କନ୍ଧମାଳରେ ଆଜିବି ରହିଛି ଅନ୍ଧ ବିଶ୍ଵାସର ଛିଟା
କନ୍ଧମାଳ, ୨୫ ଅପ୍ରେଲ (ହି.ସ.)- କନ୍ଧମାଳ ଜିଲ୍ଲାରେ ଆଜିବି ରହିଛି ଗୁଣିଗାରେଡି ଆଉ ବଳି ପ୍ରଥାର ଦୃଢ଼ ଅନ୍ଧବିଶ୍ଵାସ।
ଫୋଟ


ଫୋଟ


କନ୍ଧମାଳ, ୨୫ ଅପ୍ରେଲ (ହି.ସ.)- କନ୍ଧମାଳ ଜିଲ୍ଲାରେ ଆଜିବି ରହିଛି ଗୁଣିଗାରେଡି ଆଉ ବଳି ପ୍ରଥାର ଦୃଢ଼ ଅନ୍ଧବିଶ୍ଵାସ। ଜିଲ୍ଲାର ଅଧିକାଂଶ ଗ୍ରାମାଞ୍ଚଳରେ ଏପରି ଗୁଣିଗାରେଡି ଉପରେ ବିଶ୍ଵାସ ରଖି ଲୋକେ ବିଭିନ୍ନ ଅସୁବିଧାକୁ ନେଇ ପହଂଚିଯାନ୍ତି ଗୁଣିଆ ପାଖରେ। କାହାର ବିଶ୍ଵାସ ରହୁ ଅବା ନରହୁ ଏଠିକା ଲୋକଙ୍କ ବିଶ୍ଵାସ ଅତୁଟ ରହିଛି। ଛୋଟ ହେଉ ଅବା ବଡ଼ ଲୋକ କିଛି ଦେହ ଖରାପ ହୁଏ ତେବେ ସନ୍ଦେହ ଆସିଯାଏ ଗୁଣି ହୋଇଛି। ତୁରନ୍ତ ଲୋକେ ଖୋଜି ବୁଲନ୍ତି ଭଲ ଗୁଣିଆ କିଏ ଅଛି। ଏପରି ଗୁଣିଗାରେଡିକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ହତ୍ୟା, ଗଣ୍ଡଗୋଳ, ଏକ ଘରକିଆ, ଗାଁ ରୁ ବିତାଡିତ କରିବା ଭଳି ଘଟଣା ବିଗତ ଦିନରେ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦଡକି ପଂଚାୟତ ର ଏକ ଘଞ୍ଚ ଜଙ୍ଗଲ ଭିତରେ ଥିବା ଏକ ଝରଣା କୂଳରେ। ଫୁଲବାଣୀ ଠାରୁ ଗୋଛାପଡା ଯିବା ମୁଖ୍ୟ ରାସ୍ତା ଠାରୁ ମାତ୍ର ଦୁଇ ଶହ ମିଟର ଦୂର ଘଞ୍ଚ ଜଙ୍ଗଲ ଭରା ଝରଣା କୂଳରେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ କିଛି ମାସ ହେବ କିଏ ଜଣେ ଏହି ସ୍ଥାନରେ ପୂଜା କରିବା ସହ ବଳି ଦେବାର ସମସ୍ତ ସରଞ୍ଜାମ ଦେଖିବାକୁ ମିଳିଥିଲା। ଏହି ସ୍ଥାନରେ ପ୍ରତ୍ୟେକ ଦିନ ପୂଜା ହୁଏ କିନ୍ତୁ କେତେବେଳେ ହୁଏ ତାହା ଜଣାପଡ଼େନି ବୋଲି କହିଛନ୍ତି ଗାଁ ଲୋକ। ଗତକାଲି ସନ୍ଧ୍ୟା ସମୟରେ କୌଣସି ପ୍ରକାରେ ଖବର ପାଇ ଗ୍ରାମର କିଛି ଯୁବକ ସେହି ସ୍ଥାନରେ ପହଂଚି ଯାଇଥିଲେ। ସେଠାରେ ଗୁଣିଆ ପୂଜା କରିବା ସ୍ଥଳେ ଦୁଇ ନାବାଳକ ମୌନ ହୋଇ ବସିଥିଲେ। ସ୍ଥାନୀୟ ଯୁବକ ମାନେ ତାଙ୍କ ଭିତରୁ ଦୁଇ ନାବାଳକ ମାନଙ୍କୁ ହିଁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଗୁଣିଆ ଜଣକ ସେଠାରୁ କୌଶଳ କ୍ରମେ ଖସି ପଳାଇଥିଲା। ସ୍ଥାନୀୟ ଯୁବକ ମାନେ ସେହି ଦୁଇ ନାବାଳକକୁ ଆଣି ଗାଁ ମଣ୍ଡପରେ ରଖି ଫୁଲବାଣୀ ସଦର ଥାନା ପୋଲିସକୁ ଖବର କରିଥିଲେ। ପୋଲିସ ରାତି ପ୍ରାୟ ଆଠଟାରେ ଦଡକି ଗାଁରେ ପହଂଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟ ଆସାମୀ ଏଠାକୁ ଆସି ତାହାର ଏପରି ନିଛାଟିଆ ସ୍ଥାନରେ ପୂଜା କରିବା ଉଦ୍ଦେଶ୍ୟ କହିବା ପରେ ହିଁ ଆମେମାନେ ହସ୍ତାନ୍ତର କରିବାକୁ ଦାବି କରିଥିଲେ। କାରଣ ଆମ ଗାଁରେ ଏପରି ଗୁଣି ଗାରେଡିରେ ବର୍ଷକ ଭିତରେ ଚାରି ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଗାଁ ଲୋକେ। ଏପରି ଗୁଣି ଗାରେଡି ପୂଜା ଉପରେ ସେ ଯୁଗରୁ ଆଜି ପର୍ଯ୍ୟନ୍ତ ଆମ ମାନଙ୍କ ବିଶ୍ଵାସ ରହିଛି ଆଉ ରହିବ ବୋଲି ଗାଁ ମୁଖିଆ କହିଛନ୍ତି । ପୋଲିସ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସକାଳେ ପୋଲିସ ସେହି ସ୍ଥାନକୁ ଯାଇ ଘଟଣାର ତଦନ୍ତ କରି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଦୁଇ ନାବାଳକ ମାନଙ୍କୁ ସଦର ଥାନାକୁ ନେଇ ପଚାର ଉଚରା ଜାରି ରଖିଛି । ଗୁଣିଆକୁ ଗିରଫ କରିବା ନେଇ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ସଦର ଥାନା ଅଧିକାରୀ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ପ୍ରଦୀପ୍ତ/ସମନ୍ୱୟ


 rajesh pande