
କେନ୍ଦୁଝର, ୦୬ ଅଗଷ୍ଟ (ହି.ସ.) - ଦୃଷ୍ଟି ବାଧିତ ଉଚ୍ଚଶିକ୍ଷାର୍ଥୀମାନଙ୍କ ଶିକ୍ଷାକୁ ଅଧିକ ସୁଗମ ଏବଂ ପ୍ରଯୁକ୍ତିନିର୍ଭର କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଚାରିଜଣ ଦୃଷ୍ଟି ବାଧିତ ଉଚ୍ଚଶିକ୍ଷାର୍ଥୀଙ୍କୁ ଲାପଟପ୍ ବଂଟନ କରାଯାଇଛି।
ଲାଭାନ୍ୱିତ ଶିକ୍ଷାର୍ଥୀମାନେ ହେଲେ ରବୀନ୍ଦ୍ର କୁମାର ନାୟକ (+୩ କଳା), ଆଲୋକ କୁମାର ନାୟକ (ସ୍ନାତକୋତର, ଓଡ଼ିଆ), ସାନୁ ଟୁଡୁ (+୩ କଳା) ଏବଂ ମନୋଜ କୁମାର ସାହୁ (ଏମ୍.ଏ., ଓଡ଼ିଆ)।
ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମନ୍ଦରଧର ମହାଳିକ ଲାଭାନ୍ୱିତମାନଙ୍କୁ ଲାପଟପ୍ ପ୍ରଦାନ କରି ନିଜ ଶିକ୍ଷାଜୀବନରେ ଏହାର ସଦୁପଯୋଗ କରିବା ସହ ସଫଳତାର ସହ ଆଗକୁ ବଢ଼ିବା ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭୁବନେଶ୍ୱରୀ ମହାନ୍ତ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ଦୃଷ୍ଟି ବାଧିତ ଶିକ୍ଷାର୍ଥୀମାନଙ୍କୁ ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥା ସହ ଅଧିକ ସଶକ୍ତ ଭାବେ ଯୋଡ଼ିବାରେ ସହାୟକ ହେବ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA