
କେନ୍ଦୁଝର, ୨୯ ସେପ୍େଟମ୍ବର (ହି.ସ.) - କେନ୍ଦୁଝର ସହରସ୍ଥିତ ଧରଣୀଧର କ୍ରୀଡ଼ା ପରିସର, ଶଙ୍କରପୁରଠାରେ ୭୦ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟସମୂହ ଫୁଟବଲ୍ ପ୍ରତିଯୋଗିତା, କେନ୍ଦୁଝର ଷ୍ଟାଡିୟମ୍ରେ ଭଲିବଲ୍ ଏବଂ କେନ୍ଦୁଝର ଇଣ୍ଡୋର ଷ୍ଟାଡିୟମ୍ରେ ବ୍ୟାଡମିଂଟନ୍ ପ୍ରତିଯୋଗିତା ୨୦୨୬-୨୭ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାର ୧୩ଟି ବ୍ଲକରୁ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ନିଜ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଛନ୍ତି।
ଉଦ୍ଘାଟନୀ ସମାରୋହରେ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଖେଳାଳିମାନେ ନିଜ କ୍ରୀଡ଼ା ପ୍ରତିଭାର ବିକାଶ କରି ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟର ଗୌରବ ବଢ଼ାଇବାକୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ର ସେକ୍ରେଟାରୀ ସଂଗ୍ରାମ ପଟ୍ଟନାୟକ ଯୋଗ ଦେଇ ସମସ୍ତ ଖେଳାଳି ମାନଙ୍କୁ ଉତ୍ସହ ପ୍ରଦାନ କରିଥିଲେ ।
ଏହି ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ ମାଲିକ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତମ ପ୍ରଦର୍ଶନ ପାଇଁ ପ୍ରେରଣା ଦେଇଥିଲେ। କେନ୍ଦୁଝର ଜିଲ୍ଲାର କ୍ରୀଡ଼ା ପ୍ରତିଭାକୁ ଆଗକୁ ନେଇ ରାଜ୍ୟସ୍ତରରେ ଜିଲ୍ଲାର ନାମ ଉଜ୍ଜ୍ୱଳ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ। ଶେଷରେ ଜିଲ୍ଲା କ୍ରୀଡ଼ା ସଚିବ ପ୍ରଦୀପ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
ସମରଜିତ ସିଂହ, ମୌଳିନ୍ଦୁ ମହାନ୍ତ, ଅଭିଷେକ ଦାସ ଓ ସମନ୍ୱୟ ଓଝାଙ୍କ ତତ୍ୱାବଧାନରେ ବ୍ୟାଡମିଂଟନ୍ ପ୍ରତିଯୋଗିତା ସଫଳତାର ସହ ଶେଷ ହୋଇଛି। ଏଥିରେ ଚମ୍ପୁଆ ବ୍ଲକ୍ ଓଭରଅଲ୍ ଚାମ୍ପିଅନ୍ ହୋଇଥିବା ବେଳେ ଆନନ୍ଦପୁର ବ୍ଲକ୍ ରନର୍ସ-ଅପ୍ ହୋଇଛି।
ଶିଶିର ପ୍ରଧାନ, ସୁରେଶ ଭୂୟାଁ, ସୁବ୍ରତ ଲେଙ୍କା, ଲାଲୁ ପ୍ରସାଦ ସେଠି, ଦିଲ୍ଲୀପ ନାୟକ, ମାନସ ମହାନ୍ତ ଓ ଜ୍ୟୋତି ରଞ୍ଜନ ମାଲିକଙ୍କ ତତ୍ୱାବଧାନରେ ଭଲିବଲ୍ ପ୍ରତିଯୋଗିତା ଶେଷ ହୋଇଛି।
ବାଳକ ବିଭାଗରେ ତେଲକୋଇ ବ୍ଲକ୍ ଚାମ୍ପିଅନ୍ ହୋଇଥିବା ବେଳେ ସଦର ବ୍ଲକ୍ ରନର୍ସ-ଅପ୍ ହୋଇଛି। ବାଳିକା ବିଭାଗରେ ବାଂଶପାଳ ବ୍ଲକ୍ ଚାମ୍ପିଅନ୍ ଏବଂ ଜୋଡ଼ା ବ୍ଲକ୍ ରନର୍ସ-ଅପ୍ ହୋଇଛି।
ଉଦ୍ୟାପନୀ ଅବସରରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା କୃତୀ କ୍ରୀଡ଼ାବିତ୍ମାନଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA