
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ରାଜ୍ୟରେ
ମାଧ୍ୟମିକ ସ୍ତରରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଛି। ଗତ ବର୍ଷ ୧୫ ପ୍ରତିଶତ ଥିବା ହାର ଚଳିତ
ବର୍ଷ ୧୪.୧ ପ୍ରତିଶତକୁ ଖସିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ସାଗର ଚରଣ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ
କହିଛନ୍ତି ଯେ ୨୦୨୩-୨୪ ରେ ଡ୍ରପ୍ ଆଉଟ୍ ହାର ୧୨.୮୦ ପ୍ରତିଶତ ଥିଲା, ୨୦୨୪-୨୫ ରେ ତାହା ୧୫ ପ୍ରତିଶତକୁ ବୃଦ୍ଧି
ପାଇଥିଲା। ହେଲେ ୟୁଡିଆଇଏସଇ ପ୍ଲସର ନୂଆ ତଥ୍ୟ ଅନୁଯାୟୀ ୨୦୨୫-୨୬ ରେ ଏହା ୧୪.୧ ପ୍ରତିଶତକୁ
ଖସିଛି, ଯାହା କମୁଥିବା ଟ୍ରେଣ୍ଡକୁ ଦର୍ଶାଉଛି। ସେହିପରି ରାଜ୍ୟରେ
ଆଉଟ୍ ଅଫ୍ ସ୍କୁଲ୍ ପିଲାଙ୍କ ସଂଖ୍ୟା ହ୍ରାସ ପାଉଥିବା ମନ୍ତ୍ରୀ ତଥ୍ୟ ଦେଇଛନ୍ତି। ଓଡିଶା
ଶିକ୍ଷା ସର୍ଭେକ୍ଷଣରେ ୨,୧୬,୧୩୧ ଜଣ ପିଲା
ସ୍କୁଲ ବାହାରେ ଥିବା ଚିହ୍ନଟ ହୋଇଥିବା ବେଳେ ୭୯,୯୯୬ ଜଣଙ୍କୁ ପୁଣି
ସ୍କୁଲକୁ ଫେରାଇ ଅଣାଯାଇଛି। ତେବେ ଆହୁରି ୧
ଲକ୍ଷ ୩୬ ହଜାର ୧୩୫ ଜଣ ପିଲା ସ୍କୁଲ ବାହାରେ ଅଛନ୍ତି ବୋଲି ମନ୍ତ୍ରୀ ତଥ୍ୟ ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା