
ମାଲକାନଗିରି , ୨୯ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ବନଖଣ୍ଡ ପକ୍ଷରୁ ସଂସ୍କୃତି ଭବନଠାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ–୨୦୨୬ ଅତି ଆଡ଼ମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ ସାଇ କିରଣ ଡି ଏନ୍ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବନ୍ୟପ୍ରାଣୀ ସଂରକ୍ଷଣ, ଜୈବ ବିବିଧତା ସୁରକ୍ଷା ଏବଂ ମାନବ-ବନ୍ୟପ୍ରାଣୀ ସୁସ୍ଥ ସହାବସ୍ଥାନର ବାର୍ତା ନେଇ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ସାଂସଦଙ୍କ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ମାଲକାନଗିରି ବନାଂଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ଦେଇ ବନ୍ୟପ୍ରାଣୀ ସଂରକ୍ଷଣରେ ଯୁବପିଢ଼ି ଓ ବନ ସୁରକ୍ଷା ସମିତିର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ପ୍ରକୃତି ଓ ବନ୍ୟପ୍ରାଣୀଙ୍କ ବିନା ମାନବ ସମାଜର ଭବିଷ୍ୟତ ଅସୁରକ୍ଷିତ। ବନ୍ୟଜନ୍ତୁ ସଂରକ୍ଷଣ କେବଳ ବନ ବିଭାଗର ଦାୟିତ୍ୱ ନୁହେଁ, ବରଂ ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ସାମୂହିକ କର୍ତବ୍ୟ।
ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିଜ ମତ ରଖି କହିଥିଲେ ମାଲକାନଗିରିର ପ୍ରାକୃତିକ ସମ୍ପଦ ଓ ଜୈବ ବିବିଧତା ଆମର ଗୌରବ। ଆମ ଗ୍ରାମାଂଚଳ ଓ ଜନଜାତି ସମାଜ ସଦାସର୍ବଦା ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଗେଇ ଆସିବା ଆବଶ୍ୟକ।
ଅନ୍ୟପଟେ ବନଖଣ୍ଡ ଅଧିକାରୀ କହିଥିଲେ, ସ୍ଥାନୀୟ ଜନସାଧାରଣ, ଗଣମାଧ୍ୟମ ଏବଂ ଆରକ୍ଷୀ ପ୍ରଶାସନର ମିଳିମିଶି ସହଯୋଗ ଯୋଗୁଁ ଆମେ ଗତ କିଛି ବର୍ଷ ମଧ୍ୟରେ ଅନେକ ଦୁର୍ଲଭ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ପ୍ରାକୃତିକ ବାସସ୍ଥାନରେ ଛାଡ଼ିବାରେ ସଫଳ ହୋଇପାରିଛୁ।
ଏହି ଅବସରରେ ମାଲକାନଗିରି ବନଖଣ୍ଡର ଗତ ୫ ବର୍ଷର (୨୦୨୧-୨୦୨୬) ଉଲ୍ଲେଖନୀୟ ସଫଳତା ବିଷୟରେ ତଥ୍ୟ ପ୍ରକାଶ କରାଯାଇଥିଲା, ଯେଉଁଥିରେ ୫୫୩ଟି ଧାମଣା ସାପ, ୫୪୨ଟି ନାଗସାପ, ୪୫୩ଟି ଚିତିସାପ, ୩୨୨ଟି ଅଜଗର, ୭୩ଟି ଅହିରାଜ, ୬ଟି କୁମ୍ଭୀର, ୪ଟି ବଜ୍ରକାପ୍ତା, ୩ଟି ଭାଲୁ, ୫ଟି ହରିଣ ଏବଂ ୫,୦୦୦ରୁ ଊର୍ଦ୍ଧ୍ୱ କଇଁଛଙ୍କୁ ସୁରକ୍ଷିତ ଉଦ୍ଧାର କରି ଜଙ୍ଗଲରେ ଛଡ଼ାଯାଇଥିବା ଦର୍ଶାଯାଇଥିଲା। ଶିକାର ରୋକିବା ଓ ବନ୍ୟଜନ୍ତୁଙ୍କ ଗତିବିଧି ନିରୀକ୍ଷଣ ପାଇଁ ଆଧୁନିକ କ୍ୟାମେରା, ୨୪-ଘଂଟିଆ ନିୟନ୍ତ୍ରଣ କକ୍ଷ ଏବଂ ତୁରନ୍ତ ପ୍ରତିକ୍ରିୟା ଦଳ ନିରନ୍ତର କାର୍ଯ୍ୟ କରୁଥିବା ନେଇ ସୂଚନା ଦିଆଯାଇଥିଲା।
କାର୍ଯ୍ୟକ୍ରମରେ କର୍ତବ୍ୟନିଷ୍ଠା ପାଇଁ ମୋଟୁ ସୁରକ୍ଷା ଦଳର ମୁତା ସୋଡ଼ିଙ୍କୁ ୨୫,୦୦୦/- ଟଙ୍କା ପ୍ରୋତ୍ସାହନ ରାଶି ସହ ଉପ-ଖଣ୍ଡ ସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହିତ ଉଲ୍ଲେଖନୀୟ ସେବା ପାଇଁ ବନ ବିଭାଗ କର୍ମଚାରୀ ଦେବାଶିଷ ପ୍ରଧାନ, ରବିନାରାୟଣ ଖଣ୍ଡୁଆଳ, ମୁରଲୀଧର ଅନୁଗୁଳିଆ, ସିଦ୍ଧାନ୍ତ କୁମାର ରାଉତ, ସାରୁ କୁଆସୀ, ସୁଧୀର କୁମାର ମୁର୍ମୁ ଏବଂ ପପିତା ଆଜମିରାଙ୍କୁ ଆର୍ôଥକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା।
ଆରକ୍ଷୀ ବିଭାଗର କନଷ୍ଟେବଲ ପ୍ରଦୀପ ପଡ଼ିଆମୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବନାଂଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ, ସୁଶାନ୍ତ ପାତ୍ର, ବାସୁଦେବ ବାସ୍କେ, ସୂର୍ଯ୍ୟକାନ୍ତ ବିଶ୍ୱାଳ ଏବଂ ଡମ୍ବରୁ ହନ୍ତାଳଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ବନ୍ୟପ୍ରାଣୀ ଜ୍ଞାନ ଦିବସ ଅବସରରେ ଜିଲ୍ଲାର ୬ଟି ବନାଂଚଳରୁ ପ୍ରଶ୍ନୋତର, ସାହିତ୍ୟ ପାଠ ଓ ଚଳଚ୍ଚିତ୍ର ପ୍ରଦର୍ଶନୀ ପ୍ରତିଯୋଗିତାର ୧୮ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଏବଂ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ନେଇ ଏକ ସାର୍ଥକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା। ଏଥିରେ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସନ ଏବଂ ମାନବ-ବନ୍ୟପ୍ରାଣୀ ସଂଘର୍ଷ ରୋକିବା କ୍ଷେତ୍ରରେ ମିଳିମିଶି କାର୍ଯ୍ୟ କରିବା ଉପରେ ଚର୍ଚ୍ଚା କରାଯାଇଥିଲା। ସମାରୋହ ଶେଷରେ ମାଲକାନଗିରି ବନଖଣ୍ଡ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ଉଦଯାପନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ