ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ସାମାଜିକ କ୍ଷେତ୍ର ପ୍ରଗତି ସମୀକ୍ଷା ବୈଠକ
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) -ରାଜ୍ୟର ସାମାଜିକ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି, ଫଳାଫଳ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ସାମାଜିକ କ୍ଷେତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେମହି
cs


ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) -ରାଜ୍ୟର ସାମାଜିକ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି, ଫଳାଫଳ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ସାମାଜିକ କ୍ଷେତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଓ ସଂପୃକ୍ତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ପ୍ରମୁଖ ଅଗ୍ରଗତି, ତଥ୍ୟଭିତ୍ତିକ ବିଶ୍ଳେଷଣ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ଏଥି ସହିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇ ନିଜ ନିଜ ଜିଲ୍ଲାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସାମାଜିକ କ୍ଷେତ୍ରରେ “ତଥ୍ୟରୁ କାର୍ଯ୍ୟ - କାର୍ଯ୍ୟରୁ ଫଳାଫଳ” ଭିତ୍ତିକ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାସ୍ତରର ଅଗ୍ରଗତିକୁ ନିୟମିତ ଭାବେ ଅନୁଧ୍ୟାନ କରିବା, ଜିଲ୍ଲାସ୍ତରରେ କାର୍ଯ୍ୟରତ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ବଢାଇବା ସହ ବିଭିନ୍ନ ଜିଲ୍ଲାରେ ନିଆଯାଇଥିବା ସଫଳ ପଦକ୍ଷେପଗୁଡ଼ିକୁ ଉଦାହରଣ ଭାବେ ନେଇ ଅନ୍ୟ ଜିଲ୍ଲା ତଥା ଅଂଚଳରେ ପ୍ରୟୋଗ କରିବା ନେଇ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ । ଜିଲ୍ଲା ଓ ସଂପୃକ୍ତ ବିଭାଗୀୟ ସମନ୍ୱୟରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ହାସଲ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବା ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସେବା ପ୍ରଦାନକୁ ଅଧିକ ଦକ୍ଷ, ଲକ୍ଷ୍ୟଭିତ୍ତିକ ଓ ଫଳପ୍ରଦ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଓ ତଥ୍ୟର ସର୍ବାଧିକ ଉପଯୋଗ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାତୃ ମୃତ୍ୟୁହାର ସମ୍ପର୍କରେ ବିବରଣୀ ପ୍ରଦାନ ପ୍ରଦାନ କରାଯାଇଥିଲା। ପୂର୍ବ ଅପେକ୍ଷା ଏବେ ମାତୃ ମୃତ୍ୟୁହାର ଉଲ୍କେଖନୀୟ ଭାବେ ହ୍ରାସ ପାଉଛି। ମାଆମାନଙ୍କ ସ୍ୱାସ୍ଥ୍ୟ ସେବା ଯତ୍ନରେ ନିରନ୍ତର ନଜର ରଖିବା ଓ ତତ୍ତ୍ୱାବଧାନ ଫଳରେ ଏହା ପ୍ରତିଫଳିତ ହେଉଛି। ନବଜାତ ଶିଶୁ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଉଛି। ନବଜାତ ଶିଶୁଙ୍କ ଉନ୍ନତ ସ୍ୱାସ୍ଥ୍ୟ ସେବା, ବିପଦପୂର୍ଣ୍ଣ ଗର୍ଭଧାରଣର ପୂର୍ବରୁ ଚିହ୍ନଟକରି ରେଫରାଲ୍ ବ୍ୟବସ୍ଥା ଓ ନିରନ୍ତର ଅନୁଧ୍ୟାନ ଯୋଗୁଁ ମାତୃ-ଶିଶୁ ସ୍ୱାସ୍ଥ୍ୟ ସେବାରେ ନିରନ୍ତର ଉନ୍ନତି ପରିଲକ୍ଷିତ ହେଉଛି । ଏହି ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ରାଜ୍ୟର ଅଗ୍ରଗତି ଉଲ୍ଲେଖନୀୟରହିଛି ।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୋଷଣ ସ୍ଥିତି ନେଇ ବ୍ୟାପକ ତଥ୍ୟଭିତ୍ତିକ ବିଶ୍ଳେଷଣ ଉପସ୍ଥାପନ କରାଯାଇଥିଲା। ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କ ମାପ ଓ ମୂଲ୍ୟାଙ୍କନ କରାଯାଉଛି। ବ୍ୟବସ୍ଥିତ ବୃହତ୍ ତଥ୍ୟଭଣ୍ଡାର ମାଧ୍ୟମରେ ଅଧିକ ଧ୍ୟାନ ଆବଶ୍ୟକତା ଥିବା ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ଲକ୍ଷ୍ୟଭିତ୍ତିକ ପଦକ୍ଷେପ ନିଆଯାଉଛି ।‘ପୋଷଣ ଟ୍ରାକର’ ଆଧାରିତ ତଥ୍ୟ ବିଶ୍ଳେଷଣ ବ୍ୟବସ୍ଥା ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପୋଷଣ ସେବାର ଗୁଣବତ୍ତା, ଦୁର୍ବଳ କ୍ଷେତ୍ର ଚିହ୍ନଟ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନକୁ ଆହୁରି ସୁଦୃଢ଼ କରାଯାଉଛି। ପୋଷଣ ସ୍ଥିତିରେ ଅଗ୍ରଗତିମଧ୍ୟରେ ଅତି ଗୁରୁତର ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ଏବଂ ମଧ୍ୟମ ଗୁରୁତର ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟାରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିବା ବୈଠକରୁ ଜଣାଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ସାକ୍ଷରତାରେ ବିଭିନ୍ନ ଜିଲ୍ଲାର ଉନ୍ନତି, ସଂଖ୍ୟାଜ୍ଞାନରେ ଉନ୍ନତି ରେକର୍ଡ ହୋଇଛି। ଏହା ପ୍ରାରମ୍ଭିକ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଦିଗରେ ଚାଲିଥିବା ପଦକ୍ଷେପର ସକାରାତ୍ମକ ଦିଗକୁ ପ୍ରତିଫଳିତ କରୁଛି। ଶିକ୍ଷକମାନଙ୍କ ଦ୍ୱାରା ଉପଯୁକ୍ତ ଶିକ୍ଷଣ-ଶିକ୍ଷାଦାନ ସାମଗ୍ରୀ(ଟିଏଲ୍ଏମ୍) ବ୍ୟବହାର କ୍ଷେତ୍ରରେ ମଧ୍ୟ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଏହି କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିବା ସଂପର୍କରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରି ପ୍ରଦର୍ଶନରେ ଅଧିକ ସଫଳତା ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ନିରନ୍ତର ସମୀକ୍ଷା, କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି ।

ବୈଠକରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସାମାଜିକ କ୍ଷେତ୍ରରେ ଅଧିକ ଉନ୍ନତି ଆଣି ନାଗରିକଙ୍କ ଜୀବନମାନରେ ପ୍ରତ୍ୟକ୍ଷ ଓ ସ୍ଥାୟୀ ପରିବର୍ତ୍ତନ ଆଣିବାନିତାନ୍ତ ଆବଶ୍ୟକ । ସେ ଜିଲ୍ଲା ଓ ତୃଣମୂଳ ସ୍ତରରେ ନିୟମିତ ଅନୁଧ୍ୟାନ, ସଫଳ ପଦକ୍ଷେପର ଅନୁସରଣ, ବିଭାଗୀୟ ସମନ୍ୱୟ ଏବଂ ଦାୟିତ୍ୱର ସ୍ପଷ୍ଟତା ମାଧ୍ୟମରେ ଫଳାଫଳକୁ ଆହୁରି ଉନ୍ନତ କରିବାକୁ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପୋଷଣ ଏବଂ ପ୍ରାରମ୍ଭିକ ଶିକ୍ଷାକୁ ପରସ୍ପର ସଂଯୋଜିତ ଭାବେ ଦେଖି ତୃଣମୂଳସ୍ତରରେ ସେବା ପ୍ରଦାନକୁ ଆହୁରି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଏବଂ ଉପ ଜିଲ୍ଲାପାଳମାନେ କ୍ଷେତ୍ର ପରିଦର୍ଶନ ସମୟରେ ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ ଏବଂ ଡାକ୍ତରଖାନା ଆଦି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ଉପସ୍ଥାପିତ ଅଗ୍ରଗତି ଓ ତଥ୍ୟ ଆଧାରରେ ଆଗାମୀ ପର୍ଯ୍ୟାୟରେ ଅଧିକ ଲକ୍ଷ୍ୟଭିତ୍ତିକ ପଦକ୍ଷେପ, ନିୟମିତ ଅନୁଧ୍ୟାନ ଓ ବିଭାଗୀୟ ସମନ୍ୱୟକୁ ଆହୁରି ଦୃଢ଼ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ସାମାଜିକ କ୍ଷେତ୍ର ସଂପର୍କିତ ନିଆଯାଇଥିବା ପଦକ୍ଷେପ ଏଥିରେ ଆହୁରି ଉନ୍ନତ ପ୍ରଦର୍ଶନ ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande