
ଝାରସୁଗୁଡ଼ା, ୬ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ବେଆଇନ ଦେଶୀ ମଦ କାରବାର ଦିନକୁ ଦିନ ବ୍ୟାପକ ରୂପ ନେଉଥିବାରୁ ଏହା କେବଳ ଆଇନ-ଶୃଙ୍ଖଳାର ପ୍ରସଙ୍ଗ ନୁହେଁ, ବରଂ ଏକ ଗୁରୁତର ସାମାଜିକ ସମସ୍ୟାରେ ପରିଣତ ହୋଇଛି। ମଦ୍ୟପାନ ନିଶାରେ ଅନେକ ଦିନମଜୁରିଆ ଓ ଖଟିଖିଆ ପରିବାରର ଆର୍ଥିକ ଅବସ୍ଥା ବିପର୍ଯ୍ୟସ୍ତ ହେଉଥିବାବେଳେ ପରିବାରିକ କଳହ, ମହିଳାଙ୍କ ଉପରେ ନିର୍ଯାତନା ଏବଂ ଶିଶୁମାନଙ୍କ ଭବିଷ୍ୟତ ପ୍ରତି ଚିନ୍ତା ବଢ଼ିବାରେ ଲାଗିଛି।
ସ୍ଥାନୀୟ ସୂତ୍ର ଅନୁଯାୟୀ, କୋଲାବିରା ବ୍ଲକର ସିରିଆପାଲି, ଲଇକେରା ବ୍ଲକର ବଡ଼ଢୁର୍ରିଆମ ଓ ତେଲେନପାଲି, ଏବଂ ଲଖନପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହେଉଛି। ଜିଲ୍ଲାରେ ପ୍ରାୟ ୧୪ଟି ଲାଇସେନ୍ସପ୍ରାପ୍ତ ଭାଟି ଓ ୩୫ଟି ସବ୍-ବ୍ରାଞ୍ଚ ଥିବା ସତ୍ତ୍ୱେ କିଛି ଭାଟି ମାଲିକ ଅଧିକ ଲାଭ ଆଶାରେ ବେଆଇନ ଉପାୟରେ ଗାଁ ଗାଁକୁ ମଦ ଯୋଗାଇ ଦେଉଥିବା ଅଭିଯୋଗ ଉଠିଛି। ଝାରସୁଗୁଡ଼ା ସହରର ପୁରୁଣା ବସ୍ଷ୍ଟାଣ୍ଡ, ବିଟିଏମ୍, ପୁରୁଣାବସ୍ତି, ମଙ୍ଗଳବଜାର, ସରବାହାଲ, ରେଳଷ୍ଟେସନ ନିକଟ, ବେହେରାମାଲ ଓ ନୁଆପଡ଼ା ସମେତ ବ୍ରଜରାଜନଗରର ରାମପୁର, ସୁନାରିମୁଣ୍ଡା, ବୃନ୍ଦାମାଲ ଓ ବୁରୋମାଲ ଅଞ୍ଚଳରେ ଖୋଲାଖୋଲି ବେଆଇନ ଦେଶୀ ମଦ ପାଉଚ ବିକ୍ରି ଚାଲୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି।
ଅଭିଯୋଗ ଅନୁସାରେ, କିଛି ଅସାଧୁ ଅବକାରୀ ଓ ପୋଲିସ କର୍ମଚାରୀଙ୍କ ମିଳିଭଗତ ଯୋଗୁଁ ଏହି ବେଆଇନ କାରବାର ଚାଲିଆସୁଛି। ଏପରିକି ଏହାର ବିରୋଧ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ମଧ୍ୟ ରହିଛି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ପୁଷ୍ଟି ହୋଇନାହିଁ। ଏପଟେ ବ୍ରଜରାଜନଗର ଓ ଝାରସୁଗୁଡ଼ାର ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ମହିଳା ସଂଗଠନମାନେ ବେଆଇନ ମଦ ଭାଟି ବନ୍ଦ କରିବା ଏବଂ ବେଆଇନ ବିକ୍ରି ଉପରେ କଠୋର ଅଙ୍କୁଶ ଲଗାଇବା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିସାରିଛନ୍ତି। ତଥାପି ପ୍ରଶାସନ ପକ୍ଷରୁ ଦୃଶ୍ୟମାନ ପଦକ୍ଷେପ ନ ନିଆଯାଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ସାମାଜିକ କର୍ମୀମାନଙ୍କ ମତରେ, ବେଆଇନ ମଦ କାରବାର ଉପରେ ତୁରନ୍ତ ରୋକ୍ ନ ଲଗାଇଲେ ଆଗାମୀ ଦିନରେ ଏହାର କୁପ୍ରଭାବ ଆହୁରି ଭୟାବହ ହୋଇପାରେ। ନିଶା କାରଣରୁ ଗରିବ ପରିବାରର ସଞ୍ଚୟ ନଷ୍ଟ ହେବା ସହ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାରର ସାମାଜିକ ସୁରକ୍ଷା ବି ଗୁରୁତର ଭାବେ ପ୍ରଭାବିତ ହେଉଛି। ତେଣୁ ବେଆଇନ କାରବାରରେ ସମ୍ପୃକ୍ତ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ନିରପେକ୍ଷ ତଦନ୍ତ ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।
ଏନେଇ ଝାରସୁଗୁଡ଼ା ଅବକାରୀ ଅଧିକ୍ଷକ ପ୍ରଭାତ ସେଠୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଆମ ପାଖରେ କୌଣସି ଲିଖିତ ଅଭିଯୋଗ ଆସିନାହିଁ। ଅଭିଯୋଗ ମିଳିଲେ ନିୟମାନୁସାରେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ