
ଝାରସୁଗୁଡ଼ା, ୨୯ ସେପ୍େଟମ୍ବର (ହି.ସ.) : ଜିଲାରେ ଉଚ୍ଚଶିକ୍ଷାର ବିକାଶ, ଆବଶ୍ୟକ ଭିତିଭୂମି ନିର୍ମାଣ ଏବଂ ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦାବିରେ ଜିଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଚାଲିଥିବା ରିଲେ ଅନଶନ ୨୨ ଦିନରେ ପହଂଚିଛି। ଦୀର୍ଘଦିନ ଧରି ଛାତ୍ରମାନେ ରାଜରାସ୍ତାରେ ବସି ନିଜ ଦାବି ଜଣାଉଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାରୀ ସ୍ତରରେ ଆଲୋଚନା ଓ ସମାଧାନ ପାଇଁ ଦୃଶ୍ୟମାନ ପଦକ୍ଷେପ ନ ଆସିବାକୁ ନେଇ ପ୍ରଶ୍ନ ଉଠିଛି।
ଝାରସୁଗୁଡ଼ା ଭଳି ଶିଳ୍ପସମୃଦ୍ଧ ଜିଲାର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ କେଉଁ ସୁବିଧା ରହିଛି, ଆଗାମୀ ଦିନରେ କେଉଁ ନୂତନ ଶିକ୍ଷାନୁଷ୍ଠାନ ଆସିବ ଏବଂ ଜିଲାର ଶିକ୍ଷା ଭିତିଭୂମି ବିକାଶ ନେଇ ସରକାରଙ୍କ ଯୋଜନା କ'ଣ—ଏହି ପ୍ରଶ୍ନଗୁଡ଼ିକ ଏବେ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ପାଲଟିଛି। ଛାତ୍ର ସାମ୍ମୁଖ୍ୟର ଅଭିଯୋଗ, ଦାବିଗୁଡ଼ିକ ଦୀର୍ଘଦିନ ଧରି ଉଠାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ସ୍ପଷ୍ଟ ଆଲୋଚନା ହୋଇନାହିଁ।ଛାତ୍ରଙ୍କ ଦାବିକୁ ସମର୍ଥନ ଜଣାଇ ବିଭିନ୍ନ ବର୍ଗର ବ୍ୟକ୍ତି ଆନ୍ଦୋଳନସ୍ଥଳରେ ପହଂଚୁଛନ୍ତି। ଝାରସୁଗୁଡ଼ା ପୌରପାଳିକାର ଉପନଗରପାଳ ବେଣୁଗୋପାଳ ପାଣିଗ୍ରାହୀ, ସୋଡ଼ାମାଳର ପୂର୍ବତନ ସରପଂଚ ବଳରାମ ପାଣ୍ଡେ, ଆଦିବାସୀ ନେତା ପ୍ରଭାକର ଓରାମ, ଯୁବନେତା ତ୍ରିଲୋଚନ ଡନସନାଙ୍କ ସମେତ ବହୁ ବ୍ୟକ୍ତି ଅନଶନସ୍ଥଳରେ ପହଂଚି ଛାତ୍ରଙ୍କ ଦାବି ପ୍ରତି ସମର୍ଥନ ଜଣାଇଥିଲେ। କ୍ରମାଗତ ଭାବେ ମିଳୁଥିବା ଏହି ସମର୍ଥନ ଆନ୍ଦୋଳନକାରୀଙ୍କ ମନୋବଳ ବଢ଼ାଇଛି।ଶିକ୍ଷା ଭଳି ଏକ ମୌଳିକ ପ୍ରସଙ୍ଗକୁ ନେଇ ଛାତ୍ରମାନେ ୨୧ ଦିନ ଧରି ଆନ୍ଦୋଳନ କରୁଥିବାବେଳେ ଜିଲାର ପ୍ରମୁଖ ରାଜନୈତିକ ଦଳ ଓ ଜନପ୍ରତିନିଧିମାନଙ୍କ ଭୂମିକା ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଛାତ୍ରଙ୍କ ଦାବି ଉପରେ ସରକାରଙ୍କ ନିକଟରେ ପ୍ରଭାବଶାଳୀ ଭାବେ ପ୍ରସଙ୍ଗ ଉଠାଇବା ଏବଂ ଏକ ସ୍ପଷ୍ଟ ସମାଧାନର ପଥ ଖୋଜିବାରେ ରାଜନୈତିକ ନେତୃତ୍ୱ କେତେଦୂର ଆଗକୁ ଆସୁଛି, ତାହା ଏବେ ଚର୍ଚ୍ଚାର ବିଷୟ।ଛାତ୍ରମାନଙ୍କ ଆନ୍ଦୋଳନ ଦିନକୁ ଦିନ ଲମ୍ବିବା ସତ୍ୱେ ଯଦି ପ୍ରଶାସନିକ ସ୍ତରରେ ଆଲୋଚନା ହେଉନାହିଁ, ତେବେ ଏହା କେବଳ ଏକ ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଜିଲାର ଉଚ୍ଚଶିକ୍ଷା ବ୍ୟବସ୍ଥା ନେଇ ବୃହତର ପ୍ରଶ୍ନ ଭାବେ ଉଭା ହେବାର ସମ୍ଭାବନା ରହିଛି।ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ପଛକୁ ହଟିବେ ନାହିଁ ବୋଲି ଛାତ୍ର ସାମ୍ମୁଖ୍ୟ ପକ୍ଷରୁ କୁହାଯାଇଛି। ତେବେ ୨୧ ଦିନର ଅନଶନ ପରେ ମଧ୍ୟ ଯଦି ସରକାରୀ ସ୍ତରରେ କୌଣସି ଠୋସ୍ ପଦକ୍ଷେପ ସାମ୍ନାକୁ ନ ଆସେ, ତେବେ ଆଗକୁ ଆନ୍ଦୋଳନ କେଉଁ ରୂପ ନେବ, ତାହା ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି।ଏହି ଅବସରରେ ସାମ୍ମୁଖ୍ୟର ସଭାପତି ଅସୀମ ପଟେଲ, ସଂଗଠନ ସମ୍ପାଦକ ଜିତେନ୍ଦ୍ରିୟ ଧୁରୁଆ, ଉପସଭାପତି ରବି ରୋହିଦାସ, ନନ୍ଦୁ ରୋହିଦାସ, ବାବଲୁ ଜୟପୁରିଆ, ବିବେକାନନ୍ଦ ହୋତା ପ୍ରମୁଖ ଉପସ୍ଥିତ ଥିଲେ।
ଏବେ ପ୍ରଶ୍ନ ହେଉଛି—ଛାତ୍ରଙ୍କ ଦାବି ଉପରେ ସରକାର କେବେ ଆଲୋଚନାର ଟେବୁଲକୁ ଆସିବ ଏବଂ ଝାରସୁଗୁଡ଼ାର ଉଚ୍ଚଶିକ୍ଷା ବିକାଶ ନେଇ ନିଜର ସ୍ପଷ୍ଟ ରୋଡମ୍ୟାପ୍ ସାମ୍ନାକୁ ଆଣିବ?
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ