ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ହେବ ଉପଯୋଗ
- ଖୁବ୍ ଶୀଘ୍ର ସମସ୍ତ ପ୍ରସ୍ତାବିତ ଡପଲର୍ ରାଡାର୍ କାର୍ଯ୍ୟକ୍ଷମ ହେବ - ୨୨ଟି ଜିଲ୍ଲାକୁ ୧୧୦ କୋଟି ଟଙ୍କାର ଆର୍ôଥକ ସହାୟତା ରାଶି ଭୁବନେଶ୍ୱର, ୦୬ ଅଗଷ୍ଟ (ହି.ସ) - ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରି
trg


- ଖୁବ୍ ଶୀଘ୍ର ସମସ୍ତ ପ୍ରସ୍ତାବିତ ଡପଲର୍ ରାଡାର୍ କାର୍ଯ୍ୟକ୍ଷମ ହେବ

- ୨୨ଟି ଜିଲ୍ଲାକୁ ୧୧୦ କୋଟି ଟଙ୍କାର ଆର୍ôଥକ ସହାୟତା ରାଶି

ଭୁବନେଶ୍ୱର, ୦୬ ଅଗଷ୍ଟ (ହି.ସ) - ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କର ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରିଛନ୍ତ। ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ବିପର୍ଯ୍ୟୟ ପରିଚାଳନା ଭିତିଭୂମି ସୁଦୃଢ଼ କରିବା ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ବହୁମୁଖୀ ଆଶ୍ରୟସ୍ଥଳୀ ନିର୍ମାଣ ତ୍ୱରାନ୍ୱିତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ପୂଜାରୀ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବନ୍ୟା ପରେ ପରେ କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ ହେବା ସହ ବିଭିନ୍ନ ସ୍ଥାନରୁ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ୍ ରାଜ୍ୟସରକାରଙ୍କ ନିକଟକୁ ଆସୁଛି । ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବନ୍ୟା ଜଳ ଛାଡ଼ିବାର ୭୨ଘଂଟା ମଧ୍ୟରେ କ୍ଷୟକ୍ଷତି ଆକଳନ ଅବ୍ୟାହତ ରହିଛି । ଇତିମଧ୍ୟରେ ପ୍ରଭାବିତ ୨୨ଟି ଜିଲ୍ଲାକୁ ସମୁଦାୟ ୧୧୦ କୋଟିର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ତନ୍ମଧ୍ୟରେ ବାଲେଶ୍ୱର ଜିଲ୍ଲାକୁ ୨୨.୦୩ କୋଟି, ଯାଜପୁର ଜିଲ୍ଲାକୁ ୨୦.୨୦ କୋଟି, ଭଦ୍ରକ ଜିଲ୍ଲାକୁ ୨୦.୧୨ କୋଟି, ଜଗତସିଂହପୁର ଜିଲ୍ଲାକୁ ୮.୧୮ କୋଟି, କେନ୍ଦୁଝର ଜିଲ୍ଲାକୁ ୬.୧୧ କୋଟି, ସମ୍ବଲପୁର ଜିଲ୍ଲାକୁ ୫.୫୬ କୋଟି, କେନ୍ଦ୍ରାପଡ଼ା ଜିଲ୍ଲାକୁ ୫.୦୪ କୋଟି, ମୟୁରଭଞ୍ଜ ଜିଲ୍ଲାକୁ ୫.୦୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।ମନ୍ତ୍ରୀ କହିଛନ୍ତି ଯେ, ଗତ ବର୍ଷ ଜୁଲାଇ ମାସ ଅପେକ୍ଷା ଚଳିତ ବର୍ଷ ଜୁଲାଇ ମାସରେ ୬୫% ଅଧିକ ବୃଷ୍ଟିପାତ ହୋଇଥିବା ବେଳେ କେତେକ ସ୍ଥାନରେ ୯୭% ପର୍ଯ୍ୟନ୍ତ ଅଧିକ ବୃଷ୍ଟିପାତ ମଧ୍ୟ ହୋଇଛି ।ଏହା ଭିତରେ ବିଭିନ୍ନ ନଦୀର ବନ୍ୟାଜଳ ହ୍ରାସ ପାଇଥିଲା ବେଳେ ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ହ୍ରାସ ହୋଇ ନାହିଁ । ବିଭିନ୍ନ ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା ଜନିତ ଭିତିଭୂମି କ୍ଷୟକ୍ଷତି ଆକଳନ ଚାଲିଥିବା ବେଳେ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଆସନ୍ତାକାଲି ସନ୍ଧ୍ୟାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ପ୍ରଭାବିତ ଅଂଚଳର ଜିଲ୍ଲା ପ୍ରଶାସନ, ବିଡିଓ, ତହସିଲଦାରମାନଙ୍କ ସହ ରାଜସ୍ୱ ମନ୍ତ୍ରୀ ବୈଠକରେ ଆଲୋଚନା କରିବେ । ବନ୍ୟାର ପ୍ରକୋପ ହ୍ରାସ, ବିଭିନ୍ନ ସ୍ଥାନରେ ସୃଷ୍ଟ ଘାଈର ମରାମତି, ନଦୀଶଯ୍ୟା ସଫା ଏବଂ ଗଭୀର କରିବା ଆଦି ସମ୍ପର୍କରେ ଆଲୋଚନା କରାଯିବ ।

ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଗଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ବିଭିନ୍ନ ପ୍ରଭାବିତ ଜିଲ୍ଲାମାନଙ୍କୁ ଗସ୍ତ କରି କ୍ଷେତ୍ରସ୍ତରରେ ବନ୍ୟା ପରିଚାଳନା ଏବଂ କ୍ଷୟକ୍ଷତି ଆକଳନ ସମ୍ପର୍କରେ ତଦାରଖ କରି ରିପୋର୍ଟ ପ୍ରଦାନ କରିଛନ୍ତି। ତଦନୁସାରେ ଆବଶ୍ୟକ କ୍ଷତିପୂରଣ ପ୍ରଦାନ ତ୍ୱରାନିତ କରାଯିବାକୁ ନିଷ୍ପତି ହୋଇଛି ।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ପାଣିପାଗ ଏବଂ ଜଳବାୟୁ ପରିବର୍ତନକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ଭିତିଭୂମି ସୁଦୃଢ଼ କରିବା ନିମନ୍ତେ ରାଜ୍ୟସରକାର ଉଦ୍ୟମରତ ଅଛନ୍ତି । ବର୍ତମାନ ପ୍ରାୟ ୫୭୩ କିମିର ଉପକୂଳ ଅଂଚଳରେ ୧୨୨ଟି ଟାୱାର୍ ଅବସ୍ଥାପିତ ଥିବା ବେଳେ ତାହାର ଆଧୁନିକୀକରଣ ସହ ପ୍ରତ୍ୟେକ ଟାୱାରରେ ୩୬୦ ଡିଗ୍ରୀ କ୍ୟାମେରା ଲଗାଯିବାକୁ ନିଷ୍ପତି ହୋଇଛି । ସାଟେଲାଇଟ୍ ଟେଲି କମ୍ୟୁନିକେସନ୍ ସିଷ୍ଟମ୍ ଦ୍ୱାରା ଏହି ସବୁ ଟାୱାର ଗୁଡ଼ିକର ସାମର୍ଥ୍ୟ ବୃଦ୍ଧି ସହ ସମସ୍ତ ୩୧୪ଟି ବ୍ଲକରେ ଆଧୁନିକ ବ୍ୟବସ୍ଥା ସହ ମୁଖ୍ୟ କେଂଟ୍ରାଲ ରୁମରୁ ଆଗାମୀ ଦିନରେ ଉଚ୍ଚଗତିଶୀଳ ବ୍ୟବସ୍ଥା ସ୍ଥାପନ କରି ସୂଚନା ଆଦାନପ୍ରଦାନ ଆହୁରି ସୁଦୃଢ଼ କରିବା ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ପଦକ୍ଷେପମାନ ହାତକୁ ନିଆଯାଇଛି। ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଗୋଆ ଏବଂ କେରଳ ରାଜ୍ୟ ଗସ୍ତ କରି ସେଠାକାର ପୂର୍ବ ସୂଚନା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଅବଗତ ହୋଇଛନ୍ତି ।

ସେହିପରି ସମ୍ବଲପୁରଠାରେ ଡପଲର୍ ରାଡାର୍ ଏହା ମଧ୍ୟରେ କ୍ରିୟାଶୀଳ ହୋଇଥିବା ବେଳେ ଖୁବ୍ ଶୀଘ୍ର ବାଲେଶ୍ୱର ଏବଂ ଭୁବନେଶ୍ୱରର ରାଡାର୍ କାର୍ଯ୍ୟକ୍ଷମ କରାଯିବ । ଗୋପାଳପୁର ଏବଂ ପାରାଦୀପଠାରେ ମଧ୍ଯ ପୂର୍ବରୁ ଥିବା ରାଡାରର ଆବଶ୍ୟକ ମରାମତି ମଧ୍ୟ କରାଯାଉଛି । ପୁରୀରେ ମଧ୍ୟ ନୂତନ ରାଡାର ସ୍ଥାପନ କରାଯିବା ନିମନ୍ତେ ନିଷ୍ପତି ହୋଇଛି । ମନ୍ତ୍ରୀ କହିଛନ୍ତି, ଏ ସମସ୍ତ ଡପଲର୍ ରାଡାର୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ପାଣିପାଗ ପୂର୍ବାନୁମାନ ଆହୁରି ଶାଣିତ ଏବଂ ନିର୍ଭୁଲ୍ ହେବ। ରାଜ୍ୟର ବିପର୍ଯ୍ୟୟ ମୁକାବିଲା ଭିତିଭୂମିକୁ ଏହା ଆହୁରି ସୁଦୃଢ଼ କରିବ। ଏଥିସହିତ ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ସମୀକ୍ଷା କରାଯାଇ ଆଗାମୀ ଦିନରେ ଜଳଭଣ୍ଡାର ମାନଙ୍କରେ ଜଳ ସଂରକ୍ଷଣ, ବିଭିନ୍ନ ନଦୀର ଜଳ ଆବଂଟନ ଏବଂ ଜଳ ନିଷ୍କାସନ ବ୍ୟବସ୍ଥାର ସୁପରିଚାଳନା କରାଯିବାକୁ ନିଷ୍ପତି ହୋଇଛି ।

ସେହିପରି ବଜ୍ରପାତ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ମନ୍ତ୍ରୀ କହିଥିଲେ ଯେ, ବଜ୍ରପାତ ମୃତ୍ୟୁକୁ ରୋକିବା ନିମନ୍ତେ ଜଙ୍ଗଲ ବିଭାଗକୁ ସମସ୍ତ ଚାଷଜମିରେ ତାଳଗଛ ଲଗାଇବା ନିମନ୍ତେ ୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଲଗାଣ ବର୍ଷାରେ ସହରାଂଚଳ ଜଳବନ୍ଦୀ ସମସ୍ୟା ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇବା ନିମନ୍ତେ ଆଲୋଚନା ଚାଲିଛି। ଭୁବନେଶ୍ୱର ମହାନଗର ନିଗମ ଆଇଆଇଟି ରୁର୍କୀ ସହ ଏଥିନିମନ୍ତେ ଅନୁବନ୍ଧିତ ହୋଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande