
ଜୟପୁର, ୬ ଅଗଷ୍ଟ (ହି.ସ.)- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଆୟୋଜନରେ ନିଶା ମୁକ୍ତ ଭାରତ ଅଭିଯାନ ଏବଂ ମିଶନ ସୁନ୍ଦର ଅନ୍ତର୍ଗତ ଆଗାମୀ ୬ ରୁ ୨୦ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ୧୦ କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଅଭିଯାନ ରାଜଯୋଗିନୀ ଦାଦୀ ପ୍ରକାଶମଣିଜୀଙ୍କ ପବିତ୍ର ସ୍ମୃତିରେ ଉତ୍ସର୍ଗୀକୃତ ହୋଇଥିବା ସହ ବିକଶିତ ଭାରତ ଆଡ଼କୁ ଏକ ଦୃଢ଼ ପଦକ୍ଷେପ ବୋଲି ଆୟୋଜକମାନେ ଜଣାଇଛନ୍ତି।ଏହି ମହା ଅଭିଯାନର ଲକ୍ଷ୍ୟ ହେଉଛି ଦେଶର ୧୦ କୋଟି ଲୋକଙ୍କୁ ନିଶାମୁକ୍ତ ଜୀବନ ଯାପନ ପାଇଁ ପ୍ରତିଜ୍ଞାବଦ୍ଧ କରାଇବା। ଏଥିପାଇଁ QR କୋଡ୍ ମାଧ୍ୟମରେ ମାତ୍ର ୩୦ ସେକେଣ୍ଡରେ ପ୍ରତିଜ୍ଞା ନେବାର ସୁବିଧା ରହିଛି। ଆୟୋଜକମାନେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଅତି କମରେ ୫୦ ଜଣ ଲୋକଙ୍କୁ ଏହି ମହା ଅଭିଯାନରେ ଯୋଡ଼ିବା ପାଇଁ ଆହ୍ୱାନ ଦେଇଛନ୍ତି।ଅଭିଯାନର ପୋଷ୍ଟର ଅନୁଯାୟୀ, ଦେଶରେ ପ୍ରତିବର୍ଷ ପ୍ରାୟ ୩୦ ଲକ୍ଷ ମୃତ୍ୟୁ ନିଶା-ସମ୍ପୃକ୍ତ କାରଣରୁ ଘଟୁଥିବା ବେଳେ, ୪୦ ରୁ ୭୦ ପ୍ରତିଶତ ପାରିବାରିକ କଳହର ମୂଳ କାରଣ ମଧ୍ୟ ନିଶା। ଆୟର ୨୦ ରୁ ୩୦ ପ୍ରତିଶତ ଅଂଶ ମଦ୍ୟପାନରେ ଖର୍ଚ୍ଚ ହେଉଥିବା ସହ ୧୪ ରୁ ୨୦ ବର୍ଷ ବୟସ ଗୋଷ୍ଠୀ ନିଶାର ସର୍ବାଧିକ ପ୍ରଭାବିତ ବର୍ଗ ବୋଲି ଉଲ୍ଲେଖ କରାଯାଇଛି।ଉଲ୍ଲେଖଯୋଗ୍ୟ ଯେ, ଏହି ଅଭିଯାନ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ସହ ୨୦୨୩ ମସିହାରୁ ଏବଂ ଗୃହ ମନ୍ତ୍ରାଳୟ ଅଧୀନସ୍ଥ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ସହ ୨୦୨୫ ମସିହାରୁ ସାମଞ୍ଜସ୍ୟ ପତ୍ର ଅଧୀନରେ କାର୍ଯ୍ୟକାରୀ ହେଉଛି। ଏ ପର୍ଯ୍ୟନ୍ତ ଅଭିଯାନ ମାଧ୍ୟମରେ ୨.୨୭ କୋଟିରୁ ଅଧିକ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚିଥିବା ଏବଂ ୧.୧୯ କୋଟିରୁ ଅଧିକ ନିଶାମୁକ୍ତ ପ୍ରତିଜ୍ଞା ସଂଗୃହୀତ ହୋଇଥିବା ଆୟୋଜକମାନେ ଜଣାଇଛନ୍ତି। ଅଭିଯାନ ୨୮ଟି ରାଜ୍ୟ ଓ ୫ଟି କେନ୍ଦ୍ରଶାସିତ ଅଞ୍ଚଳରେ ହଜାର ହଜାର ସ୍କୁଲ, କଲେଜ ଓ ଗ୍ରାମ ପଞ୍ଚାୟତ ସ୍ତରରେ ପହଞ୍ଚିଛି।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବାର୍ତ୍ତାରେ ସୁସ୍ଥ ଜୀବନଶୈଳୀ, ମୂଲ୍ୟବୋଧ ଆଧାରିତ ଶିକ୍ଷା ଓ ଆଧୁନିକ ସଚେତନତା ମାଧ୍ୟମରେ ନିଶାମୁକ୍ତ ଓ ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କୁ ଏହି ଜାତୀୟ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି।ସ୍ଥାନୀୟ ସ୍ତରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ରାୟଗଡ଼ା, ଚିକିରି, ପଦ୍ମପୁର, ଗୁଣୁପୁର, କାଶୀପୁର ଓ କୋଲନରା ସେବା କେନ୍ଦ୍ର ମାଧ୍ୟମରେ ଏହି ମହା ଅଭିଯାନ ପରିଚାଳିତ ହେବ ବୋଲି ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି