
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଉଚ୍ଚଶିକ୍ଷା କ୍ଷେତ୍ରରେ ଉଦ୍ୟମିତା, ନବସୃଜନ ଓ ଷ୍ଟାର୍ଟ-ଅପ୍ ସଂସ୍କୃତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଫ୍ୟାକଲ୍ଟି ମେଂଟର ଡେଭଲପମେଂଟ ପ୍ରୋଗ୍ରାମ ଆୟୋଜିତ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରୁ ମନୋନୀତ ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ। ଅହମଦାବାଦସ୍ଥିତ ଏଂଟରପ୍ରେନ୍ୟୁରସିପ୍ ଡେଭଲପମେଂଟ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଡ. ସ୍ୱପ୍ନା ସରିତା ମହାପାତ୍ର ଓଡ଼ିଶା ସରକାରଙ୍କ ପକ୍ଷରୁ ମନୋନୀତ ହୋଇ ଅଂଶଗ୍ରହଣ କରି ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ପ୍ରଶିକ୍ଷଣ ପରେ ମନୋନୀତ ଫ୍ୟାକଲ୍ଟି ସଦସ୍ୟମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ନୋଡାଲ ଅଫିସର ଭାବେ କାର୍ଯ୍ୟ କରି ଛାତ୍ରଛାତ୍ରୀଙ୍କୁ ଉଦ୍ୟମିତା, ନବସୃଜନ ଓ ଷ୍ଟାର୍ଟ-ଅପ୍ ଦିଗରେ ପ୍ରୋତ୍ସାହିତ କରିବେ ବୋଲି ଜଣାଯାଇଛି। ବର୍ତମାନ ସମୟ ଉଦ୍ୟମିତା ଓ ବ୍ୟବସାୟିକ ନବସୃଜନର ସମୟ। ପ୍ରଶିକ୍ଷଣରୁ ଅର୍ଜିତ ଜ୍ଞାନ ଓ ଦକ୍ଷତାକୁ ଶିକ୍ଷାନୁଷ୍ଠାନରେ ପ୍ରୟୋଗ କରି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସକୁ ଏକ ଇନକ୍ୟୁବେଟର ଭାବେ ବିକଶିତ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଷ୍ଟାର୍ଟ-ଅପ୍ ଓ ଉଦ୍ୟମିତାର ମନୋଭାବ ସୃଷ୍ଟି କରାଯିବ ବୋଲି ଡ. ସ୍ୱପ୍ନା ସରିତା ମହାପାତ୍ର ପ୍ରକାଶ କରିଛନ୍ତି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତ ରଞ୍ଜନ ସାହୁ ଡ. ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ମହାବିଦ୍ୟାଳୟରେ ଉଦ୍ୟମିତା ଓ ନବସୃଜନର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ