



ସମ୍ବଲପୁର, ୨୯, ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ରେ଼ାଖୋଲ ବ୍ଲକ ଅନ୍ତର୍ଗତ ବଡ଼ନୂଆପଡ଼ା ଗ୍ରାମରେ ମୌଳିକ ସୁବିଧାର ଅଭାବ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମରେ ମୋବାଇଲ ନେଟୱାର୍କ ସୁବିଧା ନଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ଭଲ ରାସ୍ତାଟିଏ ମଧ୍ୟ ନାହିଁ । ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ସ୍ଥାନୀୟ ଲୋକ ପ୍ରତିନିଧି ଓ ବ୍ଲକ୍ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ମିଳିତ ଗ୍ରାମବାସୀମାନେ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବଡ଼ ନୂଆପଡ଼ାରେ ଉପଯୁକ୍ତ ମୋବାଇଲ ନେଟୱାର୍କ ନଥିବାରୁ ଲୋକେ ପରିବାର ସଦସ୍ୟ ଓ ଜରୁରୀ ସେବା ସହ ଯୋଗାଯୋଗ କରିବାରେ ଅସୁବିଧା ଭୋଗୁଛନ୍ତି। ସେହିପରି ଗ୍ରାମରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ବିଶେଷକରି ବର୍ଷାଦିନେ ଯାତାୟାତରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ