ପୁରୀ, ୧ ଅକ୍ଟୋବର (ହି.ସ.)- ଶ୍ରୀମନ୍ଦିର ରୋଷେଇରେ ଲୁହା କଡ଼େଇ ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି । ୩ ଜଣ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ସମ୍ପୃକ୍ତ ତିନି ସୁପକାରଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି । ଏଥିସହ ଜଣେ ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବନ କରାଯାଇଛି ।
ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ପ୍ରବେଶ ନିଷିଦ୍ଧ ରହିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ସେବାରେ ପରମ୍ପରା ବର୍ହିଭୂତ କାର୍ଯ୍ୟ ବରଦାସ୍ତ କରାଯିବନି । ବିଶୃଙ୍ଖଳାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ