
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ସୁରକ୍ଷିତ ଓ ସୁଚାରୁ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ନିଜର ନିଷ୍ଠା, ସଜାଗତା ଏବଂ ଅତୁଳନୀୟ ଯୋଗଦାନ ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳର ୮ ଜଣ ରେଳ କର୍ମଚାରୀଙ୍କୁ ଖୋର୍ଦ୍ଧାରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଡି. ସୁନୀଲ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରିଛନ୍ତି। ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ପି. କେ. ବେହେରା ଏବଂ ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ନମୋନାରାୟଣ ମିନା ଙ୍କ ସମେତ ମଣ୍ଡଳର ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ।
ସମ୍ମାନିତ କର୍ମଚାରୀମାନେ ହେଲେ— ନରାଜ ମାର୍ଥାପୁରର ଷ୍ଟେସନ୍ ମାଷ୍ଟର ଶ୍ରୀଧର ସାହୁ, ଏବଂ ଟ୍ରାଫିକ୍ ପଏଂଟସମ୍ୟାନ୍-ଏ ବୁଲବୁଲ ପରିଡ଼ା, ତାଳଚେର ସି ଆଣ୍ଡ ଡବ୍ଲ୍ୟୁ ର ଟେକ୍ନିସିଆନ୍ ଗ୍ରେଡ୍-୧ ଅଭିମନ୍ୟୁ କୁମାର, ଖୋର୍ଦ୍ଧା ରୋଡ୍ର ଲୋକୋ ପାଇଲଟ୍ ପାଣ୍ଡବ ପରିଡ଼ା, ପୁରୀର ସିନିୟର ଆସିଷ୍ଟାଂଟ ଲୋକୋ ପାଇଲଟ୍ ଶସନ୍ତୋଷ କୁମାର ମୁଦୁଲି, ପାରାଦୀପର ମାଲବାହୀ ଟ୍ରେନ୍ ଲୋକୋ ପାଇଲଟ୍ ସୁଶାନ୍ତ କୁମାର ବେହେରା ଓ ଅଶୋକ ନାୟକ ଏବଂ ବୁଢ଼ାପଙ୍କର ଟେକ୍ନିସିଆନ୍ ଗ୍ରେଡ୍-୨, ଦେବାଶିଷ ଦାସ।
ସମାରୋହରେ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରି ଶ୍ରୀ ଡି. ସୁନିଲ ପୁରସ୍କାରପ୍ରାପ୍ତ କର୍ମଚାରୀମାନଙ୍କର କର୍ତବ୍ୟନିଷ୍ଠା, ସଜାଗତା ଓ ତତ୍ପରତାକୁ ପ୍ରଶଂସା କରିଥିଲେ। ସମ୍ଭାବ୍ୟ ସୁରକ୍ଷା ବିପଦକୁ ରୋକିବା ସହ ଟ୍ରେନ୍ ଗୁଡ଼ିକର ସୁରକ୍ଷିତ ଓ ସୁଚାରୁ ଚଳାଚଳ ସୁନିଶ୍ଚିତ କରିବାରେ ସେମାନଙ୍କର ତ୍ୱରିତ ପଦକ୍ଷେପ ଓ ସଚେତନତାକୁ ସେ ପ୍ରଶଂସା କରିଥିଲେ। ସମସ୍ତ ରେଳ କର୍ମଚାରୀଙ୍କୁ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ସହ ନିଜ କର୍ତବ୍ୟ ପ୍ରତି ସର୍ବଦା ସଜାଗ ଓ ପ୍ରତିବଦ୍ଧ ରହିବାକୁ ସେ ଆହ୍ୱାନ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା