
ଭୁବନେଶ୍ୱର, ୨୫ ସେପ୍ଟେମ୍ବର (ହି.ସ) ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ
ମଧ୍ୟ ଶୁକ୍ରବାର ବିରୋଧୀ ବିଧାୟକଙ୍କ ହଙ୍ଗାମା ଓ ନାରାବାଜି ଯୋଗୁଁ ଗୃହର ପ୍ରଥମାର୍ଦ୍ଧ
ବାଧାପ୍ରାପ୍ତ ହୋଇଛି। ଏମ୍ଏମ୍ଡିଆର୍ ଆଇନକୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ଦର୍ଶାଇ ଏହାକୁ
ପ୍ରତ୍ୟାହାର ଦାବିରେ ବିଜେଡି ଓ କଂଗ୍ରେସର ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି
ପ୍ରତିବାଦ କରିଥିଲେ। ହଙ୍ଗାମା ଯୋଗୁଁ ପ୍ରଶ୍ନକାଳ, ଶୂନ୍ୟକାଳ ସମେତ
ଗୃହର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଥିଲା। ଗତିରୋଧ ଜାରି ରହିବାରୁ ବିଧାନସଭାର
ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମାତ୍ର ୪ ମିନିଟ୍ ପରେ ଗୃହକାର୍ଯ୍ୟକୁ ଅପରାହ୍ନ ୪ଟା
ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ନିର୍ଦ୍ଧାରିତ କାର୍ଯ୍ୟକ୍ରମ
ଅନୁସାରେ, ସକାଳ ୧୦ଟା ୩୦ ମିନିଟ୍ରେ ଗୃହ କାର୍ଯ୍ୟ ଆରମ୍ଭ
ହୋଇଥିଲା। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପ୍ରଶ୍ନକାଳ ଆରମ୍ଭ କରିବାର ପ୍ରକ୍ରିୟା ଆଗକୁ
ବଢ଼ାଇଥିଲେ। ଏହି ସମୟରେ ବିରୋଧୀ ବିଧାୟକମାନେ ଏମ୍ଏମ୍ଡିଆର୍ ଆଇନକୁ ନେଇ ନାରାବାଜି ଆରମ୍ଭ
କରିଥିଲେ। ଏହାପରେ ବିରୋଧୀ ସଦସ୍ୟମାନେ ନିଜ ଆସନରୁ ଉଠି ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ।
ସେମାନଙ୍କ ହାତରେ ପ୍ଲାକାର୍ଡ ଥିଲା, ଯେଉଁଥିରେ ସରକାର ଓ ଏମ୍ଏମ୍ଡିଆର୍
ଆଇନ ବିରୋଧୀ ନାରା ଲେଖାଯାଇଥିଲା।
ହଙ୍ଗାମା ମଧ୍ୟରେ
ଉପବାଚସ୍ପତି ତେଲକୋଇ ବିଧାୟକ ଡ. ଫକୀର ମୋହନ ନାୟକଙ୍କ ଓପନ୍ ସ୍କୁଲ୍ ସମ୍ପର୍କିତ ପ୍ରଶ୍ନର
ଉତ୍ତର ଦେବା ପାଇଁ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଆମନ୍ତ୍ରଣ କରିଥିଲେ। ଗୃହରେ
ହୋହଲ୍ଲା ସତ୍ତ୍ୱେ ମନ୍ତ୍ରୀ ପ୍ରଶ୍ନର ଉତ୍ତର ଦେଇଥିଲେ।
ଉପବାଚସ୍ପତି ଭବାନୀ ଶଙ୍କର
ଭୋଇ ହଙ୍ଗାମା କରୁଥିବା ବିରୋଧୀ ବିଧାୟକମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହର କାର୍ଯ୍ୟବିଧି
ସୁଚାରୁ ରୂପେ ଚଳାଇବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ
ନାରାବାଜି ଜାରି ରଖିଥିଲେ ଏବଂ ଗୃହର ପରିବେଶ ଲଗାତାର କୋଳାହଳପୂର୍ଣ୍ଣ ରହିଥିଲା।
ଏହାପରେ ଉପବାଚସ୍ପତି ଶିଳ୍ପ
ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ଏକ ପ୍ରଶ୍ନର ଉତ୍ତର ଦେବାକୁ ଆମନ୍ତ୍ରଣ କରିଥିଲେ। ସେ ହଙ୍ଗାମା
ମଧ୍ୟରେ ଉତ୍ତର ଦେବା ଆରମ୍ଭ କରିଥିଲେ, କିନ୍ତୁ
ବିରୋଧୀ ସଦସ୍ୟମାନଙ୍କ ପ୍ରତିବାଦ ଜାରି ରହିଥିଲା। ପରିସ୍ଥିତି ସ୍ୱାଭାବିକ ନହେବାରୁ
ଉପବାଚସ୍ପତି ଗୃହର କାର୍ଯ୍ୟବିଧିକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ, ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଆରମ୍ଭ
ହୋଇଥିଲା। ଅଧିବେଶନର ପ୍ରଥମ ଦିନରେ ମଧ୍ୟ ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାର ଏବଂ
ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ବିରୋଧୀ ବିଧାୟକମାନେ ଜୋରଦାର ହଙ୍ଗାମା
କରିଥିଲେ। ଦିବଙ୍ଗତ ବିଧାୟକମାନଙ୍କ ଏବଂ ନେପାଳରେ ହୋଇଥିବା ବନ୍ୟାକୁ ନେଇ ଶୋକ ପ୍ରସ୍ତାବ
ପାରିତ ହେବା ପରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ ଆରମ୍ଭ କରିଥିଲେ। ହଙ୍ଗାମା ଯୋଗୁଁ ପ୍ରଥମ
ଦିନରେ ମଧ୍ୟ ଗୃହର କାର୍ଯ୍ୟବିଧି ପ୍ରଭାବିତ ହୋଇଥିଲା। ବୁଧବାର ଓ ଗୁରୁବାର ମଧ୍ୟ ସମାନ
ପରିସ୍ଥିତି ଦେଖାଦେଇଥିଲା। ଏହି କାରଣରୁ ଦ୍ୱିତୀୟ ଓ ତୃତୀୟ ଦିନରେ ମଧ୍ୟ କୌଣସି କାର୍ଯ୍ୟବିଧି
ହୋଇପାରିନଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା