
ଭୁବନେଶ୍ୱର, ୦୬ ଅଗଷ୍ଟ (ହି.ସ) - ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୁରୁବାର ଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଧୀନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।
ଏହି ଅବସରରେ ଝାଡ଼ାବାନ୍ତି, ମ୍ୟାଲେରିଆ ଏବଂ ଅନ୍ୟ ସଂକ୍ରାମକ ରୋଗ, ଔଷଧର ଉପଲବ୍ଧତା ଓ ସ୍ୱାସ୍ଥ୍ୟସେବା ପରିଚାଳନାର ସମୀକ୍ଷା କରିବା ସହ ସ୍ୱାସ୍ଥ୍ୟସେବାରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବନ୍ୟା ପରବର୍ତୀ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଦିଗରେ ଆଲୋଚନା କରିଥିଲେ। ବନ୍ୟା ସମୟରେ ହସ୍ପିଟାଲକୁ ଆସିଥିବା ୬୦ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪୭ ଜଣ ସୁସ୍ଥ ପ୍ରସବ ପରେ ନିରାପଦରେ ନିଜ ନିଜ ଘରକୁ ଫେରିଛନ୍ତି। ଏହାସହ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଆଂଟି-ସ୍ନେକ୍ ଭେନମ୍ ଏବଂ ଆବଶ୍ୟକୀୟ ଅନ୍ୟ ଔଷଧ ମହଜୁଦ ରହିଛି ବୋଲି ସୂଚନା ମିଳିଛି।
ସ୍ୱାସ୍ଥ୍ୟ ବିଭାଗ ଓ ଜନସାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ୍ୟା ପରବର୍ତୀ ସ୍ୱାସ୍ଥ୍ୟ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ପ୍ରଭାବିତ ଅଂଚଳଗୁଡ଼ିକରେ ନଳକୂପଗୁଡ଼ିକୁ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରାଯିବା ସହ ଜନସାଧାରଣଙ୍କୁ ହାଲୋଜେନ୍ ଟାବଲେଟ୍ ବଂଟନ କରାଯାଉଛି। ଏଭଳି ପରିସ୍ଥିତିରେ ଅକ୍ଲାନ୍ତ ପରିଶ୍ରମ ଓ ନିରନ୍ତର ସେବା ଯୋଗାଇ ଦେଉଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଦିଦି,ଅଙ୍ଗନବାଡ଼ି କର୍ମୀ ଏବଂ ଯାଜପୁର ଜିଲ୍ଲା ପ୍ରଶାସନକୁ ସେ ଧନ୍ୟବାଦ ଜଣାଇଥିଲେ।
ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅବସରରେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା