ହିଟ୍ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକରୁଛି ସ୍ୱତନ୍ତ୍ର ୟୁନିଟ୍
ଭୁବନେଶ୍ୱର, 25 ଏପ୍ରିଲ (ହି.ସ.) - ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ହିଟ୍ ଷ୍ଟ୍ରୋ
ହିଟ୍ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକରୁଛି ସ୍ୱତନ୍ତ୍ର ୟୁନିଟ୍


ଭୁବନେଶ୍ୱର, 25 ଏପ୍ରିଲ (ହି.ସ.) - ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ହିଟ୍ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍ କାର୍ଯ୍ୟକାରୀ ହୋଇଛି । ଅସହ୍ୟ ଗ୍ରୀଷ୍ମ କାରଣରୁ ଦେଖାଯାଉଥିବା ସନ୍ ଷ୍ଟ୍ରୋକ୍ ତଥା ଅନ୍ୟାନ୍ୟ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ଏମ୍ସରେ ଏହି ଉତ୍ସର୍ଗୀକୃତ ୟୁନିଟ୍ କାର୍ଯ୍ୟ କରିବ ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ତଥା ଏନେଇ ସୃଷ୍ଟି ହେଉଥିବା ସମ୍ଭାବ୍ୟ ଆପତକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଏମ୍ସ ଭୁବନେଶ୍ୱର ସ୍ୱତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍ ବିଶେଷ ସହାୟକ ହେବାନେଇ ଆଶାବ୍ୟକ୍ତ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ । ଆବଶ୍ୟକୀୟ ଚିକିତ୍ସା ସୁବିଧା ସହିତ ବିଭିନ୍ନ ବିଭାଗର ଡାକ୍ତରଙ୍କ ପକ୍ଷରୁ ଏହି ୟୁନିଟ୍ ରେ ସେବା ପ୍ରଦାନ କରାଯିବ ବୋଲି ଡ. ବିଶ୍ୱାସ ପ୍ରକାଶ କରିଛନ୍ତି । ସେହିପରି ପ୍ରଖର ଖରାରେ ନିହାତି ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ସେ ପରାମର୍ଶ ଦେଇଛନ୍ତି । ଜରୁରୀ ପରିସ୍ଥିତିରେ ଦିନବେଳା ବାହାରକୁ ଯିବା ସମୟରେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଯେପରିକି ସାଙ୍ଗରେ ଛତା, ଓଦା ଗାମୁଛା କିମ୍ବା ଟାୱେଲ୍ ଏବଂ ପାଣି ବୋତଲ ଭଳି ସାମଗ୍ରୀ ନେବାକୁ ଡ. ବିଶ୍ୱାସ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

ଆୟୁଷ ବିଭାଗରେ କାର୍ଯ୍ୟକ୍ଷମ ଛଅ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର ହିଟ୍ ଷ୍ଟ୍ରୋକ ୟୁନିଟ୍ ଗତ ସପ୍ତାହରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍ସ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ସୂଚନା ଦେଇଛନ୍ତି । ଏଯାବତ ଏମ୍ସ ଭୁବନେଶ୍ୱର ପକ୍ଷରୁ ପ୍ରାୟ ୧୫ରୁ ଊର୍ଧ୍ୱ ସନ୍ ଷ୍ଟ୍ରୋକ୍ ପିଡ଼ୀତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଗଲାଣି । ଜେନେରାଲ୍ ମେଡିସିନ୍, ଟ୍ରମା ଏବଂ ଜରୁରୀକାଳୀନ ପରିସ୍ଥିତି ଏବଂ ଆୟୁଷ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକରେ ଏହି ୟୁନିଟ୍ ର ସଫଳ ପରିଚାଳନା କାର୍ଯ୍ୟଶୈଳୀ ପ୍ରସ୍ତୁତି ସୁନିଶ୍ଚିତ କରାଯାଇଥିଲା ।

ମେଡିସିନ୍ ବିଭାଗ ସହକାରୀ ପ୍ରଫେସର ଡ. ଶ୍ରୀକାନ୍ତ ବେହେରାଙ୍କୁ ହିଟ୍ ଷ୍ଟ୍ରୋକ ୟୁନିଟ୍ ର ନୋଡାଲ୍ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । ଏହି ୟୁନିଟ୍ ରେ ଆବଶ୍ୟକୀୟ ପର୍ଯ୍ୟାପ୍ତ ପରିମାଣର ଔଷଧ, ଓଆରଏସ ଆଦି ଗଚ୍ଛିତ ରଖାଯାଇଛି । ସେହିପରି ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତରୀ କର୍ମଚାରୀମାନେ ସଜାଗ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande