
ଜୟପୁର, ୨୯ ସେପ୍ଟେମ୍ବର (ହି.ସ.) - ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳ ପରିସୀମା ମଧ୍ୟରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ମାଟି ଅତଡ଼ା ଧସିବା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପ୍ରଭାବିତ ରେଳସେକ୍ସନ ଗୁଡ଼ିକରେ ପୁନରୁଦ୍ଧାର ଓ ସୁରକ୍ଷା କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ ତୀବ୍ର କରାଯାଇଛି।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଗତକାଲି କୋରାପୁଟ–ଜୟପୁର ରେଳ ସେକ୍ସନର ଅନ୍ୟତମ ପ୍ରମୁଖ ପ୍ରଭାବିତ ସ୍ଥାନ ମାଳିଗୁଡାରେ ପହଂଚି ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଭାବିତ ରେଳପଥର ବିଭିନ୍ନ ଅଂଶ ପରିଦର୍ଶନ କରିବା ସହ ପୁନରୁଦ୍ଧାର ଓ ସୁରକ୍ଷା କାର?୍ୟ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।
ପରିଦର୍ଶନ ସମୟରେ ବିଭିନ୍ନ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ମଧ୍ୟରେ ପ୍ରମୁଖ ମୁଖ୍ୟ ଯନ୍ତ୍ରୀ ଏବଂ ପ୍ରମୁଖ ମୁଖ୍ୟ ସିଗନାଲ ଓ ଟେଲିକମ୍ୟୁନିକେସନ୍ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ମହାପ୍ରବନ୍ଧକଙ୍କୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ଏବଂ ଗ୍ରହଣ କରାଯାଉଥିବା ସୁରକ୍ଷାମୂଳକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।
ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଅମିତାଭ ସିଙ୍ଘଲଙ୍କ ସହ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ମଧ୍ୟ ପ୍ରଭାବିତ ସ୍ଥାନରେ ଉପସ୍ଥିତ ରହି ମହାପ୍ରବନ୍ଧକଙ୍କୁ ତ୍ୱରିତ କାର୍ଯ୍ୟ ପରିସ୍ଥିତି, ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଏବଂ ରେଳପଥକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ଲଗାତାର ଅତ୍ୟଧିକ ବର୍ଷା ଯୋଗୁଁ କୋରାପୁଟ–ରାୟଗଡ଼ା ଏବଂ କୋରାପୁଟ–ଜୟପୁର ରେଳ ସେକ୍ସନର ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ମାଟି ଅତଡ଼ା ଧସିବା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମସ୍ତ ପ୍ରଭାବିତ ସ୍ଥାନରେ ତ୍ୱରିତ ପଦକ୍ଷେପ ନେଇ ପରିସ୍ଥିତିର ସମାଧାନ କରାଯାଇଛି।
ତେବେ, ମାଳିଗୁଡା ଯାର୍ଡରେ ଭୂସ୍ଖଳନର ପରିମାଣ ଏବଂ ରେଳ ଭିତିଭୂମି ଉପରେ ପଡ଼ିଥିବା ବିପୁଳ ପରିମାଣର ମାଟି ଧସିବା ଯୋଗୁଁ ପୁନରୁଦ୍ଧାର କାର୍ଯ୍ୟ ଏକ ବଡ଼ ଆହ୍ୱାନ ହୋଇ ରହିଛି।
ମାଳିଗୁଡାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅଧିକାରୀ ଓ କର୍ମଚାରୀଙ୍କ ସମେତ ୬୦୦ରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ପ୍ରଭାବିତ ରେଳପଥକୁ ମରାମତି କରିବା ଏବଂ ରେଳ ଭିତିଭୂମିକୁ ଯଥାଶୀଘ୍ର ପୁନରୁଦ୍ଧାର କରିବା ପାଇଁ ଭାରୀ ଯନ୍ତ୍ରପାତି, ବିଭିନ୍ନ ଉପକରଣ ଏବଂ ବିଭାଗୀୟ ଟିମ୍ଗୁଡ଼ିକୁ ନିରନ୍ତର ଭାବେ ନିୟୋଜିତ କରାଯାଉଛି।
ଦୀର୍ଘ ସମୟ ଧରି ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବା ଏବଂ ପ୍ରଭାବିତ ସ୍ଥାନଗୁଡ଼ିକରେ ବହୁ ସଂଖ୍ୟକ କର୍ମଚାରୀ ଓ ରେଳ କର୍ମୀ ନିୟୋଜିତ ଥିବାରୁ ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସହିତ ଚିକିତ୍ସା ସହାୟତାର ମଧ୍ୟ ବ୍ୟବସ୍ଥା କରାଯାଇଛି।
ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଙ୍ଘଲଙ୍କ ନେତୃତ୍ୱରେ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ, ସିଗନାଲ ଓ ଟେଲିକମ୍ୟୁନିକେସନ୍, ଅପରେଟିଙ୍ଗ, ମେକାନିକାଲ ଏବଂ କମର୍ସିଆଲ ବିଭାଗ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ପ୍ରଭାବିତ ସ୍ଥାନରେ ଉପସ୍ଥିତ ରହି ପୁନରୁଦ୍ଧାର କାର୍ଯ୍ୟର ନିରନ୍ତର ତଦାରଖ କରୁଛନ୍ତି।
ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ରେଳମଣ୍ଡଳ ସ୍ତରରେ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି।
ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୂର୍ବତଟ ରେଳପଥ ପୁନରୁଦ୍ଧାର କାର୍ଯ୍ୟକୁ ଯଥାସମ୍ଭବ ତ୍ୱରାନ୍ୱିତ କରିବା ଏବଂ ଟ୍ରେନ୍ ଚଳାଚଳକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିଛି। ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଓ ରେଳ କର୍ମୀଙ୍କ ସୁରକ୍ଷା ପ୍ରତି ମଧ୍ୟ ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଉଛି।
ହିନ୍ଦୁସ୍ଥାନ ସମାଚାର / ପିକେପି