୬୨ ଏକର ସରକାରୀ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ : ଗୁଡ଼ିଗାଁରେ ଆପତ୍ତି ଅଭିଯୋଗର ଶୁଣାଣି ଶେଷ, ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ତହସିଲଦାର
Villagers oppose the land acquisition
୬୨ ଏକର ସରକାରୀ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ


ଝାରସୁଗୁଡ଼ା, ୨୯ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ କେଲେଣ୍ଡାମାଲ ପଞ୍ଚାୟତର ଗୁଡ଼ିଗାଁ ମୌଜାରେ କାରଖାନା ପ୍ରତିଷ୍ଠା ପାଇଁ ଇଡକୋ ଜରିଆରେ ପ୍ରାୟ ୬୨ ଏକର ସରକାରୀ ଜମି ଅଧିଗ୍ରହଣ ପ୍ରସ୍ତାବକୁ ନେଇ ଗ୍ରାମବାସୀଙ୍କ ଆପତ୍ତି ଅଭିଯୋଗର ଶୁଣାଣି ମଙ୍ଗଳବାର କୋଲାବିରା ତହସିଲ କାର୍ଯ୍ୟାଳୟରେ ଶେଷ ହୋଇଛି। ଗ୍ରାମବାସୀଙ୍କ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ସୁଜିତ ପଣ୍ଡା, ମନୋଜ ପଟେଲ, ହୃଷିକେଶ ପଟେଲ ପ୍ରମୁଖ ଉପସ୍ଥିତ ରହି ନିଜ ଆପତ୍ତି ଓ ଅଭିଯୋଗ ଉପସ୍ଥାପନ କରିଥିଲେ। ତହସିଲଦାର ମନୋଜ କୁଜୁର ଗ୍ରାମବାସୀଙ୍କ ପକ୍ଷ ଶୁଣିଥିଲେ।

ସୂଚନା ଅନୁଯାୟୀ, ଗୁଡ଼ିଗାଁ ମୌଜାର ଖାତା ନମ୍ବର ୧୯୪ରେ ଥିବା ୬ଟି ପ୍ଲଟରୁ ମୋଟ ୬୨ ଏକର ୩୭ ଡିସିମିଲ ସରକାରୀ ଜମିକୁ ଏକ କାରଖାନା ପାଇଁ ଇଡକୋ ଜରିଆରେ ଅଧିଗ୍ରହଣ କରିବା ନିମନ୍ତେ କୋଲାବିରା ତହସିଲ ପକ୍ଷରୁ ନୋଟିସ ଜାରି ହୋଇଥିଲା। ଏଥିରେ କୌଣସି ଆପତ୍ତି କିମ୍ବା ଅଭିଯୋଗ ଥିଲେ ୧୮ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଦାଖଲ କରିବାକୁ କୁହାଯାଇଥିଲା। ଏହାକୁ ନେଇ ଗୁଡ଼ିଗାଁ ବାସିନ୍ଦାମାନେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲଙ୍କ ନେତୃତ୍ୱରେ ତହସିଲଦାରଙ୍କ ନିକଟରେ ଲିଖିତ ଆପତ୍ତି ଦାଖଲ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ଗୁଡ଼ିଗାଁ ଅଞ୍ଚଳରେ ସରକାରୀ ଜମିର ଅଭାବ ରହିଛି। ଏହି ଜମି ଅଧିଗ୍ରହଣ ହେଲେ ଗାଈଗୋରୁ ଓ ଅନ୍ୟ ପଶୁପକ୍ଷୀଙ୍କ ଚାରଣ ସମସ୍ୟା ସୃଷ୍ଟି ହେବା ସହ ଅନେକ ଗ୍ରାମବାସୀ ନିଜ ଜୀବିକା ହରାଇବାର ଆଶଙ୍କା ରହିଛି। ଶୁଣାଣି ସମୟରେ ଗ୍ରାମବାସୀ ଏହି ଯୁକ୍ତି ତହସିଲଦାରଙ୍କ ସମ୍ମୁଖରେ ରଖିଥିଲେ। ତେବେ ଗୁଡ଼ିଗାଁ ମୌଜା ଝାରସୁଗୁଡ଼ା ପୌରାଞ୍ଚଳର ସୀମାକୁ ଲାଗିଥିବାରୁ ଏହା ଜେଆରଆଇଟି ଜୋନ୍ ଅନ୍ତର୍ଭୁକ୍ତ ବୋଲି ତହସିଲଦାର ସୂଚନା ଦେଇଥିଲେ। ସହରାଞ୍ଚଳ ସୀମାକୁ ଲାଗିଥିବା ଗ୍ରାମରେ ଚାରଣ ପାଇଁ ସରକାରୀ ଜମି ସଂରକ୍ଷିତ ରଖିବାର ନିୟମ ନଥିବା ସେ କହିଥିଲେ।

ଏହି ସମୟରେ ଗ୍ରାମବାସୀ ପୂର୍ବରୁ ହୋଇଥିବା ରାୟତି ଜମି ଅଧିଗ୍ରହଣ ପ୍ରସଙ୍ଗ ଉଠାଇଥିଲେ। କିଛି ବର୍ଷ ପୂର୍ବେ ଗୁଡ଼ିଗାଁରେ ଶିଳ୍ପ ପାଇଁ ପ୍ରାୟ ୪୦୫ ଏକର ରାୟତି ଜମି ଅଧିଗ୍ରହଣ ହୋଇଥିବା ସେମାନେ କହିଥିଲେ। ସେତେବେଳେ ଗୁଡ଼ିଗାଁକୁ ସହରାଞ୍ଚଳର ପାର୍ଶ୍ୱବର୍ତ୍ତୀ ଗ୍ରାମ ଭାବେ ବିବେଚନା କରାଯାଇନଥିବାରୁ ଜମିମାଲିକମାନେ ଉଚିତ ମୂଲ୍ୟ ପାଇନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏବେ ସରକାରୀ ଜମି ଅଧିଗ୍ରହଣ ସମୟରେ ଗୁଡ଼ିଗାଁକୁ ସହରାଞ୍ଚଳ ସୀମାବର୍ତ୍ତୀ ଗ୍ରାମ ଭାବେ ଦର୍ଶାଯାଉଥିବାରୁ ଏଠାରେ ଦୁଇ ପ୍ରକାର ନିୟମ କାହିଁକି ପ୍ରୟୋଗ ହେଉଛି ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଥିଲେ।

ଶୁଣାଣି ପରେ ତହସିଲଦାର ମନୋଜ କୁଜୁର କହିଥିଲେ ଯେ, ଆପତ୍ତି ଶୁଣାଣିର ସମସ୍ତ ତଥ୍ୟ ଓ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ। ଏହା ପରେ ଏହି ଜମି ଅଧିଗ୍ରହଣ ପ୍ରସଙ୍ଗରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande