
ଭୁବନେଶ୍ୱର, ୬ ଅଗଷ୍ଟ (ହି.ସ.)- ଭୀଷଣ ବର୍ଷାର ସମ୍ଭାବନା ନେଇ ଆଗାମୀ ୭ ଦିନ ଅର୍ଥାତ୍ ୬ ତାରିଖ ସକାଳ ଠାରୁ ଆସନ୍ତା ୧୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଭୀଷଣରୁ ଅତି ଭୀଷଣ ବର୍ଷା ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା ସମ୍ଭାବନା ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବାଲେଶ୍ୱର, ଦେବଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ଢ଼େଙ୍କାନାଳ, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ସୋନପୁର, ବୌଦ୍ଧ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ମୟୂରଭଞ୍ଜ ଜିଲ୍ଲାରେ ୧୨ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ସେହିପରି ୭ ତାରିଖ ସକାଳ ଠାରୁ ୮ ତାରିଖ ସକାଳ ସୁଦ୍ଧା ଭୀଷଣରୁ ଅତି ଭୀଷଣ ବର୍ଷା ସମ୍ଭାବନା ନେଇ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା ସମ୍ଭାବନା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ଭଦ୍ରକ, ଯାଜପୁର, କଟକ, ଅନୁଗୁଳ, ଢ଼େଙ୍କାନାଳ, ଗଞ୍ଜାମ, ଗଜପତି ।
ଅନୁରୂପ ଭାବେ ୮ ତାରିଖ ସକାଳ ଠାରୁ ୯ ତାରିଖ ସକାଳ ସୁଦ୍ଧା ୨ ଜିଲ୍ଲା, ୯ ତାରିଖ ସକାଳ ଠାରୁ ୧୦ ତାରିଖ ସକାଳ ସୁଦ୍ଧା ୨ ଜିଲ୍ଲା, ୧୦ ତାରିଖ ସକାଳ ଠାରୁ ୧୧ ତାରିଖ ସକାଳ ସୁଦ୍ଧା ୫ ଜିଲ୍ଲା, ୧୧ ତାରିଖ ସକାଳ ଠାରୁ ୧୨ ତାରିଖ ସକାଳ ସୁଦ୍ଧା ୬ ଜିଲ୍ଲା ଏବଂ ୧୨ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ସୁଦ୍ଧା ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ