ପୁରୁଣା ବସଷ୍ଟାଣ୍ଡ ଅଂଚଳରୁ ବୁଲା ଗୋରୁ ଗୋଶାଳାକୁ ସ୍ଥାନାନ୍ତର; ନିୟମ ଉଲ୍ଲଂଘନ କଲେ ଦେବାକୁ ପଡ଼ିବ ୧୦,୦୦୦ ଟଙ୍କା ଜରିମାନା
Warning for cattle owner
Cattle owner


ଝାରସୁଗୁଡ଼ା, ୦୬ ଅଗଷ୍ଟ (ହି.ସ.) - ସହରର ରାସ୍ତାଘାଟରେ ବୁଲା ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ନିୟମିତ ଟ୍ରାଫିକ ସମସ୍ୟା, ରାସ୍ତା ଅବରୋଧ ଏବଂ ସଡ଼କ ଦୁର୍ଘଟଣା ଭଳି ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି ହେଉଥିବା କାରଣରୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି କ୍ରମରେ ପୁରୁଣା ବସଷ୍ଟାଣ୍ଡ ଅଂଚଳରେ ଘୂରି ବୁଲୁଥିବା ଗୋରୁଗାଈଙ୍କୁ ଶ୍ରୀ କୃଷ୍ଣ ଗୋଶାଳା ଏବଂ ଏହାର ସଂଲଗ୍ନ ପଡ଼ିଆକୁ ସ୍ଥାନାନ୍ତରିତ କରାଯାଉଛି। ଝାରସୁଗୁଡ଼ା ପୌରପାଳିକା ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେଙ୍କ ସୂଚନା ଅନୁଯାୟୀ, ଗତକାଲି ରାତିରୁ ଏହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ ଗତକାଲି ପ୍ରାୟ ୫୦ଟି ଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି। ଏହା ପୂର୍ବରୁ ପୌରପାଳିକା ତରଫରୁ ସହରସାରା ମାଇକ୍ ଦ୍ୱାରା ସଚେତନତା ନିମନ୍ତେ ଘୋଷଣା ମଧ୍ୟ କରାଯାଇଥିଲା। ପ୍ରଶାସନ ପକ୍ଷରୁ କଡ଼ା ନିୟମ ଲାଗୁ କରାଯାଇଛି ଯେ, ଯଦି କୌଣସି ଗୋ-ପାଳକ ବା ମାଲିକ ନିଜ ଗୋରୁଙ୍କୁ ନେବା ପାଇଁ ଦାବି କରନ୍ତି, ତେବେ ତାଙ୍କୁ ଗୋରୁ ପିଛା ୪,୦୦୦ ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଏଥିସହିତ ଭବିଷ୍ୟତରେ ଗୋରୁଙ୍କୁ ରାସ୍ତାରେ ଖୋଲା ଛାଡ଼ିବେ ନାହିଁ ବୋଲି ଏକ ସାକ୍ଷରିତ ପ୍ରତିଶ୍ରୁତି ପତ୍ର ମଧ୍ୟ ଦେବାକୁ ହେବ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଝାରସୁଗୁଡ଼ା ପୌରପାଳିକା, ପ୍ରାଣୀସମ୍ପଦ ବିଭାଗ, ଶ୍ରୀ କୃଷ୍ଣ ଗୋଶାଳା ଏବଂ ବଜରଙ୍ଗ ଦଳର କର୍ମକର୍ତାଙ୍କୁ ନେଇ ଏକ ମନିଟରିଂ କମିଟି ଗଠନ କରାଯାଇଛି। ସୂଚନା ଅନୁଯାୟୀ, ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଝାରସୁଗୁଡ଼ା ପୌରପାଳିକା ପକ୍ଷରୁ ଗୋରୁଙ୍କ ସୁରକ୍ଷିତ ଆଶ୍ରୟ, ଆହାର, ଚିକିତ୍ସା ଓ ପୁନର୍ବାସ ପାଇଁ ୮ ଜଣିଆ ସଦସ୍ୟବିଶିଷ୍ଟ ଏକ କମିଟି ଗଠନ କରାଯାଇଛି। ଏହି କମିଟିରେ ସହକାରୀ ନିର୍ଦ୍ଦେଶକ ଡ ସୁଧାଂଶୁ ଶେଖର ଦାସ, ଉପ-ଖଣ୍ଡୀୟ ପ୍ରାଣୀସମ୍ପଦ ଅଧିକାରୀ ଡ ଭଗବତୀ ପ୍ରସାଦ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଷ ପ୍ରଧାନ, କନିଷ୍ଠ ପରିମଳ ବିଶେଷଜ୍ଞ ଆଲୋକ ରଞ୍ଜନ ଜଗତ, କୃଷ୍ଣ ଗୋଶାଳାର ସଦସ୍ୟ ଅନିଲ ଅଗ୍ରୱାଲ ଭୁୱାନିଆ ଓ ଗୋପାଳ କେଡ଼ିଆ ଏବଂ ବଜରଙ୍ଗ ଦଳର ସଦସ୍ୟ ରବି ଗିଡ଼ୱାନୀ ଓ ୱିନୟ ରଜାକଙ୍କୁ ସାମିଲ କରାଯାଇଛି। ଏହି କମିଟି ସହରରେ ବୁଲା ଗୋରୁଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କ ସୁରକ୍ଷିତ ସ୍ଥାନାନ୍ତର, ଉଚିତ ଆହାର, ଚିକିତ୍ସା ଓ ଟ୍ୟାଗିଂ କାର୍ଯ୍ୟର ତଦାରଖ କରିବେ ଏବଂ ନିୟମିତ ଭାବେ ଏହାର ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande