
ଝାରସୁଗୁଡ଼ା, ୨୯ ସେପ୍ଟେମ୍ବର (ହି.ସ.) - ବିଶ୍ୱ ହୃଦୟ ଦିବସ ଅବସରରେ ଟିଆରଏଲ କ୍ରୋସାକି ଓ କ୍ରିଷ୍ଣା ବିକାଶ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ଠାରେ ୱାକାଥନ୍ ଓ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ବାର୍ତା ନେଇ ଅଟଳ ଛକରୁ ଜୁବୁଲି ହଲ୍ ପର୍ଯ୍ୟନ୍ତ ୱାକାଥନ୍ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଆୟୋଜିତ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ମଧୁମେହ, ରକ୍ତଚାପ, ଇସିଜି ସମେତ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ରୋଗୀମାନଙ୍କୁ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା। ଶିବିରରେ ମୋଟ ୨୮୦ ଜଣ ରୋଗୀ ଯୋଗଦେଇ ଚିକିତ୍ସା ସେବାର ଲାଭ ନେଇଥିଲେ। ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ନେଇ ଏହି ଅବସରରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଟିଆରଏଲ କ୍ରୋସାକିର ଭାଇସ୍ ପ୍ରେସିଡେଂଟଏସ୍.କେ. ଦାସ, ଟିଆରଏଲ କ୍ରୋସାକି ହସ୍ପିଟାଲର ଏମ୍ଡି ଡା. ତୁଷାର କାନ୍ତି ଦାଶ, ବିକାଶ ହସ୍ପିଟାଲର ବିଜନେସ୍ ମୁଖ୍ୟ ସବ୍ୟସାଚୀଙ୍କ ସମେତ ଟିଆରଏଲ କ୍ରୋସାକିର ବରିଷ୍ଠ ଅଧିକାରୀ ଅନିରୁଦ୍ଧ ମିଶ୍ର, ସନ୍ତୋଷ ମିଶ୍ର, ଶଶାଙ୍କ ଦୀକ୍ଷିତ, ଦୀପକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଲୋକ ମଧ୍ୟ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ