
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକରେ ବନ୍ୟା ସ୍ଥିତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସନ୍ଧ୍ୟା ୫.୦୦ ଟା ସୁଦ୍ଧା ଧାମନଗର ବ୍ଲକ ରେ ସୂଚନା ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଧାମନଗର ବ୍ଲକର ୭ ଟି ପଂଚାୟତର ମୋଟ ୧୭ ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏହାଦ୍ୱାରା ବ୍ଲକ ଅଂଚଳର ମୋଟ ୧୯,୨୦୦ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇ ୧,୩୫୦ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିପନ୍ନ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଆବଶ୍ୟକ ସ୍ଥାନଗୁଡ଼ିକରେ ୫ ଟି ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର ଚାଲୁ ରଖାଯାଇଛି। ଅନ୍ୟପକ୍ଷରେ ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ବେଳେ ଏହାର କୌଣସି ୱାର୍ଡ କିମ୍ବା ଜନସଂଖ୍ୟା ବନ୍ୟା ଦ୍ୱାରା ପ୍ରଭାବିତ ହୋଇନାହାନ୍ତି। ନଦୀର ଜଳସ୍ତର ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ, ଆଖୁଆପଦା ଗେଜ୍ ଷ୍ଟେସନ୍ରେ ସନ୍ଧ୍ୟା ୫.୦୦ ଟା ସୁଦ୍ଧା ଜଳସ୍ତର ୧୭.୩୩ ମିଟର ରେ ସ୍ଥିର ରହିଛି, ଯାହାକି ସତର୍କ ସଙ୍କେତ ୧୭.୮୩ ମିଟର ଓ ବିପଦ ସଙ୍କେତ ୧୮.୩୩ ମିଟର ତଳେ ରହିଛି। ବ୍ଳକ ର ତଳିଆ ଅଂଚଳରେ ୮ ଟି ପଂଚାୟତରେ ବିଦ୍ୟାଳୟ ଛୁଟି କରା ଯାଇଛି। ତେବେ ଏହି ନବମ ବନ୍ୟାରେ ବ୍ଲକ ରେ ଅନେକ ଚାଷ ଜମିରୁ ବନ୍ୟା ଜଳ କମୁନାହିଁ। ସେତେକ ସ୍ଥାନ ରେ ଚାଷ ଜମିରେ ପାଣି କମିଛି ସେଟି ଧାନ ରେ ପଟୁ ଲାଗି ଯାଇଥିବାରୁ ଧାନ ମଧ୍ୟ ନଷ୍ଟ ହେବାକୁ ବସିଛି।ଅନେକ ରାସ୍ତା ବନ୍ୟା ଜଳ ରେ ନଷ୍ଟ ହୋଇ ଥିବାରୁ ଯାତାୟାତ ରେ ବାଧା ପ୍ରାପ୍ତ ହେଉଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ