
ଚମ୍ପୁଆ, ୨୯ ସେପ୍ଟେମ୍ବର (ହି.ସ.) - ଆଜି ସ୍ଥାନୀୟ ଯୁବକଯୁବତୀ ଓ ଆଗ୍ରହୀ ଉଦ୍ୟମୀମାନଙ୍କୁ ସ୍ୱାବଲମ୍ବୀ ଏବଂ ଆର୍ôଥକ ଭାବେ ସଶକ୍ତ କରିବା ଲକ୍ଷ୍ୟରେ ଚମ୍ପୁଆ ବ୍ଲକ ସ୍ତରରେ ଏକ ଦିବସୀୟ ‘ଡିଏମଏଫ୍ ଉଦ୍ୟମୀ ପ୍ରକଳ୍ପ’ ସେନ୍ସିଟାଇଜେସନ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା ର କାର୍ଯ୍ୟକାରିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଣି ପ୍ରଭାବିତ ଅଂଚଳର ବେକାର ଯୁବକଯୁବତୀ, ତୃଣମୂଳ ସ୍ତରର ଉଦ୍ୟୋଗୀ ଏବଂ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କିପରି ସ୍ଥାୟୀ ରୋଜଗାରକ୍ଷମ କରାଯାଇପାରିବ, ସେନେଇ ବ୍ଲକ ସ୍ତରୀୟ ଲାଇନ୍ ବିଭାଗର ଅଧିକାରୀମାନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି। ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କର୍ମଶାଳାରେ ଚମ୍ପୁଆ ବ୍ଲକ ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେହିପରି ୧୫ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ରମଣୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟମୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇ.ଡି.ଆଇ.ଆଇ ର ପ୍ରକଳ୍ପ ମ୍ୟାନେଜର ସଞ୍ଜୟ କୁମାର ସାହୁ, ଏମ.ଆଇ.ଏସ୍ ନୟନଜ୍ୟୋତି ବଘେଲ, ବି.ଭି.ଓ ଡକ୍ଟର ଶିବ ଚରଣ ସିଂ, ଡି.ଆଇ.ସି.ଏ.ଆଇ.ଓ ବଳରାମ ଦାସ, ଏ.ଏଫ.ଓ ଲିପିକା ହେମ୍ବ୍ରମ,ବି.ଓ.ଆଇ ଚମ୍ପୁଆ ମ୍ୟାନେଜର ଲିଙ୍ଗରାଜ ବେହେରା, ବି.ପି.ସି ମିଶନ ଶକ୍ତି ହାଡିବନ୍ଧୁ ସୋରେନ, ଇ.ଡି.ଆଇ.ଆଇ ର ବ୍ଲକ ପ୍ରକଳ୍ପ ଅଧିକାରୀ ଈଶ୍ୱର ଚନ୍ଦ୍ର ମହାନ୍ତ ଏବଂ ଉଦ୍ୟମୀ ମିତ୍ର ଜିତେନ୍ଦ୍ର କୁମାର ପ୍ରଧାନ ଓ ସୁଜିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଯୋଜନା ଓ ସହାୟତା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। କର୍ମଶାଳାରେ ପ୍ରକଳ୍ପ ମ୍ୟାନେଜର ଶ୍ରୀ ସାହୁ ସୂଚନା ଦେଇ କହିଥିଲେ ଯେ, ପାରମ୍ପରିକ ହସ୍ତଶିଳ୍ପ, କୃଷିଭିତିକ ଉଦ୍ୟୋଗ ଏବଂ କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ରୋଜଗାର ଯୋଗାଇଦେବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ହିତାଧିକାରୀମାନଙ୍କୁ ସରକାରୀ ଆର୍ôଥକ ସହାୟତା, ବ୍ୟାଙ୍କ ଋଣ ଏବଂ ଋଣ ଉପରେ ସବ୍ସିଡି ପ୍ରଦାନ କରାଯାଉଛି। ଏଥିସହିତ ଉଦ୍ୟୋଗୀମାନଙ୍କୁ ସଫଳ ବ୍ୟବସାୟିକ ରଣନୀତି, ଉତ୍ପାଦର ଉନ୍ନତ ଗୁଣବତା ଏବଂ ବଜାର ସଂଯୋଗୀକରଣ ସମ୍ପର୍କରେ ବୈଷୟିକ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି ବୋଲି ସେ ମତବ୍ୟକ୍ତ କରିଥିଲେ। ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଉଦ୍ୟମୀମାନଙ୍କ ପାଇଁ ଉପଲବ୍ଧ ସୁବିଧା, ସରକାରୀ ସବ୍ସିଡି ଏବଂ ପ୍ରଶିକ୍ଷଣ ସୁଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କର୍ମଶାଳା ଅଂଚଳର ବେକାର ଯୁବକଯୁବତୀମାନଙ୍କୁ ନୂତନ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଏକ ଦୃଢ଼ ମାର୍ଗ ପ୍ରଦାନ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta