
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ଆଜି ହେଉଛି ବିଶ୍ୱ
ଫାର୍ମାସିଷ୍ଟ ଦିବସ । ଏହି ଅବସରରେ ସମସ୍ତ ଫାର୍ମାସିଷ୍ଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ।
ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଶ୍ୱ ଫାର୍ମାସିଷ୍ଟ
ଦିବସ ଅବସରରେ ସମସ୍ତ ଫାର୍ମାସିଷ୍ଟଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଫାର୍ମାସିଷ୍ଟମାନେ
ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ। ଲୋକମାନଙ୍କ ନିକଟରେ ଗୁଣାତ୍ମକ
ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ପରଦା ପଛରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ସେମାନେ
ଅନେକ ସମୟରେ ଅନାଲୋଚିତ ନାୟକ। ସେମାନଙ୍କର ନିଷ୍ଠା ଓ ସେବା ସ୍ୱାସ୍ଥ୍ୟସେବା ପ୍ରଦାନ
ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ଏହି ଅବସରରେ, ସର୍ବୋଚ୍ଚ
ମାନର ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ମାନଦଣ୍ଡକୁ ବଜାୟ ରଖିବା ସହ କରୁଣା, ପ୍ରତିବଦ୍ଧତା
ଓ ନିଷ୍ଠାର ସହ ଲୋକଙ୍କ ସେବା ଜାରି ରଖିବାକୁ ସମସ୍ତ ଫାର୍ମାସିଷ୍ଟଙ୍କୁ ଆହ୍ୱାନ ଜଣାଉଛି।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ, ସୁରକ୍ଷିତ, ସୁଲଭ ଓ
ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ଅଗ୍ରଗତିରେ ଫାର୍ମାସିଷ୍ଟମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ
ସ୍ୱୀକାର କରିବା। ସେମାନଙ୍କର ଦକ୍ଷତା, ସଠିକତା ଓ ନିଷ୍ଠା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ପ୍ରତ୍ୟେକ କଡ଼ିକୁ
ସୁଦୃଢ଼ କରିବା ସହ ସୁସ୍ଥ ସମାଜ ଗଠନରେ ଅର୍ଥପୂର୍ଣ୍ଣ ଯୋଗଦାନ କରୁଛି।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ, ଆମ
ଫାର୍ମାସି ସମୁଦାୟର ଗଭୀର ନିଷ୍ଠା ଓ ସମର୍ପଣକୁ ସମ୍ମାନର ସହ ସ୍ୱୀକାର କରୁଛୁ। ଆପଣମାନଙ୍କର
ସଠିକତା, ସମ୍ବେଦନଶୀଳତା
ଓ ନିରନ୍ତର ସତର୍କ ଉପସ୍ଥିତି ନିଶ୍ଚିତ କରୁଛି ଯେ ସ୍ୱାସ୍ଥ୍ୟ ଓ ଆରୋଗ୍ୟର ସେବା ପ୍ରତ୍ୟେକ
ଘରଦ୍ୱାରରେ ପହଞ୍ଚିପାରୁଛି। ଆପଣମାନଙ୍କର ନିଷ୍ଠା ଓ ସମର୍ପଣ ଆଗାମୀ ପିଢ଼ି ପରେ ପିଢ଼ି ସୁସ୍ଥ
ସମାଜ ଗଠନରେ ଲୋକଙ୍କୁ ସଶକ୍ତ କରି ଚାଲୁ, ଏହି କାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା