
କେନ୍ଦ୍ରାପଡ଼ା, ୬ ଅଗଷ୍ଟ (ହି.ସ.)- ଭୋଜି କରିବା ପାଇଁ ଘରୁ ଡାକି ନେଇ ସାଙ୍ଗମାନେ ଯୁବକଙ୍କୁ ମାଡ ମାରି ଗୁରୁତର କରି ଦେଇଥିଲେ। ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଡେରାବିଶ ଥାନା ଅନ୍ତର୍ଗତ ତରଜଙ୍ଗା ଗାଁର ଅମରଜିତ କର।
ମୃତ ଅମରଜିତଙ୍କ ମା ଉଷାରାଣୀ କର ଓ ବାପା ଅଭିନ୍ନ କରଙ୍କ ଅଭିଯୋଗ ଅନୁଯାୟୀ, ଜୁଲାଇ ୨୯ ତାରିଖ ଦିନ ୨ଟାରେ ଅମରଜିତଙ୍କ ସାଙ୍ଗ ମୃତ୍ୟୁଞ୍ଜୟ ଓ ମଣ୍ଟୁ ତାଙ୍କୁ ଫୋନ କରି ଭୋଜି ପାଇଁ ଡାକିଥିଲେ। ସନ୍ଧ୍ୟା ୫ଟାରେ ଅମରଜିତଙ୍କର ଦୁର୍ଘଟଣା ହୋଇଯାଇଥିବା ପରିବାର ଲୋକେ ଖବର ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଅମରଜିତଙ୍କୁ ଭର୍ତି କରାଯାଇଥିଲା। ଆଜି ଅପରାହ୍ନରେ ଅମରଜିତଙ୍କର ଦେହାନ୍ତ ହୋଇଯାଇଥିଲା। ତାଙ୍କ ପୁଅକୁ ବିଷ ଦିଆଯିବା ପରେ ମାଡ ମରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟ।ନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ଏହି ଘଟଣାରେ ଡେରାବିଶ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ମୃତ ଅମରଜିତ ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ। କେନ୍ଦ୍ରାପଡ଼ାର ଏକ ରେସିଡ଼େନ୍ସିଆଲ କଲେଜରୁ ସେ ଯୁକ୍ତ ଦୁଇ ପାଶ୍ କରିଛନ୍ତି। ଯୁକ୍ତ ତିନି ପଢିବା ପାଇଁ ସେ କୌଣସି ଏକ କଲେଜରେ ନାମ ଲେଖାଇବା ପାଇଁ ପ୍ରସ୍ତୁତ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି