
ବଲାଙ୍ଗିର, 29 ସେପ୍ଟେମ୍ବର ( ହି.ସ.)
ବଲାଙ୍ଗିର ଜିଲ୍ଲାର ସ୍ୱାସ୍ଥ୍ୟସେବା ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ସମ୍ପର୍କିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି ବଲାଙ୍ଗିର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂହଦେଓ। ତାଙ୍କ ପ୍ରଶ୍ନର ଉତ୍ତରରେ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନୁମୋଦିତ ଅର୍ଥ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମି ସମ୍ପର୍କରେ ତଥ୍ୟ ରଖିଛନ୍ତି ।
ସ୍ୱାସ୍ଥ୍ୟସେବା ପାଇଁ ₹୪.୩୭ କୋଟିରୁ ଅଧିକ
୨୮ ସେପ୍ଟେମ୍ବର ୨୦୨୬ର ଅଣତାରକା ପ୍ରଶ୍ନ ନଂ–୧୬୩୨ରେ କଳିକେଶ ନାରାୟଣ ସିଂହଦେଓ ୨୦୨୬–୨୭ ବର୍ଷରେ ବଲାଙ୍ଗିର ଜିଲ୍ଲାରେ ଔଷଧ, ଉପଯୋଗୀ ସାମଗ୍ରୀ ଓ ଚିକିତ୍ସା ଉପକରଣ କ୍ରୟ ପାଇଁ ନିରାମୟ, NHM ଓ ରାଜ୍ୟ ବଜେଟ୍ରୁ ଅର୍ଥ ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ କରିଥିଲେ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉତ୍ତର ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ପାଇଁ NHM, PM-ABHIM ଓ XV-FC ଅଧୀନରେ ମୋଟ ₹୪,୩୭,୪୧,୨୫୭ ଅନୁମୋଦନ କରାଯାଇଛି। ତେବେ ନିରାମୟ ଯୋଜନାର ଅର୍ଥ ଜିଲ୍ଲାୱାରୀ ନୁହେଁ, ସମଗ୍ର ରାଜ୍ୟ ପାଇଁ ଅନୁମୋଦିତ ହୋଇଥିବା ମନ୍ତ୍ରୀ କହିଛନ୍ତି ।
ସରକାରଙ୍କ ଉତ୍ତରରେ ଆହୁରି କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଏବଂ CHC/PHCଗୁଡ଼ିକରେ ଆବଶ୍ୟକୀୟ ଔଷଧ, ଚିକିତ୍ସା ଉପକରଣ କିମ୍ବା ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଅଭାବ ସମ୍ପର୍କରେ କୌଣସି ରିପୋର୍ଟ ମିଳିନାହିଁ। OSMCL ପକ୍ଷରୁ ଔଷଧ ଯୋଗାଣରେ ବ୍ୟତିକ୍ରମ ହେଲେ, ଅନୁମୋଦିତ ଟେଣ୍ଡର ଦରରେ ସ୍ଥାନୀୟ ଭାବେ ଔଷଧ କ୍ରୟ କରାଯାଉଥିବା ଏବଂ ଷ୍ଟକ୍ର ସମୟୋଚିତ ପୁନଃପୂରଣ ପାଇଁ ପଦକ୍ଷେପ ନିଆଯାଉଥିବା ଉତ୍ତରରେ ଦର୍ଶାଯାଇଛି ।
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ମାଷ୍ଟର ପ୍ଲାନ୍ ନଥିବା ସୂଚନା
ସେହିପରି ୨୫ ସେପ୍ଟେମ୍ବର ୨୦୨୬ର UD AQ ନଂ–୧୩୭୮ ମାଧ୍ୟମରେ କଳିକେଶ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସମ୍ପୂର୍ଣ୍ଣ କ୍ୟାମ୍ପସ ପାଇଁ ଆବଶ୍ୟକ ଜମି, ଏପର୍ଯ୍ୟନ୍ତ ଉପଲବ୍ଧ ଜମି ଏବଂ ଭବିଷ୍ୟତ ଜମି ବ୍ୟବସ୍ଥା ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଠାରୁ ତଥ୍ୟ ମାଗିଥିଲେ ।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉତ୍ତର ଅନୁଯାୟୀ, ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ୨୦୨୦ ମସିହାରେ ବିଶ୍ୱବିଦ୍ୟାଳୟ ଭାବେ ଉନ୍ନୀତ କରାଯାଇଥିଲା । ଉନ୍ନୀତ ସମୟରେ କୌଣସି ମାଷ୍ଟର ପ୍ଲାନ୍ କିମ୍ବା ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ ହୋଇନଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି ।
ବର୍ତ୍ତମାନ ୫୦.୪୩୭ ଏକର ଜମି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିର ନାମରେ ରେକର୍ଡଭୁକ୍ତ ଥିବା ଜଣାପଡ଼ିଛି । ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଆଧାରରେ ଭିତ୍ତିଭୂମି ବିକାଶ ପାଇଁ ଆଗାମୀ ଆବଶ୍ୟକ ପଦକ୍ଷେପ ଉଚ୍ଚଶିକ୍ଷା ବିଭାଗ ନେବ ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି ।
ବଲାଙ୍ଗିରର ସ୍ୱାସ୍ଥ୍ୟସେବା ଓ ଉଚ୍ଚଶିକ୍ଷାର ଭିତ୍ତିଭୂମି ସମ୍ପର୍କିତ ଏହି ଦୁଇ ପ୍ରଶ୍ନ ମାଧ୍ୟମରେ ଜିଲ୍ଲାର ଆବଶ୍ୟକତା ଓ ବିକାଶ ସମ୍ପର୍କିତ ବିଷୟ ବିଧାନସଭାର ରେକର୍ଡରେ ସ୍ଥାନ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ