ଜୟପୁର-ନବରଙ୍ଗପୁର ରେଳପଥ : କ୍ଷତିପୂରଣ ଦେବାରେ ପାତରଅନ୍ତର, ବୋରିଗୁମ୍ମା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ଜୟପୁର, ୬ ଅଗଷ୍ଟ (ହି.ସ.)- ଜୟପୁର–ନବରଙ୍ଗପୁର ନୂତନ ରେଳପଥ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କ୍ଷତିପୂରଣ ବଣ୍ଟନରେ ପାତରଅନ୍ତର ହେଉଥିବା ଅଭିଯୋଗକୁ ନେଇ ବୋରିଗୁମ୍ମାରେ ବଢ଼ିଛି ଅସନ୍ତୋଷ। ନବରଙ୍ଗପୁର ଜିଲ୍ଲାର ଜମିମାଲିକଙ୍କୁ ଅଧିକ କ୍ଷତିପୂରଣ ମିଳୁଥିବା ବେଳେ କୋରାପୁଟ ଜିଲ୍ଲାର ଜମିମାଲିକଙ୍କୁ କମ୍
ଜୟପୁର-ନବରଙ୍ଗପୁର ରେଳପଥ, କ୍ଷତି ପୁରଣ ଦେବାରେ ପତରଅନ୍ତର ବୋରିଗୁ୍ମ୍ମା ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ


ଜୟପୁର, ୬ ଅଗଷ୍ଟ (ହି.ସ.)- ଜୟପୁର–ନବରଙ୍ଗପୁର ନୂତନ ରେଳପଥ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କ୍ଷତିପୂରଣ ବଣ୍ଟନରେ ପାତରଅନ୍ତର ହେଉଥିବା ଅଭିଯୋଗକୁ ନେଇ ବୋରିଗୁମ୍ମାରେ ବଢ଼ିଛି ଅସନ୍ତୋଷ। ନବରଙ୍ଗପୁର ଜିଲ୍ଲାର ଜମିମାଲିକଙ୍କୁ ଅଧିକ କ୍ଷତିପୂରଣ ମିଳୁଥିବା ବେଳେ କୋରାପୁଟ ଜିଲ୍ଲାର ଜମିମାଲିକଙ୍କୁ କମ୍ କ୍ଷତିପୂରଣ ଦିଆଯାଉଥିବା ଅଭିଯୋଗ କରି ଆଜି ବହୁ ଚାଷୀଙ୍କ ସହ ବିଜୁ ଜନତା ଦଳର ନେତାମାନେ ରାଲି କରି ବୋରିଗୁମ୍ମା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବୋରିଗୁମ୍ମା ଦୋରା କଲ୍ୟାଣ ମଣ୍ଡପଠାରୁ ବହୁ ସଂଖ୍ୟକ ଚାଷୀ ଓ ଜମିମାଲିକଙ୍କ ସହ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏବଂ ଅନ୍ୟାନ୍ୟ ନେତା ଏକ ରାଲିରେ ବାହାରି ବୋରିଗୁମ୍ମା ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେମାନେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରି କହିଥିଲେ ଯେ, ଜୟପୁର–ନବରଙ୍ଗପୁର ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ କ୍ଷତିପୂରଣ ନିର୍ଦ୍ଧାରଣରେ କୋରାପୁଟ ଜିଲ୍ଲାର ଜମିମାଲିକଙ୍କ ପ୍ରତି ଅବିଚାର କରାଯାଉଛି lଜୟପୁର-ନବରଙ୍ଗପୁର ରେଳପଥ ପାଇଁ ହେଉଥିବା ଜମି ଅଧିଗ୍ରହଣରେ ଶାଗ ମାଛ ଦରରେ ଜମି ନେଉଛି ରେଳ ବିଭାଗ । ଫଳରେ ଜମିହିନ ହୋଇ ଗରିବ ଆଦିବାସୀମାନେ ହଇରାଣ ହେଉଛନ୍ତି । ଏହା ସହ ପାତର ଅନ୍ତର କରି ରେଳ ବିଭାଗ ଚଞ୍ଚକତା କରୁଥିବା ବିଜେଡି ଆଜି ଅଭିଯୋଗ କରି କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଛି । ଏହି ଦାବି ପତ୍ର ପ୍ରଦାନ ସମୟରେ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଉପସ୍ଥିତ ରହି ଏହି ପ୍ରକଳ୍ପର ଜମି ଅଧିଗ୍ରହଣ ବେଳେ ନବରଙ୍ଗପୁର ଜିଲ୍ଲାର ଜମି ହରାଉଥିବା ମାଲିକଙ୍କୁ ଏକର ପିଛା ୩ କୋଟିରୁ ୭ କୋଟି ପର୍ଯ୍ୟନ୍ତ କ୍ଷତି ପୁରଣ ଦିଆଯାଉଛି । କିନ୍ତୁ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଏକର ପିଛା ୧ ଲକ୍ଷରୁ ୨ ଲକ୍ଷ ଅଧିକ ଜମି ଦେୟ ଦିଆଯାଇଥିବା ବେଳେ କୋରାପୁଟ ଜିଲ୍ଲାର ଜମି ମାଲିକଙ୍କୁ ବହୁ କମ୍ ପରିମାଣର କ୍ଷତି ପୁରଣ ଦିଆଯାଉଛି । ଯଦ୍ୱାରା ବହୁ ଜମି ମାଲିକ ଏବେ ଜମି ହରାଇ ସର୍ବସ୍ୱାନ୍ତ ହେବାକୁ ବସିଥିବା ବେଳେ ସେମାନେ ସେମାନଙ୍କ ଜମିର ଉଚିତ ପ୍ରାପ୍ୟ ପାଇ ପାରିନାହାନ୍ତି । ଯଦି ସରକାର ସେମାନଙ୍କ ଉଚିତ ପ୍ରାପ୍ୟ ପାଇଁ ପଦକ୍ଷେପ ନ ନିଅନ୍ତି ତେବେ ବିଜେଡ଼ି ଆନ୍ଦୋଳନ କରିବ ଏବଂ ରେଳପଥ କାମ ଆଗେଇବାକୁ ଦେବନି ବୋଲି ଦଳ ପକ୍ଷରୁ ଜାତୀୟ ମୁଖପାତ୍ର ପ୍ରଦୀପ ମାଝି ଏବଂ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ରବି ନାରାୟଣ ନନ୍ଦ ସୂଚନା ଦେଇଛନ୍ତି । ଏନେଇ ଆଜି ବୋରିଗୁମ୍ମା ତହସଲିଦାରଙ୍କୁ ଏକ ଶୋଭାଯାତ୍ରାରେ ଯାଇ ଦାବିପତ୍ର ପ୍ରଦାନ କରିଥିବା ବେଳେ ଆଗାମି ଦିନରେ ଜୟପୁର, ବୈପାରିଗୁଡା, କୁନ୍ଦରା ତହସିଲଦାର ତଥା ଜମି ଅଧିଗ୍ରହଣ ଅଧିକାରିଙ୍କୁ ଦାବି ପତ୍ର ପ୍ରଦାନ କରାଯିବା ସହ ବିଜେଡି ତରଫରୁ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବି କରାଯିବ । ଉଭୟ ନେତା କହିଛନ୍ତି ଯେ, ରେଳ ପ୍ରକଳ୍ପକୁ ସ୍ୱାଗତ କରୁଛୁ କିନ୍ତୁ ଜମି ଅଧିଗ୍ରହଣ କ୍ଷତିପୁରଣ ଦେବା ବେଳେ ପାତରଅନ୍ତରକୁ ବିରୋଧ କରାଯିବ। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ରେଳ ବିଭାଗ ଏବଂ ରାଜ୍ୟ ସରକାରଙ୍କ ବାଣିଜ୍ୟ ପରିବହନ ବିଭାଗ ମଧ୍ୟରେ ଏକ ଚୁକ୍ତି ୨୦୧୬ ମସିହାରେ ହୋଇଥିଲା । ଏଥିରେ କୁହାଯାଇଥିଲା ଯେ, ରାଜ୍ୟ ସରକାର ପ୍ରକଳ୍ପ ପାଇଁ ମାଗଣା ଜମି ଦେବା ସହ ପ୍ରକଳ୍ପ ଖର୍ଚ୍ଚ ଉଭୟ ସରକାର ସମାନ ଅଂଶ ଖର୍ଚ୍ଚ କରିବେ । ଏହାକୁ ଆଧାର କରି ରାଜ୍ୟ ସରକାର ୨୦୨୦ ମସିହାରୁ ଜମି ଅଧିଗ୍ରହଣ କାର୍ଯ୍ୟ ହାତକୁ ନେଇଥିଲେ । ପ୍ରଥମ କରି ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରଥମେ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ଅଧିସୂଚନା ଜାରି କରିଥିଲା । ଯେଉଁଥିରେ ପ୍ରକଳ୍ପ ପ୍ରଭାବିତ ଗ୍ରାମ ଗୁଡ଼ିକର ପରାମର୍ଶକ୍ରମେ ଭୂମି ଅଧିଗ୍ରହଣ କରିବାକୁ ଅଂଳର ସାମାଜିକ ପ୍ରଭାବ ନିର୍ଦ୍ଧାରଣ ଚାଲିଥିଲେ । ସର୍ଭେକ୍ଷଣଟି ଭୂମି ଅର୍ଜନ, ପୁନର୍ବାସ ଓ ଥଇଥାନରେ ଉଚିତ ମୂଲ୍ୟ ଏବଂ ସ୍ୱଚ୍ଛତା ଅଧିକାର ଆଇନ ୨୦୧୩ର ଧାରା ୪ ଅନୁଯାୟୀ କରାଯାଇଥିଲା । ଯେଉଁଥିରେ କୋରାପୁଟ ଜିଲ୍ଳାର ଜୟପୁର ବ୍ଳକର ବଡ଼କାଉଡ଼ି, ମଜୁରମୁଣ୍ଡା, ଆମ୍ବାଗୁଡ଼ା, ହରଡ଼ାପୁଟ, ହଡ଼ପା, ଜୟନ୍ତଗିରି, ବୋରିଗୁମ୍ମା ବ୍ଳକର ଦୁଲାଗୁଡ଼ା, ବୋରିଗୁମ୍ମା, ଝିଲିମିଲି, କୁନ୍ଦ୍ରାଗୁଡ଼ା, ଅଂଚଳା, ପର୍ଲି, କାମରା, କନେଇଜୁବା, କାଳିଆଗୁଡ଼ା, ମଝିଆ, ଆଁଉଳି, ବରିଗାଁର ମୋଟ ୭୩୨.୩୩୫ ଘରୋଇ ଜମି ରହିଥିଲା ଏବଂ ଏହି ଜମିର ମାଲିକ ମାନେ ଏବେ କ୍ଷତିରେ ପଡିଛନ୍ତି । କାରଣ ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ତହସିଲର ଦହିବଟା, ନୂଆଗଡ଼, ଗାଦବାଗୁଡ଼ା, ନବରଙ୍ଗପୁର, ସିନ୍ଧିଗାଁ ଏବଂ କେଶରୀଗୁଡ଼ାର ଅଧିଗୃହିତ ହୋଇଥିବା ୧୪୫.୬୪୩୦ ଏକର ଜମିର ମାଲିକ ମାନେ କୋରାପୁଟ ଜିଲ୍ଳା ଅପେକ୍ଷା ଅଧିକ ଦରରେ କ୍ଷତିପୂରଣ ପାଇଛନ୍ତି । ବିଜେଡ଼ିର ଅଭିଯୋଗ ଅନୁସାରେ ନବରଙ୍ଗପୁର ଜିଲ୍ଲାର ଅନେକ ଲୋକ ଏକର ପିଛା ୭ କୋଟି ଏବଂ ୩.୫ କୋଟି ଟଙ୍କା ଦରରେ କ୍ଷତି ପୂରଣ ପାଇଥିବା ବେଳେ ଜୟପୁର ଏବଂ ବୋରିଗୁମ୍ମା ବ୍ଳକ ଜମିହରା ମାନେ ଦୁଇ ଏବଂ ତିନି ଲକ୍ଷ ଟଙ୍କା ହାରରେ କ୍ଷତି ପୁରଣ ପାଇଛନ୍ତି । ତେଣୁ ଏକ୍ଷେତ୍ରରେ ସଂପୂର୍ଣ୍ଣ ଅନ୍ୟାୟ ହୋଇଛି ଏବଂ ଏହାର ପୁର୍ନବିଚାର କରନ୍ତୁ । ରାଜ୍ୟ ସରକାର ଏହାକୁ ତର୍ଜମା କରି ତୁରନ୍ତ ଏହି ଜମିହରା ମାନଙ୍କୁ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ଦଳ ପକ୍ଷରୁ ଆଜି କୁହାଯାଇଛି । ଆଜିର ଏହି ବିକ୍ଷୋଭ ଶୋଭାଯାତ୍ରାରେ କୋରାପୁଟ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରି ସଭାପତି ଦୁର୍ଗା ମିଶ୍ର, ନାଗରାଜ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande