

ଖୋର୍ଦ୍ଧା, ୨୯ ସେପ୍ଟେମ୍ବର (ହି.ସ.) - ଜିଲାସ୍ତରୀୟ କ୍ରୀଡ଼ା ପ୍ରତଯୋଗିତାରେ ଯୋଗ ଦେବାକୁ ଆସି ପୋଖରୀରେ ବୁଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ ଚାଲିଗଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ । ମୃତ ଛାତ୍ର ଜଣକ ହେଲେ ବାଲିପାଟଣା ଆଦର୍ଶ ବିଦ୍ୟାଳୟର ଛାତ୍ର ଅର୍ଣ୍ଣବ ସାହୁ। ସୂଚନା ମୁତାବକ, ଛାତ୍ର ଅର୍ଣ୍ଣବ ସାହୁ ଅନ୍ୟମାନଙ୍କ ସହ ଜିଲାସ୍ତରୀୟ ଖେଳ ପ୍ରତିଯୋଗିତାରେ ସାମିଲ ହେବାକୁ ଆସିଥିଲେ । ଆଜି ସକାଳ ସମୟରେ ସେ ପୋଖରୀରେ ଗାଧୋଇବା ସମୟରେ ହଠାତ୍ ତାଙ୍କ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଶିକ୍ଷକଙ୍କ ଅବହେଳା ନେଇ ଅଭିଯୋଗ ଉଠିଛି। ଘଟଣାର ସଠିକ୍ କାରଣ ଓ କାହାର ଅବହେଳା ଥିଲା, ସେନେଇ ତଦନ୍ତ ଦାବି ହୋଇଛି । ଛାତ୍ରଙ୍କ ମୃତଦେହ ଖୋର୍ଦ୍ଧା ମେଡିକାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଛାତ୍ରଙ୍କ ଅକାଳ ମୃତ୍ୟୁରେ ବାଲିପାଟଣା ବାଳିକା ବିଦ୍ୟାଳୟ ଖେଳ ଶିକ୍ଷକ ତଥା ବାଲିପାଟଣା ବ୍ଲକ ଖେଳବିଭାଗ ଇନଚାର୍ଜ ସୁନିଲ ପଣ୍ଡାଙ୍କୁ କାର୍ଯ୍ୟରୁ ନିଳମ୍ବିତ ପାଇଁ ଜିଲା ଶିକ୍ଷା ଅଧିକାରୀ ସୁପାରିଶ କରିଛନ୍ତି। ଏପରିକି ସଂପୃକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଜିଲା କ୍ରୀଡାଧିକାରୀ ଦିଲୀପ ମୋଦିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲା ଶିକ୍ଷାଧିକାରୀ। ଖବର ପାଇ ଘଟଣାସ୍ଥଳରେ ଜିଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ଅତିରିକ୍ତ ଶିକ୍ଷା ଅଧିକାରୀ ପରମିତା ଜେନା, ଜିଲା କ୍ରୀଡ଼ା ଅଧିକାରୀ ଦୀପକ କୁମାର ବୁଦୁଲି, ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀ ମନାଙ୍କି ସାହାନାୟକ, ତହସିଲଦାର ବିଭାସ ପାଣିଗ୍ରାହୀ ପ୍ରମୁଖ ପହଂଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ପୋଲିସ ପ୍ରଶାସନର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଥାନାଧିକାରୀ ନୃସିଂହ ଓ ଖୋର୍ଦ୍ଧା ଥାନାଧିକାରୀ ରମେଶ କୁମାର ଦେବତାଙ୍କ ସମେତ ଅନ୍ୟ ଅଧିକାରୀମାନେ ଲୋକଙ୍କ ସହ ଆଲୋଚନା କରି ପରିସ୍ଥିତି ଶାନ୍ତ କରିବାକୁ ଉଦ୍ୟମ କରୁଛନ୍ତି। ତେବେ ପ୍ରଶାସନ ଓ ପୋଲିସ ପକ୍ଷରୁ ବାରମ୍ବାର ବୁଝାସୁଝା କରାଯାଉଥିଲେ ମଧ୍ୟ ଘଟଣାସ୍ଥଳରେ ଲୋକଙ୍କ ଅସନ୍ତୋଷ ଜାରି ରହିଛି । ସମାଧାନ ଦାବିରେ ସେମାନେ ନିଜ ଜିଦ୍ରେ ଅଟଳ ରହିଥିବା ଜଣାପଡ଼ିଛି ।
ହିନ୍ଦୁସ୍ଥାନ ସମାଚାର / ରାକେଶ