
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗର ଅଧିନରେ ଥିବା ଯାନ୍ତ୍ରିକ ବିଭାଗ(ମେକାନିକାଲ ଡିଭିଜନ) ର୨ଟି ସବ ଡିଭିଜନ ଅଫିସ। ଗୋଟିଏ ସବ ଡିଭିଜିନ ଅଫିସ ଖୋର୍ଧା ଜିଲ୍ଲା ବାଲୁଗାଁରେ ଅବସ୍ଥିତ ହୋଇଥିବା ବେଳେ ଅନ୍ୟ ଗୋଟିଏ ସବ ଡିଭିଜିନ ଅଫିସ ଚାନ୍ଦବାଲି ନାବିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅବସ୍ଥିତ। ଏହି ବିଭାଗ ନିଜର ପାରଦର୍ଶିତା ଦେଖାଇବା ପାଇଁ ପ୍ରଥମେ ୧୫କୋଟି ଟଙ୍କାର ଭୁପେନ ହଜାରିକା ନାମକ ବାର୍ଜ ଟି କେନ୍ଦ୍ର ସରକାରଙ୍କ ପାଖରୁ ଆଣିଥିଲା । ନିଜର ଅପରିଣାମ ଦର୍ଶିତା ପାଇଁ ଭୂପେନ ହଜାରିକା ବାର୍ଜଟି ଲୁଣା ପାଣିରେ କଳଙ୍କି ଲାଗିବା ପରେ ଆଜି ଭଳି ଦିନରେ ଧାମରା ଚନ୍ଦନୀପାଳ ଠାରେ ରଙ୍ଗ ବୋଳା ଚାଲିଛି। ଏହି ବାର୍ଜ ପାଇଁ ବାଣିଜ୍ୟ ବିଭାଗ ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କ ତହବିଲରୁ ପାଣି ଭଳି ଖର୍ଚ କରି ଚାଲିଥିବା ବେଳେ ବାଣିଜ୍ୟ ବିଭାଗର ଅଧିକାରୀ ମାଲେମାଲେ ହୋଇ ପଡିଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୋଗର ସମାଧାନ ହୋଇ ପାରି ନଥିବା ବେଳେ ପୁନଶ୍ଚ ବାଣିଜ୍ୟ ବିଭାଗ ୫କୋଟି ଟଙ୍କା ମୁଲ୍ୟର ଏକ ବାର୍ଜ (ଭଦ୍ରାୟନୀ) ଆଣି ଚାନ୍ଦବାଲି ରେ ଦୀର୍ଘ ୪ମାସ ହେବ ପଡି ପଡି ନଷ୍ଟ ହେବାରେ ଲାଗିଛି। ପ୍ରାପ୍ତ ଖବର ଅନୁଯାଇ ୨୦୨୬ ମସିହା ଜୁନ ମାସରେ ଏହି ବାର୍ଜଟି ଚାନ୍ଦବାଲିରେ ପହଂଚିବା ପରେ ଅଂଚଳବାସୀ ଙ୍କ ସହ ବାଣିଜ୍ୟ ବିଭାଗ ବହୁ ସ୍ୱପ୍ନ ଦେଖିଥିଲେ। ସରକାରଙ୍କ ବାଣିଜ୍ୟ ବିଭାଗ ସହ ପର୍ଯ୍ୟଟନ ବିଭାଗ ରୁ ଏହି ବାର୍ଜ ସାହାଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ଆୟ ହେବ ବୋଲି ଦିବା ସ୍ୱପ୍ନ ଦେଖିଥିବା ବେଳେ ଏହି ସ୍ୱପ୍ନ ସମସ୍ତ ଭଣ୍ଡୁର ହୋଇ ଯାଇ ବର୍ତମାନ ସାହାରା ଖୋଜୁଛି ଭଦ୍ରାୟନୀ ।ବହୁ ସଂଖ୍ୟାରେ ଆସୁଥିବା ପର୍ଯ୍ୟଟକ ଏହି ଭଦ୍ରାୟନୀ ବାର୍ଜ ସାହାଯ୍ୟରେ ଭିତରକନିକା, ଗହିରମଥା, ସାତଭାୟା, ଧାମରା, ଚନ୍ଦନୀପାଳ,କନିକା ବାଲି ଦ୍ୱୀପ ,କଲାମ ଦ୍ୱୀପ ଆଦି ସ୍ଥାନ ମାନଙ୍କୁ ଯାଇ ପରିଭ୍ରମଣ କରିବାର ସୁଯୋଗ ପାଇବେ ବୋଲି ମାତ୍ର ବାଣିଜ୍ୟ ବିଭାଗ ର ଅପରିଣାମ ଦର୍ଶିତା ପାଇଁ ଆଜି ତାହା ଦିବା ସ୍ୱପ୍ନ ପାଲଟିଛି। ପ୍ରଥମତଃ ଏହି ବାର୍ଜ ଲାଗିବା ପାଇଁ କୌଣସି ଠାରେ ଜେଟୀ ଠିକ ହୋଇ ପାରିଲା ନାହିଁ। ଦ୍ୱିତୀୟରେ କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ ଥିବା ସମସ୍ତ ଲଂଚ ଘାଟ ପୋତି ହୋଇ ପଡୁଥିବା ବେଳେ ଏହି ଘାଟ ଗୁଡିକ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି କୌଣସି ସମୟରେ ଖନନ ପାଇଁ ବାଣିଜ୍ୟ ବିଭାଗ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ଥାବ ଆଗତ କରି ପାରି ନାହାନ୍ତି। ଫଳରେ ଆଜି ପର୍ଯ୍ୟନ୍ତ ଏହି ଦୁଇ ଜିଲ୍ଲାରେ ଥିବା କୌଣସି ଲଂଚ ଘାଟରେ ଏହି ଭଦ୍ରାୟନୀ ବାର୍ଜ ଟି ଲାଗି ପାରିବା ସମ୍ଭବ ହୋଇ ପାରିଲା ନାହିଁ। ପରେ ବାଣିଜ୍ୟ ବିଭାଗର ଅଧିକାରୀ ଙ୍କୁ ଅଂଚଳବାସୀଙ୍କ ତରଫରୁ ପ୍ରସ୍ଥାବ ଦିଆ ଯାଇଥିଲା ଏହି ବାର୍ଜ କୁ ଚଳାଇବା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଏହାକୁ ଚାନ୍ଦବାଲି ନିକଟସ୍ଥ କସ୍ତୁରୀକଣ ଠାରୁ ନଳିତାପାଟିଆ ପର୍ଯ୍ୟନ୍ତ ଦୈନିକ ଚଳାଇବା ପାଇଁ ଅଂଚଳବାସୀ ଦାବୀ କରିଥିଲେ ମାତ୍ର ବାଣିଜ୍ୟ ବିଭାଗ ସମସ୍ତ ଲଂଚ ଘାଟ ଗୁଡିକ ପୋତି ହୋଇ ପଡିଥିବାରୁ ଏହା ମଧ୍ୟ ସମ୍ଭବ ହୋଇ ପାରିଲା ନାହିଁ । ଫଳରେ ଦୀର୍ଘ ୪ ମାସ ହେବ ଭଦ୍ରାୟନୀ ଆଜି ପର୍ଯ୍ୟନ୍ତ ଚାନ୍ଦବାଲି ଠାରେ ନିଜର ସ୍ଥାୟୀ ଠିକଣା ଖୋଜୁଛି। ଅନ୍ୟ ପକ୍ଷରେ ଏହି ବାର୍ଜ ଟି ରହି ରହି ଦିନକୁ ଦିନ ରକ୍ଷଣାବେକ୍ଷଣ ମାଗୁଥିବା ବେଳେ କେତେଦିନ ଏହାକୁ ବାଣିଜ୍ୟ ବିଭାଗ ପକାଇ ରଖି କଳଙ୍କି ଲଗାଇ ନଷ୍ଟ କରିବ । ତାହା ଚର୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହି ବିଷୟରେ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ପଚାରିଲେ ସେ ଏହି ବିଷୟରେ କୌଣସି ମତାମତ ଦେବାକୁ ରାଜି ନୁହନ୍ତି। ସେହିପରି ବାଣିଜ୍ୟ ବିଭାଗର ମେକାନିକାଲ ଡିଭିଜନର ଏସଡିଓ ଶ୍ରଦ୍ଧାଞଳି ସାହୁ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ। ଚାନ୍ଦବାଲି ଠାରେ ଥିବା ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟରଞନ ପତ୍ରି ନିଜ ପ୍ରତିକ୍ରିୟାରେ କୁହନ୍ତି ଏହାକୁ ସରକାର ସରକାର ବେସରକାରୀ ଭାଗିଦାରୀ ରେ ଚଳାଇବାକୁ ସ୍ଥିର କରିଛନ୍ତି ତେଣୁ ସରକାରଙ୍କ ନିକଟରେ ଏହି ବାର୍ଜ ର ସମସ୍ତ ଦସ୍ତାବିଜ ଦାଖଲ କରିଛୁ, ସରକାରଙ୍କ ଠାରୁ ନିଷ୍ପତି କୁ ଅପେକ୍ଷା କରିଛୁ। ମାତ୍ର ଏହି ଉକ୍ତିକୁ ଖଣ୍ଡନ କରିଛନ୍ତି ଅଂଚଳବାସୀ। ଚନ୍ଦ୍ରଶେଖର ଜେନାଙ୍କ ମତାନୁଯାଇ ଏହି ବାର୍ଜ ଆଣିବା ସମୟରେ ବାଣିଜ୍ୟ ବିଭାଗ ର ଅଧିକାରୀ ସରକାରଙ୍କୁ ଏହି ବାର୍ଜ କେଉଁ ରୁଟରେ ଚାଲିବ ଏବଂ ଏହାର ସମସ୍ତ ପ୍ରସ୍ଥାବ ସରକାରଙ୍କୁ ଦେବା ପରେ ସରକାର ଏହି ପ୍ରସ୍ଥାବ କୁ ସ୍ୱୀକୃତି ଦେଇଥିଲେ, ମାତ୍ର ବାଣିଜ୍ୟ ବିଭାଗର ଅପରିଣାମ ଦର୍ଶୀ ଅଧିକାରୀଙ୍କ ସୁଚିନ୍ତିତ ଧାରା ନ ଥିବାରୁ କୋଟି କୋଟି ଟଙ୍କାର ଭଦ୍ରାୟନୀ ଆଜି ମଧ୍ୟ ଖତ ଖାଉଛି। ବିଗତ ଦିନରେ ଆଣିଥିବା ୧୫କୋଟି ଟଙ୍କାର ଭୁପେନ ହଜାରିକା ବାର୍ଜ କଳଙ୍କି ଲାଗି ନଷ୍ଟ ହୋଇ ଯାଇଥିବା ବେଳେ ଆଜି ମଧ୍ୟ ବାଣିଜ୍ୟ ବିଭାଗର ଅପରିମାଣ ଦର୍ଶିତା ପାଇଁ ପୁନଶ୍ଚ ୫କୋଟି ଟଙ୍କାର ଭଦ୍ରାୟନୀ ବାର୍ଜଟି ଖୋଜୁଛି ନିଜର ସ୍ଥାୟୀ ଠିକଣା। ଏବଂ ବାଣିଜ୍ୟ ବିଭାଗର ନିର୍ଦେଶକ ମଧ୍ୟ ଜାଣିଶୁଣି ଏହି ଅନିୟମିତତାକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ