
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ରାଜ୍ୟସ୍ତରୀୟ ଆଙ୍ଗନ୍ କା ଉତ୍ସବ' ଏବଂ ୯ମ ରାଷ୍ଟ୍ରୀୟ ପୋଷଣ ମାସ' ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ତୃଣମୂଳ ସ୍ତରରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା ଆମର ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ଆଶା ଭଉଣୀମାନଙ୍କୁ ସମ୍ମାନିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉତ୍ସବରେ ଉପସ୍ଥିତ କୁନି କୁନି ଶିଶୁମାନଙ୍କ ସହ ସ୍ନେହଭରା ଭାବବିନିମୟ କରିବା ସହ ସେମାନଙ୍କ ସୃଜନଶୀଳତା ଓ ଉତ୍ସାହକୁ ପ୍ରଶଂସା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୋଷଣ ଅଭିଯାନରେ ଆଧାର ଯାଂଚ କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିବା ଆମ କର୍ମଯୋଗୀ ଭଉଣୀମାନଙ୍କ ନିଷ୍ଠାର ପ୍ରମାଣ। ଶିଶୁର ଜୀବନରେ ପ୍ରଥମ ୧୦୦୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ; ଏହି ସମୟରେ ପୋଷଣ ଓ ଯତ୍ନ କେବଳ ମାଆ ନୁହେଁ, ବାପା ତଥା ପରିବାରର ସମସ୍ତ ସଦସ୍ୟଙ୍କ ମିଳିତ ସହଭାଗିତାରେ ହିଁ ସୁନିଶ୍ଚିତ ହୋଇପାରିବ।
ଆଜିର ଡିଜିଟାଲ୍ ଯୁଗରେ ପିଲାମାନଙ୍କୁ ମୋବାଇଲ୍ ସ୍କ୍ରିନ୍ ଠାରୁ ଦୂରେଇ ଜେଜେବାପା-ଜେଜେମାଙ୍କ ସ୍ନେହଭରା କାହାଣୀ, ଖେଳକୁଦ, ପୁସ୍ତକ ପଠନ ତଥା ସୁଷମ ତ୍ରିରଙ୍ଗା ଥାଳି'ର ଆହାର ସହ ଯୋଡ଼ିବା ଆମ ସମସ୍ତଙ୍କ ନୈତିକ କର୍ତବ୍ୟ। ପୋଷଣ ଭି ପଢ଼ାଇ ଭି' ଓ ସୁଖଦ ଲାଳନ ପାଳନ' ମାଧ୍ୟମରେ ପ୍ରତିଟି ଶିଶୁର ସର୍ବାଙ୍ଗୀନ ବିକାଶ ଆମର ପ୍ରାଥମିକତା। ଆସନ୍ତୁ, ସମସ୍ତେ ମିଳିମିଶି ପ୍ରତିଟି ଶିଶୁକୁ ସୁପୋଷିତ କରି ଏକ ସୁସ୍ଥ, ସୁରକ୍ଷିତ ତଥା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା