ଚମ୍ପୁଆ, 15 ଜାନୁଆରି (ହି.ସ.) ଓଡିଶା, ଝାରଖଣ୍ଡ ସୀମାନ୍ତ ଧାର୍ମିକ ସ୍ଥଳ ଚମ୍ପୁଆ ଏନଏସି ଅନ୍ତର୍ଗତ ଗୋଧୂଳି ବୈତରଣୀ ନଦୀ କୂଳରେ ଥିବା ରାମତୀର୍ଥ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତ ସରେଇ ପଞ୍ଚାୟତ ଅନ୍ତର୍ଗତ କେଶରୀ କୁଣ୍ଡ, ଚମ୍ପୁଆ ବ୍ଲକ କୋଦଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ମିରିଗସିଙ୍ଗା ଆଦି ପ୍ରମୁଖ ଧାର୍ମିକ ସ୍ଥଳ ମାନଙ୍କରେ ସ୍ଥାନୀୟ ଲୋକ ମାନଙ୍କ ଦ୍ୱାରା ମକର ସଂକ୍ରାନ୍ତି ଏବଂ ଟୁସୁ ପର୍ବ ବଡ଼ ଧୁମ ଧାମ ରେ ପାଳିତ ହୋଇ ଯାଇଛି। ଏହି ଧାର୍ମିକ ସ୍ଥାନ ମାନଙ୍କରେ ସକାଳୁ ଦୂର ଦୁରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସି ପବିତ୍ର ବୈତରଣୀ ନଦୀ ଜଳରେ ମକର ବୁଡ଼ ପକାଇବାକୁ ଭିଡ଼ ଜମେଇଥିବା ଦେଖିବାକୁ ମିଳିଥିଲା। ମକରବୁଡ଼ ସାରି ସୂର୍ଯ୍ୟ ଦେବଙ୍କ ଉପାସନା ପରେ ନୂଆ ବସ୍ତ୍ର ଧାରଣ କରି ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ରାମତୀର୍ଥ, କେଶରୀକୁଣ୍ଡ, ମିରିଗସିଙ୍ଗା ଆଦି ପବିତ୍ର ସ୍ଥାନ ମାନଙ୍କରେ ମକର ମେଳା ବହୁତ ଧୂମଧାମରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଲକ୍ଷାଧିକ ଲୋକଙ୍କ ଜନସମାଗମ ପରି ଲକ୍ଷିତ ହୋଇଥିଲା। ସ୍ଥାନୀୟ ବିଭିନ୍ନ ଗ୍ରାମରୁ ନବ ବିବାହିତା, କୁଆଁରୀ କନ୍ୟା ତଥା ମହିଳା ମାନେ ଟୁସୁ ଦେବୀଙ୍କ ପୂଜାର୍ଚ୍ଚନା କରିବା ସହିତ ନାଚ, ଗୀତ କରି ବୈତରଣୀ ନଦୀର ପବିତ୍ର ଜଳରେ ଟୁସୁ ଦେବୀଙ୍କୁ ବିସର୍ଜନ କରିଥିଲେ। ଲୋକମାନେ ମେଳା ବୁଲି ବିଭିନ୍ନ ଜିନିଷ ପତ୍ର କିଣା ବିକା କରି ମକର ମେଳାର ମଜା ନେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta