ପ୍ରଗତି ୫୦ରେ ଓଡ଼ିଶାର ଭୁବନେଶ୍ୱର ଓ ପୁରୀ
ସ୍ୱଚ୍ଛତା ଓ ବର୍ଜ୍ୟ ପରିଚାଳନାରେ ମଡେଲ୍ ସହର ଭାବେ ବିକାଶ ପାଇବ ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ସହରାଂଚଳ ସ୍ୱଚ୍ଛତା ଓ ବୈଜ୍ଞାନିକ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ପ୍ରୟାସକୁ ଜାତୀୟ ସ୍ତରରେ ଆଉ ଏକ ସ୍ୱୀକୃତି ମିଳିଛି । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍
ପ୍ରଗତି ୫୦ରେ ଓଡ଼ିଶାର ଭୁବନେଶ୍ୱର ଓ ପୁରୀ


ସ୍ୱଚ୍ଛତା ଓ ବର୍ଜ୍ୟ ପରିଚାଳନାରେ ମଡେଲ୍ ସହର ଭାବେ ବିକାଶ ପାଇବ

ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ସହରାଂଚଳ ସ୍ୱଚ୍ଛତା ଓ ବୈଜ୍ଞାନିକ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ପ୍ରୟାସକୁ ଜାତୀୟ ସ୍ତରରେ ଆଉ ଏକ ସ୍ୱୀକୃତି ମିଳିଛି । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ୍-ଅର୍ବାନ୍ ୨.୦ ଅଧୀନରେ ଆରମ୍ଭ ହୋଇଥିବା ପ୍ରଗତି ୫୦ ପଦକ୍ଷେପ ପାଇଁ ଦେଶର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୫୦ଟି ସହର ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ଓ ପୁରୀକୁ ଚୟନ କରାଯାଇଛି ।

ଚୟନିତ ସହରଗୁଡ଼ିକୁ ‘ମଡେଲ୍ ସାନିଟେସନ୍ ସିଟି’ ଭାବେ ବିକଶିତ କରିବା ପ୍ରଗତି ୫୦ର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଠୋସ ବର୍ଜ୍ୟ ପରିଚାଳନା, ବ୍ୟବହୃତ ଜଳ ପରିଚାଳନା, ସ୍ୱଚ୍ଛତା, ପରିମଳ ଓ ନାଗରିକ ଅଂଶଗ୍ରହଣ ଭଳି କ୍ଷେତ୍ରରେ ଲକ୍ଷ୍ୟଭିତିକ ପଦକ୍ଷେପ ନିଆଯିବ । ନିୟମିତ ତଦାରଖ, ବୈଷୟିକ ମାର୍ଗଦର୍ଶନ ଓ ସୁସଂଗଠିତ ସହଯୋଗ ମାଧ୍ୟମରେ ଚୟନିତ ସହରଗୁଡ଼ିକରେ କାର୍ଯ୍ୟକାରୀ ଓ ସ୍ଥାୟୀ ସ୍ୱଚ୍ଛତା ବ୍ୟବସ୍ଥା ଗଢ଼ି ତୋଳାଯିବ ।

ମଙ୍ଗଳବାର କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ପ୍ରଗତି ୫୦ର ଭର୍ଚୁଆଲ୍ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ଆଲୋଚନା କରିଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ମଧ୍ୟ ଏଥିରେ ଯୋଗଦେଇଥିଲେ ।

ଆଲୋଚନା ସମୟରେ ଡଃ ମହାପାତ୍ର ଓଡ଼ିଶାରେ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଭୁବନେଶ୍ୱର, କଟକ ଓ ପୁରୀରେ କମ୍ପ୍ରେସ୍ଡ ବାୟୋ-ଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ଦିଗରେ କାର୍ଯ୍ୟ ଚାଲିଥିବା ସେ ପ୍ରକାଶ କରିଥିଲେ । ଏଥିସହ ଭୁବନେଶ୍ୱର ଓ କଟକରେ ବର୍ଜ୍ୟରୁ ଚାରକୋଲ୍ ପ୍ରସ୍ତୁତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ।

ପ୍ରଗତି ୫୦କୁ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରଣାଳୟ, ସମ୍ପୃକ୍ତ ସହରାଂଚଳ ସ୍ଥାନୀୟ ସଂସ୍ଥା ଓ ଏସ୍ ବି ଏମ୍- ୟୁ ଟିମ୍ ସହ ସମନ୍ୱୟରେ କାର୍ଯ୍ୟ କରାଯିବ । ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଓ ମାନକ କାର୍ଯ୍ୟ ପଦ୍ଧତି ଅନୁଯାୟୀ ବିଭିନ୍ନ ପଦକ୍ଷେପ ନିଆଯିବ ।

ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥିବାବେଳେ ପୁରୀ ଦେଶର ଏକ ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ସହର । ପ୍ରତିବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଏହି ଦୁଇ ସହରକୁ ଆସୁଥିବାରୁ ସ୍ୱଚ୍ଛତା ଓ ବର୍ଜ୍ୟ ପରିଚାଳନାର ଗୁରୁତ୍ୱ ଆହୁରି ବଢ଼ିଯାଏ । ପ୍ରଗତି ୫୦ ଅଧୀନରେ ଏହି ଦୁଇ ସହରରେ ସ୍ୱଚ୍ଛତା ବ୍ୟବସ୍ଥା, ବର୍ଜ୍ୟ ପରିଚାଳନା ଓ ନାଗରିକ ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରାଯିବ ।

ଗୃହ ଓ ନଗର ଉନ୍ନୟନ ବିଭାଗ, ଭୁବନେଶ୍ୱର ମହାନଗର ନିଗମ, ପୁରୀ ମହାନଗର ନିଗମ ଏବଂ ଏସବିଏମ-ୟୁ ଟିମ୍ ର ସମନ୍ୱୟରେ ନିର୍ଦ୍ଧାରିତ କାର୍ଯ୍ୟଯୋଜନା ଅନୁଯାୟୀ ଲକ୍ଷ୍ୟଭିତିକ ପଦକ୍ଷେପ ନିଆଯିବ । ନିର୍ଦ୍ଧାରିତ ପ୍ରମୁଖ ପ୍ରଦର୍ଶନ ସୂଚକ ଆଧାରରେ କାର୍ଯ୍ୟର ଅଗ୍ରଗତି ନିୟମିତ ଭାବେ ଅନୁଧ୍ୟାନ କରାଯିବ ।

ପ୍ରଗତି ୫୦ ମାଧ୍ୟମରେ ଭୁବନେଶ୍ୱର ଓ ପୁରୀରେ ସ୍ୱଚ୍ଛତା ଓ ବୈଜ୍ଞାନିକ ବର୍ଜ୍ୟ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ସହ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯିବ । ଏହି ଦୁଇ ସହରର ଅନୁଭୂତି ଓ ସଫଳ ପ୍ରଚଳନ ଭବିଷ୍ୟତରେ ଅନ୍ୟ ସହରାଂଚଳ ପାଇଁ ମଧ୍ୟ ଅନୁକରଣୀୟ ହୋଇପାରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande