
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହର ଅନ୍ତର୍ଗତ ଠାକୁର ଅନନ୍ତ ନାରାୟଣ ମାର୍ଗ, ନରିପୁର (ଅସ୍ତଳ) ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ‘ଅନନ୍ତ ବ୍ରତ’ ଉପଲକ୍ଷେ ପ୍ରସିଦ୍ଧ ଠାକୁର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ ପ୍ରତିକୂଳ ପାଗ ସତ୍ୱେ ବିଭିନ୍ନ କାର୍ଯ୍ୟକ୍ରମ ୫ ଦିନ ଧରି ମହାସମାରୋହରେ ଆଜି ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି । ଏହି ଉତ୍ସବ ସାର୍ବଜନୀନ ଓ ଗଣପର୍ବ ରୂପ ନେଇ ଶହେ ବର୍ଷରୁ ଉର୍ଦ୍ଧ୍ୱଧରି ଭକ୍ତି ଓ ନିଷ୍ଠାର ସହ ପାରମ୍ପରିକ ରୀତିରେ ପୁରଷାନୁ କ୍ରମେ ପାଳିତ ହୋଇ ଆସୁଅଛି । ସାଳନ୍ଦୀ ନଦୀରେ କଳସ ବୁଡ଼ା ଯାଇ ଜଳ ଅଣାଯିବା ପରେ ଘଟ, ପୂଜା,ପାଠ, ହୋମ ଓ ପୂଜାର୍ଚ୍ଚନା ଆଦି ପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥିଲା । ବାଙ୍ଗାଲୋର ଓ କୋଲକାତାରୁ ଆସିଥିବା କାରୀଗରଙ୍କ ଦ୍ୱାରା ବିଭିନ୍ନ କିସମର ସୁବାସିତ ପୁଷ୍ପମାଲ୍ୟରେ ବିଗ୍ରହଙ୍କୁ ସୁସଜ୍ଜିତ କରାଯାଇ ମନ୍ଦିରର ଶୋଭାବର୍ଦ୍ଧନ କରାଯାଇଥିଲା । ମହାପ୍ରଭୁଙ୍କ ‘ଅନନ୍ତ ଶୟନ’ଦୃଶ୍ୟ ଚିତ୍ତାକର୍ଷକ ହୋଇଥିବାରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂଜାରେ ପଣ୍ଡିତ ଅମର ପଣ୍ଡା, ପଣ୍ଡିତ ଗୋବର୍ଦ୍ଧନ ମିଶ୍ର, ପଣ୍ଡିତ ସ୍ନେହାଶିଷ ପଣ୍ଡା, ଚିତରଞ୍ଜନ ପଣ୍ଡା ପୂଜାପାଠ କରିଥିଲେ । ଏଠାକୁ ବିଭିନ୍ନ ଅଂଚଳରୁ ଆସିଥିବା ବ୍ରତଧାରୀ ମହିଳାମାନେ ଉପବାସ କରି ମନ୍ଦିରରେ ପ୍ରଭୁଙ୍କ ନାଗ ଓ ବ୍ରତପୂଜା କରିଥିଲେ । ଏହା ଏକ ସାର୍ବଜନୀନ ଗଣପର୍ବର ରୂପ ନେଇଥିବାରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ । ମନ୍ଦିର ପ୍ରତିଷ୍ଠାତା ରାଜ୍ୟଗୋପବନ୍ଧୁ ପୁରସ୍କାରପ୍ରାପ୍ତ ସମାଜସେବୀ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ନାୟକ ଓ ସହଧର୍ମିଣୀ ୰ ହରିପ୍ରିୟା ନାୟକ ମୁଖ୍ୟ ସେବିକା ଭାବେ ଦୀର୍ଘ ବର୍ଷ ଧରି ପ୍ର୍ରଭୁଙ୍କୁ ପୂଜା କରି ଆସୁଥିଲେ । ପରେ ଜ୍ୟେଷ୍ଠପୁତ୍ର ଅମର ନାୟକ ମୁଖ୍ୟ ପୂଜାକର୍ତା ଭାବେ ପୂଜା କରିଆସୁଥିବାବେଳେ ତାଙ୍କ ଦେହାନ୍ତ ପରେ ଏହି ପୂଜା ପାଳନ କରାଯାଉଛି। ପ୍ରଭୁ ଅନନ୍ତଙ୍କ ନିକଟରେ ଯିଏ ଯାହା ମାନସିକ କରେ ସେମାନଙ୍କର ମନକାମନା ପୂର୍ଣ୍ଣ ହୋଇଯାଏ ବୋଲି ବିଶ୍ୱାସ ରହିଥିବା କିମ୍ବଦନ୍ତୀ ରହିଛି । ସନ୍ଧ୍ୟାରେ ପୂଜା ମଣ୍ଡପ ସମ୍ମୁଖରେ ଭଦ୍ରକ ଗ୍ରାମାଂଚଳ ଥାନା ଜଳଙ୍ଗା କୁଆପଦାର ମା ବାଲ୍ୟମଙ୍ଗଳା ଭଜନ ମଣ୍ଡଳୀର ଗାୟକ ସୁବାସ ମଣ୍ଡଳ, ଦୀପ୍ତିମୟୀ ମଣ୍ଡଳ, ଅକ୍ଷୟ ଜେନା, କୃଷ୍ଣଚନ୍ଦ୍ର ରାଉତ, କରୁଣାକର ମଣ୍ଡଳ, ଦୀପକ ବେହେରା, ବୀର ସେନ୍ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ପୂଜା ଉତ୍ସବରେ ବରିଷ୍ଠ ଡାକ୍ତର ଆର୍.କେ.ନାୟକ, ବିଶିଷ୍ଟ ସମାଜସେବୀ କିଶୋର ମହାପାତ୍ର, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ବିଧାୟକ ପ୍ରତିନିଧି ଶେଖର ମହାପାତ୍ର, ସିଡିଏମ୍ଓ ସୁଧି ରଞ୍ଜନ ନାୟକ, ସରକାରୀ ବରିଷ୍ଠ ଅଧିବକ୍ତା ନିତ୍ୟାନନ୍ଦ ନାୟକ, ଭଦ୍ରକ ଓକିଲ ସଂଘର ସଭାପତି ଅରୁଣ ଚାନ୍ଦ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, କାଉନସିଲର ଜ୍ୟୋର୍ତିମୟୀ ପଟ୍ଟନାୟକ, ଗୀତାଞ୍ଜଳି ଦାସ, ପୂର୍ବତନ କାଉନସିଲର ଗଜେନ୍ଦ୍ର ପଣ୍ଡା, ଶରତ ପଢିଆରୀ, ଯୁବ ସମାଜସେବୀ ସୂର୍ଯ୍ୟକୁମାର ଦାସ, ମୋହରିର ସଂଘ ସଭାପତି ଉମାକାନ୍ତ ସାହୁ, ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ଗାନ୍ଧୀ ବିଚାର ମଂଚ ସଭାପତି ଶାନ୍ତନୁ ରାଉତ, ସମ୍ପାଦକ ସୁଧାକର ରାଉତ, ରୋଟାରିଆନ୍ ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ, ଅତିସ ବେହେରା, ସମାଜସେବୀ ସ୍ୱାଧିନ ସୁନ୍ଦର ଦାସ, ଶିକ୍ଷାବିତ୍ ତ୍ରିଲୋଚନ ନାୟକ, ବାଦଲ ମହାପାତ୍ର, ରବିନ୍ଦ୍ର ଦାଶ, ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଆବାହକ ଶରତ କୁମାର ସାହୁଙ୍କ ସମେତ ଜିଲ୍ଲା ପ୍ରଶାସନ ଅଧିକାରୀ, ଆଇନଜୀବୀ, ସାମ୍ବାଦିକ, ଡାକ୍ତର, ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତା, ପୋଲିସ ପ୍ରଶାସନ ଅଧିକାରୀ, ଗ୍ରାମବାସୀଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ଚରିତ ମହିମା, କିମ୍ବଦନ୍ତୀ ଉପରେ ଆଲୋଚନା କରି ପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ। ସୂଚନାଥାଉକି, ଶହେବର୍ଷରୁ ଉର୍ଦ୍ଧ୍ୱ ଧରି ଧର୍ମୀୟ ପରମ୍ପରାକୁ ନେଇ ଅନନ୍ତ ନାଗ ବ୍ରତ ପୂଜା ଉତ୍ସବ ପାଳନ ହୋଇ ଆସୁଥିବା ବେଳେ ୧୯୭୯ ମସିହାରେ ସ୍ୱପ୍ନାଦେଶ ହେବାରୁ ତିହିଡ଼ି ଥାନା ପାଳିଆ ନୂଆନନ୍ଦ ସାନହାଟୁଆରୀ ଗ୍ରାମର ମୂର୍ତି କାରିଗର ବାବାଜୀ ପୃଷ୍ଟି ଅନନ୍ତ ଶଯ୍ୟା ବିଶିଷ୍ଟ ବିଗ୍ରହ ନିର୍ମାଣ କରି ପବିତ୍ର ଅକ୍ଷୟ ତୃତୀୟାରେ ମନ୍ଦିର ପ୍ରତିଷ୍ଠା ହୋଇ ଅଦ୍ୟାବଧି ଭକ୍ତି ନିଷ୍ଠାର ସହ ନରିପୁର ଅସ୍ତଳ ଗ୍ରାମରେ ଆଡମ୍ବର ସହକାରେ ଅଦ୍ୟାବଧି ପାଳିତ ହୋଇ ଆସୁଅଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ