
କନ୍ଧମାଳ, ୬ ଅଗଷ୍ଟ (ହି.ସ.)- କନ୍ଧମାଳ ଜିଲ୍ଲା ଏକ ପଛୁଆ ଏବଂ ଅନୁନ୍ନତ ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଚିତ ଥିବା ବେଳେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜିଲ୍ଲାର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି l ହେଲେ ଆର୍ଥିକ ବର୍ଷ ୨୦୨୪-୨୫ ଏବଂ ଆର୍ଥିକ ବର୍ଷ ୨୦୨୫/୨୬ କନ୍ଧମାଳ ଓ ଗଜପତି ବିକାଶ ଯୋଜନା ଆର୍ଥିକ ଅନୁଦାନ ମଧ୍ୟ ଆସି ପାରୁନାହିଁ l
ସୂଚନା ଅନୁସାରେ, ଉକ୍ତ ଯୋଜନାର ଅର୍ଥ ବିନିଯୋଗ ପାଇଁ ସରକାରୀ ଭାବେ ଜିଲ୍ଲା ଯୋଜନା କମିଟିର ସ୍ୱତନ୍ତ୍ର ଯୋଜନା ବୈଠକରେ ସମସ୍ତ ପ୍ରକଳ୍ପ ଗୁଡିକ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନୁମୋଦନ କରିଥାନ୍ତି l କିନ୍ତୁ, ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ସମସ୍ତ ୧୮ ଜିଲ୍ଲା ପରିଷଦ ସଦସ୍ୟଙ୍କ ତରଫରୁ ସେମାନଙ୍କ ଜୋନ୍ ଅଞ୍ଚଳର ବିକାଶ ପାଇଁ ଯାଇଥିବା ଦୁଇ ଆର୍ଥିକ ବର୍ଷର ଅନୁଦାନ ଆଜି ପର୍ଯ୍ୟନ୍ତ ଅନୁମୋଦନ ହୋଇ ନଥିବା ହେତୁ ଜନପ୍ରତିନିଧିମାନେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବା ସହ ବିକାଶ କାର୍ଯ୍ୟ ବନ୍ଦ ହୋଇଥିବା ଅଭିଯୋଗ କରୁଛନ୍ତି l ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଦୁଇ ବର୍ଷର ପ୍ରକଳ୍ପ ଅନୁମୋଦନ ସହ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରକଳ୍ପ ତାଲିକା ଜିଲ୍ଲା ପରିଷଦ ସଦସ୍ୟଙ୍କୁ ମାଗନ୍ତୁ ବୋଲି ଦାବୀ କରିଛନ୍ତି l ଏଥିପାଇଁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଫୁଲବାଣୀ ବିଧାୟକ ଉମାଚରଣ ମଲିକ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କ ସମସ୍ୟା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ ବୋଲି ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଅନୁରୋଧ କରିଛନ୍ତିl l ଏଭଳି ସମସ୍ୟା ନେଇ ଖୁବଶୀଘ୍ର ଜିଲ୍ଲାପାଳ କନ୍ଧମାଳ, ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ଦାବିପତ୍ର ପ୍ରେରଣ କରାଯିବ ବୋଲି ସମସ୍ତ ସଭ୍ୟ ସଭ୍ୟା ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ