
ମାଲକାନଗିରି , ୨୯ ସେପ୍ଟେମ୍ବର (ହି.ସ.) - ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟା ଏବଂ ବାରାଣସୀ ଗସ୍ତ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ତୀର୍ଥଯାତ୍ରୀଙ୍କୁ ବିଦାୟ ଦେବା ସହ ଯାତ୍ରାର ଶୁଭାରମ୍ଭ କରିଥିଲେ।
ଏହି ତୀର୍ଥଯାତ୍ରାରେ ମାଲକାନଗିରି ଜିଲ୍ଲାରୁ ମୋଟ ୭୫ ଜଣ ବରିଷ୍ଠ ନାଗରିକ ସାମିଲ ହୋଇଥିବା ବେଳେ ସେମାନଙ୍କ ସୁବିଧା ତଥା ସୁରକ୍ଷା ପାଇଁ ୨ ଜଣ ସହଯୋଗୀ ଅଧିକାରୀ ମଧ୍ୟ ଯାତ୍ରା କରୁଛନ୍ତି। ଆଜି ସମସ୍ତ ତୀର୍ଥଯାତ୍ରୀ ମାଲକାନଗିରିରୁ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ଏକ ସ୍ୱତନ୍ତ୍ର ରେଳଗାଡ଼ି ଯୋଗେ ସମସ୍ତ ତୀର୍ଥଯାତ୍ରୀ ଅଯୋଧ୍ୟା ଏବଂ ବାରାଣସୀ ଅଭିମୁଖେ ଗସ୍ତ କରିବେ। ବିଶେଷ କରି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ତୀର୍ଥଯାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଯିବା ଆସିବା, ରହିବା, ଖାଇବା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି।
ଉଦ୍ଘାଟନୀ ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା କହିଥିଲେ ବରିଷ୍ଠ ନାଗରିକମାନଙ୍କୁ ପବିତ୍ର ଅଯୋଧ୍ୟା ଓ ବାରାଣସୀ ଭଳି ଧାର୍ମିକ ପୀଠ ଦର୍ଶନର ସୁଯୋଗ ଦେବା ଏକ ମହତ ପଦକ୍ଷେପ। ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଆମର ବୃଦ୍ଧ-ବୃଦ୍ଧାମାନେ ସୁରକ୍ଷିତ ଓ ସୁବିଧାରେ ତୀର୍ଥଯାତ୍ରା କରି ପ୍ରଭୁ ଶ୍ରୀରାମ ଓ ବାବା ବିଶ୍ୱନାଥଙ୍କ ଆଶୀର୍ବାଦ ଲାଭ କରିପାରିବେ।
ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସାରବୁ, ସାଂସଦଙ୍କ ପ୍ରତିନିଧି ସଞ୍ଜୟ ସରକାର, ଚିତ୍ରକୋଣ୍ଡା ବିଧାୟକଙ୍କ ପ୍ରତିନିଧି ଗୋବିନ୍ଦ ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳା ଧରୁଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କହିଥିଲେ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ତୀର୍ଥଯାତ୍ରୀମାନଙ୍କ ଗମନାଗମନ, ରହିବା, ଖାଦ୍ୟପେୟ ଓ ସ୍ୱାସ୍ଥ୍ୟସେବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକମାନଙ୍କ ସେବା ଓ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସଦାସର୍ବଦା ପ୍ରତିବଦ୍ଧ।
ସେହିପରି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କହିଥିଲେ ତୃଣମୂଳ ସ୍ତରରୁ ବରିଷ୍ଠ ନାଗରିକମାନଙ୍କୁ ଚିହ୍ନଟ କରି ଏହି ସ୍ୱତନ୍ତ୍ର ତୀର୍ଥଯାତ୍ରାରେ ସାମିଲ କରାଯାଇଛି। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଯାତ୍ରାକୁ ସୁଗମ ଓ ସୁଚାରୁରୂପେ ପରିଚାଳନା କରାଯାଉଛି।
ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସ୍ୱୟଂ ସିଦ୍ଧ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ଏହି ସମାରୋହରେ ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀଙ୍କ ସମେତ ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ