
ଭଦ୍ରକ, ୨୯ ସେପ୍େଟମ୍ବର (ହି.ସ.) - ଆରଡି ନିକଟସ୍ଥ ଷାଠିବାଙ୍କୁଡା ଗାଁ ନିକଟରେ ବୈତରଣୀ ନଦୀବନ୍ଧର ପ୍ରାୟ ୯କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇ ନଦୀବନ୍ଧର ସୁଦୃଢିକରଣ କରାଯିବା ସହ ପଥର ପ୍ୟାକିଙ୍ଗି କରାଯାଇଥିଲା। ହେଲେ ବୈତରଣୀ ନଦୀର ଆସିଥିବା ଚଳିତ ବନ୍ୟାରେ ନଦୀବନ୍ଧର ବିରାଟକାୟ ଫାଟ ସୃଷ୍ଟି ହେବା ସହ ୩୦ଫୁଟ ଲମ୍ବର ପଥରପ୍ୟାକିଙ୍ଗି ନଦୀବନ୍ଧ ଦବିବାରେ ଲାଗିଛି। ଏପରିକି ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଥିବାରୁ ଘଳିଆ ପଡ଼ି ବନ୍ୟାପାଣି ରାଜରାସ୍ତାରେ ଲହଡ଼ି ମାରୁଛି। ଏପରି ଅସୁରକ୍ଷିତ ନଦୀବନ୍ଧ କୁ ନେଇ ନଦୀକୂଳିଆ ଲୋକଙ୍କ ସହ ୨୪ଟି ଗାଁର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଜଳସମ୍ପଦ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟବରାଦ କରାଯାଇ ନଦୀବନ୍ଧ ସୁଦୃଢିକରଣ କରାଯାଉଥିଲେ ମଧ୍ୟ ସ୍ଥାନୀୟ ଜଳସମ୍ପଦ ବିଭାଗର ଅଧୀକାରୀ ଓ ଠୀକାଦାରଙ୍କର ମିଳିତ ଭାବେ ନିମ୍ନମାନର କାମ କରି କୋଟିକୋଟି ଟଙ୍କା ଚଳୁ କରିବାରୁ ବନ୍ୟା ସମୟରେ ଏପରି ପରିସ୍ଥିତି ଉପୁଜୁଛି ବୋଲି ଲୋକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଜଳସମ୍ପଦ ବିଭାଗର ଧାମନଗର ଏସଡିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୈଣସି ଉତର ମିଳିପାରିନଥିଲା।
-----------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ