କୋଟଗଡ ବ୍ଲକ୍ ରେ ଟିଚ୍ କନ୍ଧମାଳ ଏବଂ ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟ ପୁନରୁଦ୍ଧାର ସଂପର୍କିତ ବିଦ୍ୟାଳୟ ସଚେତନତା କାର୍ଯ୍ୟକ୍ରମ
Teach-KDML-agri-Awerness
ଫୋଟ ୨


ଫୋଟ


କନ୍ଧମାଳ, ୨୯ ସେପ୍ଟେମ୍ବର (ହି.ସ.)- ଫୁଲବାଣୀ ଜିଲ୍ଲା କୋଟଗଡ ବ୍ଲକ୍ ଅନ୍ତର୍ଗତ ବଣ୍ଡାପିପିଲି ସରକାରୀ ଉଚ୍ଚ ବିଦ୍ୟାଳୟ, କୋଟଗଡ ସ୍ଥିତ ଆଦର୍ଶ ବିଦ୍ୟାଳୟ ଏବଂ ସରକାରୀ ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟରେ ଟିଚ୍ କନ୍ଧମାଳ ଏବଂ ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟ ପୁନରୁଦ୍ଧାର ସଂପର୍କିତ ବିଦ୍ୟାଳୟ ସଚେତନତା କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୃଷି ବିଭାଗ ଓ କାର୍ଯ୍ୟକାରୀ ଅନୁଷ୍ଠାନ ସ୍ୱାତୀ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ବାଲିଗୁଡା ଉପ ଜିଲ୍ଲାପାଳ ଏବଂ ବାଲିଗୁଡା ଏସ୍.ଡି.ପି.ଓ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ଗଠନରେ ଜ୍ଞାନ ଆହରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିର ଗୁରୁତ୍ୱ ସଂପର୍କରେ ଉପାଦେୟ ପରାମର୍ଶ ଓ ଦିଗଦର୍ଶନ ଦେଇଥିଲେ ।

ପୂର୍ବାହ୍ନରେ ବଣ୍ଡାପିପିଲି ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ବେଦଭୁଷଣ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଏବଂ କ୍ୟାରିଅର ଗଠନ ଦିଗରେ ବିଭିନ୍ନ ପରାମର୍ଶ ଦେବାସହ ମାନସିକ ଓ ଶାରିରୀକ ଅଭିବୃଦ୍ଧି ଏବଂ ନିଜ ଲକ୍ଷ୍ୟ ହାସଲ ପାଇଁ କଠୋର ଅଧ୍ୟବସାୟ ସଂପର୍କରେ ବୁଝାଇଥିଲେ । ସ୍ୱାତୀ ଅନୁଷ୍ଠାନର ସଂପାଦକ ହରିଶଙ୍କର ରାଉତ ଛାତ୍ରଛାତ୍ରୀ ମାନଙ୍କ ମାନସିକ ଓ ଶାରିରୀକ ଅଭିବୃଦ୍ଧିରେ ଖାଦ୍ୟର ଆବଶ୍ୟକତା ଏବଂ ପାରଂପରିକ ଖାଦ୍ୟ ଓ ଫସଲରେ ରହିଥିବା ପୁଷ୍ଟି ଉତ୍ସ ସଂପର୍କରେ ସୂଚନା ଦେଇଥିଲେ ।

କୋଟଗଡ ସ୍ଥିତ ସରକାରୀ ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣିତା ଦାଶ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସମୟର ସଦୁପଯୋଗ କରି ଅଧିକରୁ ଅଧିକ ଜ୍ଞାନ ହାସଲ ସଂପର୍କରେ ପରାମର୍ଶ ଦେଇଥିଲେ । ସେହିପରି କୋଟଗଡ ଆଦର୍ଶ ବିଦ୍ୟାଳୟରେ ବାଲିଗୁଡା ଏସ୍.ଡି.ପି.ଓ ଶୁଭମ୍ ଭୋସଲେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜୀବନର ଲକ୍ଷ୍ୟ ହାସଲ ଦିଗରେ ଶିକ୍ଷାର ଭୂମିକା ସଂପର୍କରେ ଦିଗ୍ଦର୍ଶନ ଦେବାସହ ପାରଂପରିକ ଫସଲ ଆଧାରିତ ଦେଶୀ ଖାଦ୍ୟ ଗୁଡିକ କିପରି ଶାରୀରିକ ଅଭିବୃଦ୍ଧିରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ସେ ସଂପର୍କରେ ବୁଝାଇଥିଲେ । ଜିଲ୍ଲାର ମୂଖ୍ୟ ଅଧିକାରୀ ମାନଙ୍କୁ ନିଜ ଶ୍ରେଣୀ ଗୃହରେ ଶିକ୍ଷକ ଭାବରେ ପାଇ ଛାତ୍ରଛାତ୍ରୀ ମାନେ ଅଧିକ ଉତ୍ସାହିତ ହେବାସହ ଆଲୋଚନା ଗୁଡିକରୁ ପ୍ରେରଣା ପାଇପାରିଥିଲେ । ଏହାପରେ ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟ ପୁନରୁଦ୍ଧାର ପ୍ରକଳ୍ପ ତରଫରୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍ୱଦେଶୀ ଖାଦ୍ୟ ଓ ସ୍ୱଦେଶୀ ବିହନର ପୁନରୁଦ୍ଧାର ଏବଂ ସ୍ଥାୟିତ୍ୱ ସଂପର୍କରେ ଭାଷଣ, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କୃଷି ଅଧିକାରୀ ଆଦର୍ଶ ବିଦ୍ୟାଳୟରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିବାବେଳେ ଅନ୍ୟ ବିଦ୍ୟାଳୟ ଗୁଡିକରେ ପ୍ରଧାନ ଶିକ୍ଷକ, ୱାସନ ପ୍ରତିନିଧି ଏବଂ କାର୍ଯ୍ୟକାରୀ ଅନୁଷ୍ଠାନ ସ୍ୱାତୀର ବରିଷ୍ଠ କର୍ମୀମାନେ ପୁରସ୍କାର ବିତରଣ କରିଥିଲେ ।

ବିଦ୍ୟାଳୟ ସ୍ତରୀୟ ଏହି କାର୍ଯ୍ୟକ୍ରମ ଗୁଡିକୁ ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟ ପୁନରୁଦ୍ଧାର ପ୍ରକଳ୍ପ କର୍ମୀ ମାନେ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande