
ଭୁବନ, ୨୯ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନର ଐତିହାସିକ ଦଶହରା ବଳଦ ଯାତ୍ରା (ଭସାଣି ଯାତ୍ରା)ରେ ଡିଜେ ନ ବାଜିବାକୁ ଦୁର୍ଗାପୂଜା କ୍ରିୟାନୁଷ୍ଠାନ କମିଟି ନିଷ୍ପତି ନେଇଛି। ଭୁବନ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି । ଦୁର୍ଗାପୂଜା କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟକାରୀ ସଭାପତି ସନ୍ଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦୁର୍ଗାପୂଜା, ବଳଦ ଯାତ୍ରା ଓ ଭସାଣି ଯାତ୍ରାକୁ ଅତ୍ୟନ୍ତ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବାକୁ ପ୍ରଥମ ଥର ମା ' ଦୁର୍ଗା ମିଳିତ ପୂଜା କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ମିଳିତ ଭାବେ ମାଟି ଉଠାଣ କାର୍ଯ୍ୟ ହୋଇଛି । ଏହାକୁ ସମଗ୍ର ଭୁବନ ବାସୀ ଉଚ୍ଚ ପ୍ରଶଂସା କରିଥିଲେ। ପୂଜା ପରିଚାଳନା, ସାଜସଜ୍ଜା ସହିତ ଶବ୍ଦ ପ୍ରଦୂଷଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଭସାଣି ଯାତ୍ରା ସନ୍ଧ୍ୟା ୬ଟା ସୁଦ୍ଧା ସମସ୍ତ ୧୩ଟି ଦୂର୍ଗା ଓ ହର ପାର୍ବତୀ ମେଢ଼ ଗୁଜୁରି ହାଟ ଅତିକ୍ରମ କରିବେ । ସର୍ବ ପ୍ରଥମେ ବନ ଦୁର୍ଗା ଓ ସର୍ବ ଶେଷରେ ଗୁଜୁରି ହାଟ ଦେଶ ଦୁର୍ଗା ମେଢ଼ ରହିବେ ଏବଂ ବନ ଦୁର୍ଗା ମେଢ଼ ପଛକୁ କ୍ରମାନ୍ୱୟରେ ଅନ୍ୟ ଦୁର୍ଗା, ହର ପାର୍ବତୀ ମେଢ଼ ରହିବାକୁ ନିଷ୍ପତି ହୋଇଥିଲା । ଗୁଜୁରି ହାଟ ଶୋଭାଯାତ୍ରାର ପ୍ରବେଶ ପଥ ରହିବ । ଭସାଣି ଯାତ୍ରାରେ ଡିଜେ ସମ୍ପୂର୍ଣ ବନ୍ଦ କରିବାକୁ କ୍ରିୟାନୁଷ୍ଠାନ କମିଟି ନିଷ୍ପତି ନେଇଛି। ପାରମ୍ପରିକ ବାଦ୍ୟ ଯନ୍ତ୍ର, ଲୋକ ନୃତ୍ୟ ଓ ସାଂସ୍କୃତିକ ପ୍ରଣାଳୀରେ ଶାନ୍ତି ଶୃଙ୍ଖଳା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଭସାଣି ଯାତ୍ରା ସମ୍ପନ୍ନ କରିବାକୁ ନିଷ୍ପତି ନେଇ ସମୟ ଓ ରୁଟ୍ ଚାର୍ଟ ପାଇଁ ଦଶହରା ଶାନ୍ତି କମିଟି ସଭାପତି କାମାକ୍ଷା ନଗର ଉପ ଜିଲ୍ଲାପାଳ ବିକାଶ କୁମାର ମହାନ୍ତିଙ୍କୁ ଭେଟି ଆଲୋଚନା କରିବା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଦଶହରା ପ୍ରସ୍ତୁତି ବୈଠକରେ ଶାନ୍ତି କମିଟି ସଦସ୍ୟ ଏବଂ ବଳଦିଆ କମିଟି ସଦସ୍ୟଙ୍କ ସହ ଏ ସମ୍ପର୍କରେ ଚୂଡ଼ାନ୍ତ ଆଲୋଚନା କରାଯିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଆବାହକ ଲକ୍ଷ୍ମୀଧର ସାହୁଙ୍କ ସମେତ ନରେଶ ଚନ୍ଦ୍ର ମିଶ୍ର, ଗିରିଶ ମହାରଣା, ରବୀନ୍ଦ୍ର ନାୟକ, ବିଳାସ ସାମଲ, ସରୋଜ କୁମାର ସାହୁ, ଦେବ ପ୍ରସାଦ ସେନ, ସୁଶାନ୍ତ ବେହେରାଙ୍କ ସମେତ ବିଭିନ୍ନ ପୂଜା କମିଟି ସଭାପତି ଓ ସମ୍ପାଦକ ମାନେ ଯୋଗଦେଇଥିଲେ। ଶେଷରେ କ୍ରିୟାନୁଷ୍ଠାନ କମିଟି ସମ୍ପାଦକ ଧୀରେନ୍ଦ୍ର କୁମାର ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ