
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ସ୍କୁଲ ବହି ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହିତ ୬ ଦଫା ଦାବିରେ ଆସନ୍ତାକାଲି (ବୁଧବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଂଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ନବନିର୍ମାଣ କୃଷକ ସଂଗଠନ ଏବଂ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର।
ନବନିର୍ମାଣ ଯୁବଛାତ୍ର ସଂଗଠନ ଏବଂ କୃଷକ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର କହିଛନ୍ତି ଯେ, ପିଲାମାନଙ୍କ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ୍ ରହିଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱୀକାର କରିବା ସତ୍ୱେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପରେ କାହିଁକି କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ । ବହି ବିଭ୍ରାଟ ପ୍ରତିବାଦରେ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନୱର ଅଲ୍ଲୀଙ୍କ ନେତୃତ୍ୱରେ ଅଗଷ୍ଟ ୨୦ ତାରିଖରୁ ଜାରି ରହିଥିବା ଅନୁର୍ଦ୍ଧିଷ୍ଟକାଳୀନ ଅନଶନ ଓ ସତ୍ୟାଗ୍ରହ ଆଜି ୪୧ ଦିନରେ ପହଂଚିବା ପରେ ମଧ୍ୟ ସରକାର ଅନ୍ଧ, ମୁକ, ବଧିର ପରି ବସିରହିଛନ୍ତି। ଆଲୋଚନାର ସାମାନ୍ୟ ପ୍ରୟାସ ବି କରାଯାଇନାହିଁ। ଏହାରି ପ୍ରତିବାଦରେ ସେପ୍ଟେମ୍ବର ୩୦ ତାରିଖରେ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ କରାଯିବ। ଅତି ଶୀଘ୍ର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ ବା ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ, ଜନଆନ୍ଦୋଳନ ମାଧ୍ୟମରେ ସଡ଼କର ରାଜନୀତି ହିଁ ତାଙ୍କୁ ରାସ୍ତା ଦେଖାଇବ ବୋଲି ଶ୍ରୀ କୁମାର ଚେତାବନୀ ଦେଇଛନ୍ତି।
ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍. ଡ଼ି ମନୱର ଅଲ୍ଲୀ କହିଛନ୍ତି ଯେ, ଯେଉଁ ବହି ବିଭ୍ରାଟ ଦ୍ୱାରା ଏକ କୋଟିରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି, ସେଠାରେ ସରକାର ଚୁପ ବସିଲେ ଜନ୍ତରମନ୍ତର ଭଳି ପରିସ୍ଥିତ ସୃଷ୍ଟି କରିବୁ।
ଆଜିର ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ସହିତ ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଠା ଡା. କୁଳମଣୀ, ରାଜ୍ୟ ମହିଳା ଆବାହକ ମଧୁମିତା ସାମଲ, ବରିଷ୍ଠ କୃଷକ ନେତା ସୁରେନ୍ଦ୍ର ମହାରଣା, ପ୍ରସନ୍ନ କଅଁର, ଭୁବନେଶ୍ୱର ଯୁବଛାତ୍ର ସଭାପତି ଅମିତି ଜେନା, ସ୍ମୃତି ରଂଜନ ସାମଲ, ଏସ.କେ ହେଦାଇ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା