
ଖୋର୍ଦ୍ଧା, ୦୬ ଅଗଷ୍ଟ(ହି.ସ.) – ନବୋଦୟ ବିଦ୍ୟାଳୟ ସମିତି, ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟର ତତ୍ୱାବଧାନରେ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ଗୁରୁଜଙ୍ଗ, ଖୋର୍ଦ୍ଧା ଠାରେ ଗୁରୁବାର ଆଂଚଳିକସ୍ତରୀୟ ବକ୍ସିଂ ଚୟନ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ଏହି ପ୍ରତିଯୋଗିତା ୫ ଓ ୬ ଅଗଷ୍ଟ ଦୁଇଦିନ ଧରି ଅନୁଷ୍ଠିତ ହେବ। ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ୧୬ଟି ଜବାହର ନବୋଦୟ ବିଦ୍ୟାଳୟରୁ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗୀ ଏବଂ ୨୦ ଜଣ ଏସ୍କର୍ଟ ଶିକ୍ଷକ ଏହି ବକ୍ସିଂ ମିଟ୍ରେ ଯୋଗଦେଇଛନ୍ତି। ବାଳକ ଓ ବାଳିକା ବିଭାଗର ବିଭିନ୍ନ ଓଜନ ଶ୍ରେଣୀରେ ପ୍ରତିଯୋଗିତା ଆୟୋଜିତ ହେଉଥିବାବେଳେ ଖେଳାଳିମାନେ ଉଚ୍ଚମାନର କ୍ରୀଡ଼ାନୈପୁଣ୍ୟ, ଶୃଙ୍ଖଳା ଓ କ୍ରୀଡ଼ାସୁଳଭ ମନୋଭାବର ପରିଚୟ ଦେଇଛନ୍ତି। ପ୍ରତିଯୋଗିତାଟି ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ଗୁରୁଜଙ୍ଗର ଭାରପ୍ରାପ୍ତ ଅଧ୍ୟକ୍ଷ ନୃସିଂହ ଚରଣ ଚକ୍ରଙ୍କ ଉପସ୍ଥିତିରେ ଆୟୋଜିତ ହୋଇଛି। ଉଦ୍ଘାଟନୀ ଅବସରରେ ସେ କହିଥିଲେ ଯେ, ନବୋଦୟ ବିଦ୍ୟାଳୟ ସମିତି ସର୍ବଦା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶକୁ ପ୍ରାଧାନ୍ୟ ଦେଇଆସୁଛି ଏବଂ କ୍ରୀଡ଼ା କ୍ଷେତ୍ରରେ ଏପରି ଆଂଚଳିକ ପ୍ରତିଯୋଗିତାମାନେ ଜାତୀୟ ସ୍ତରର ପ୍ରତିଭା ସୃଷ୍ଟିରେ ସହାୟକ ହେବ।
ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଖେଳାଳିମାନେ ରିଙ୍ଗ୍ରେ ନିଜର କୌଶଳ, ଶାରୀରିକ ସାମର୍ଥ୍ୟ ଓ ମାନସିକ ଦୃଢ଼ତାର ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ। ଆୟୋଜନର ସୁଚାରୁ ପରିଚାଳନା ପାଇଁ ବିଦ୍ୟାଳୟର କ୍ରୀଡ଼ା ବିଭାଗ, ଶିକ୍ଷକମଣ୍ଡଳୀ ଓ କର୍ମଚାରୀମାନେ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଆଂଚଳିକସ୍ତରୀୟ ଚୟନ ପ୍ରତିଯୋଗିତାରୁ ଚୟନିତ ଖେଳାଳିମାନେ ଆଗାମୀ ଜାତୀୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହା ନବୋଦୟ ବିଦ୍ୟାଳୟମାନଙ୍କ ମଧ୍ୟରେ କ୍ରୀଡ଼ା ସଂସ୍କୃତିର ପ୍ରସାର ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟ ଏକତା ଓ ପାରସ୍ପରିକ ସହଯୋଗର ଭାବନାକୁ ଆହୁରି ସୁଦୃଢ଼ କରିବ ବୋଲି କ୍ରୀଡ଼ାମହଲରେ ମତପ୍ରକାଶ ପାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ