୧୫ଟି ଷ୍ଟ୍ରିଟ୍ ଲାଇଟ୍, ଦୁଇ ବର୍ଷ ଧରି ଗୋଟିଏ ବି ଜଳୁନି
15 Streetlights, Not a Single One Has Worked for Two Years”
୧୫ଟି ଷ୍ଟ୍ରିଟ୍ ଲାଇଟ୍, ଦୁଇ ବର୍ଷ ଧରି ଗୋଟିଏ ବି ଜଳୁନି


ଝାରସୁଗୁଡ଼ା, 29 ସେପ୍ଟେମ୍ବର (ହି.ସ.) ରାଜପୁର ରେଳ ଓଭର ବ୍ରିଜରେ ବଢୁଛି ଦୁର୍ଘଟଣା ଆଶଙ୍କା, ଅନ୍ଧାରରେ ଯାତାୟାତ କରୁଛନ୍ତି ୪ ପଞ୍ଚାୟତବାସୀ ।

ଦିନ ଗଡ଼ୁଛି, କିନ୍ତୁ ରାଜପୁର ରେଳ ଓଭରବ୍ରିଜ୍ର ସମସ୍ୟା ଦୂର ହେଉନାହିଁ। ଦୁଇ ବର୍ଷ ଧରି ବ୍ରିଜ୍ ଉପରେ ଲାଗିଥିବା ୧୫ଟି ଷ୍ଟ୍ରିଟ୍ ଲାଇଟ୍ ମଧ୍ୟରୁ ଗୋଟିଏ ବି ଜଳୁନାହିଁ। ଫଳରେ ସନ୍ଧ୍ୟା ହେଲେ ସମ୍ପୂର୍ଣ୍ଣ ବ୍ରିଜ୍ଟି ଅନ୍ଧାରରେ ଡୁବିଯାଉଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁରକ୍ଷା ନେଇ ଚିନ୍ତା ବଢ଼ିବା ସହ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।

ଝାରସୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ରାଜପୁର ଫୁଟବଲ୍ ପଡ଼ିଆ ନିକଟରେ ଥିବା ଏହି ରେଳ ଓଭରବ୍ରିଜ୍ ୪୯ ନମ୍ବର ଜାତୀୟ ରାଜପଥର ଗାନ୍ଧୀଛକରୁ ରାଜପୁର ଦେଇ ସୁନ୍ଦରଗଡ଼କୁ ସଂଯୋଗ କରୁଥିବା ରାସ୍ତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ରାସ୍ତା ଦେଇ ପ୍ରତିଦିନ ୪ଟି ପଞ୍ଚାୟତର ଲୋକେ ଯାତାୟାତ କରୁଥିବା ବେଳେ ସୁନ୍ଦରଗଡ଼ ଏନ୍ଟିପିସି ଅଭିମୁଖେ ବହୁ ଭାରୀଯାନ ମଧ୍ୟ ଚଳାଚଳ କରିଥାଏ।

ବ୍ରିଜ୍ଟି ବାଳିଜୁରିରୁ ସୁନ୍ଦରଗଡ଼ ଜିଲ୍ଲାର ଗୋପାଳପୁର-ସବଡେଗା ଅଭିମୁଖେ ଯାଇଥିବା ରେଳଲାଇନ୍ ଉପରେ ନିର୍ମିତ ହୋଇଥିବାରୁ ଏହାର ଗୁରୁତ୍ୱ ଅଧିକ। ରେଳଲାଇନ୍ଟି ଚକ୍ରଧରପୁର ଡିଭିଜନ ଅଧୀନରେ ଥିବାରୁ ବ୍ରିଜ୍ର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ରେଳବାଇର ସମ୍ପୃକ୍ତ ବିଭାଗର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସୁରକ୍ଷିତ ଯାତାୟାତ ପାଇଁ ବହୁ ଦାବି ପରେ ରେଳବାଇ ପକ୍ଷରୁ ବ୍ରିଜ୍ ଉପରେ ୧୫ଟି ଖୁଣ୍ଟ ପୋତି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା। ମାତ୍ର ଲାଇଟ୍ ଲାଗିବାର କିଛି ସମୟ ପରେ ଏଗୁଡ଼ିକ ଅଚଳ ହୋଇପଡ଼ିଥିବା ଏବଂ ପ୍ରାୟ ଦୁଇ ବର୍ଷ ଧରି ମରାମତି ହୋଇନଥିବା ଅଭିଯୋଗ ହୋଇଛି।

ଅନ୍ଧାର ଯୋଗୁଁ ରାତି ସମୟରେ ଦୁଇଚକିଆ ଯାନ ଚାଳକ, ପଥଚାରୀ ଓ ଭାରୀଯାନ ଚାଳକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ମଧ୍ୟ ଏହି ବ୍ରିଜ୍ ଉପରେ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ରାତିର ଅନ୍ଧାର ଯାତାୟାତକୁ ଆହୁରି ବିପଜ୍ଜନକ କରୁଛି।

ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସରପଞ୍ଚ ସରସ୍ବତୀ ନାଏକ ଓ ପୂର୍ବତନ ସମିତି ସଭ୍ୟ ଗଣେଶ ବାଗଙ୍କ କହିବାନୁସାରେ, ଏ ନେଇ ଅନେକଥର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହା ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଚଳ ହୋଇଥିବା ସମସ୍ତ ଷ୍ଟ୍ରିଟ୍ ଲାଇଟ୍କୁ ତୁରନ୍ତ ମରାମତି କରିବା ସହ ନିୟମିତ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande