
କେନ୍ଦୁଝର, ୦୬ ଅଗଷ୍ଟ (ହି.ସ.) - କେନ୍ଦୁଝର ରେ ବଣୁଆ ହାତୀ ସହ ଲାଗି ଯୁବକ ଗିରଫ , ସୋସିଆଲ ମିଡିଆ ନିଶାରେ ବଣୁଆ ହାତୀ ସହ ଲାଗିବା ପଡ଼ିଲା ମହଙ୍ଗା । ସୋସିଆଲ ମିଡିଆରେ କିଛି ଲାଇକ୍, ଭ୍ୟୁଜ୍ ଓ ଫଲୋଅର୍ ବଢ଼ାଇବାର ନିଶା ଜଣେ ଯୁବକଙ୍କୁ ପହଂଚାଇଦେଲା ଜେଲ୍ର ଚାରି କନ୍ଥ ଭିତରେ । ବଣୁଆ ହାତୀ ସହ ବିପଦପୂର୍ଣ୍ଣ ଷ୍ଟଣ୍ଟ କରି ଭିଡିଓ ଭାଇରାଲ କରିବା ପଡ଼ିଲା ମହଙ୍ଗା। ହାତୀର ଦାନ୍ତ ଧରି ଫଟୋ ଓ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି କେନ୍ଦୁଝର ବନ ବିଭାଗ।
କେନ୍ଦୁଝର ଚମ୍ପୁଆ ଥାନା ଅନ୍ତର୍ଗତ ଗୋଧୂଳି ଗାଁର ଗଣେଶ ନାୟକ ଏକ ବଣୁଆ ହାତୀର ଅତି ନିକଟକୁ ଯାଇ ତାହାର ଦାନ୍ତ ଧରି ଫଟୋ ଓ ଭିଡିଓ କରିଥିଲେ। ପରେ ସେହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ତାହା ଦ୍ରୁତ ଭାଇରାଲ ହୋଇଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ କରି କେନ୍ଦୁଝର ବନ ବିଭାଗ ଯୁବକଙ୍କୁ ଗିରଫ କରିଛି। ବନ୍ୟଜନ୍ତୁଙ୍କୁ ଉତେଜିତ କରିବା ଓ ବନ୍ୟପ୍ରାଣୀ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ତାଙ୍କ ସହ ଆଉ ଦୁଇ ଜଣ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି । ଗଣେଷ ଙ୍କ ନାଁ ରେ ପୂର୍ବରୁ ମଧ୍ୟ କେଶ ଥିଲା ଏବଂ ସେ ଫେରାର ଥିଲେ ।
ବର୍ତମାନ କେନ୍ଦୁଝର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ମଣିଷ-ହାତୀ ଲଢେଇ ବଢ଼ି ଚାଲିଛି। ହାତୀ ଲୋକଙ୍କ ଉପରେ ଆକ୍ରମଣ କରୁଛି, ଘର ଭାଙ୍ଗୁଛି, ଫସଲ ନଷ୍ଟ କରୁଛି। ଏଭଳି ସମୟରେ କିଛି ଯୁବକ କେବଳ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ହାତୀର ନିକଟକୁ ଯାଇ ତାକୁ ବାଡ଼ିରେ ପିଟିବା, ଲାଙ୍ଗୁଡ଼ ଟାଣିବା, ସୁଣ୍ଡକୁ ଛୁଇଁବା , ବିକଟାଳ ଶଦ୍ଧ କରି ଉତେଜିତ କରିବା ଭଳି ବିପଦପୂର୍ଣ୍ଣ କାମ କରୁଛନ୍ତି। ଏହା ହାତୀକୁ ଅଧିକ ଉତେଜିତ ଓ ଆକ୍ରମଣାତ୍ମକ କରିବା ସହ ସେମାନଙ୍କ ନିଜ ଜୀବନକୁ ମଧ୍ୟ ବିପଦରେ ପକାଉଛି।
ବନ ବିଭାଗ ବାରମ୍ବାର ସଚେତନ କରୁଛି-ହାତୀ ନିକଟକୁ ଯିବେ ନାହିଁ, ଟେକାପଥର ମାରିବେ ନାହିଁ, ଶବ୍ଦ କରି ଉତେଜିତ କରିବେ ନାହିଁ କିମ୍ବା ସେଲ୍ଫି ଓ ଭିଡିଓ ପାଇଁ ବିପଦ ସୃଷ୍ଟି କରିବେ ନାହିଁ। କିନ୍ତୁ କିଛି ଯୁବକ ଭ୍ୟୁଜ୍ ଓ ଲାଇକ୍ ପାଇଁ ନିଜ ଜୀବନ ସହ ଖେଳୁଛନ୍ତି। ତେବେ ଏହି ଗିରଫ ଘଟଣା ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟକରୁଥିବା ଲୋକଙ୍କ ପାଇଁ ଏକ କଡ଼ା ସନ୍ଦେଶ ।ଭାଇରାଲ ହେବାଠାରୁ ଜୀବନ ଅଧିକ ମୂଲ୍ୟବାନ । ଏହି ବାର୍ତାକୁ ପୁଣିଥରେ ଦୋହରାଇଛି କେନ୍ଦୁଝର ବନ ବିଭାଗ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA