ଗୁରୁତର ୪ ଜଣଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ପରେ ହାତୀପଲ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ମିଳିଛି । ବନ ବିଭାଗ ସଜାଗ ରହିଛି ଏବଂ ହାତୀ ଘଉଡାଇବା ଦିଗରେ ପଦକ୍ଷେପ ନିଆଯାଉଛି । ଅନ୍ୟପକ୍ଷରେ ପୀଡ଼ିତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି ।
ପ୍ରକାଶ ଥାଉକି, ଗତ କିଛି ଦିନ ହେଲା ଅଂଚଳରେ ଏକ ୧୬ଟିକିଆ ହାତୀପଲ ବୁଲୁଥିବା ଜଣାପଡିଛି । ସନ୍ଧ୍ୟା ହେଲେ ହାତୀପଲ ଗାଁ ମୁହାଁ ହେଉଛନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ଭୟ ସଂଚାର ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ