ଭଦ୍ରକ, ୨୩ ଅକ୍ଟୋବର (ହି.ସ.) - ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ଓଡ଼ିଶା ପ୍ରସିଦ୍ଧ ଚରମ୍ପା କାଳୀପୂଜାରେ ଜନସାଧାରଣଙ୍କ ତୃଷା ନିବାରଣ ପାଇଁ ଏକ ଜଳଛତ୍ର ଶିବିର ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଲାୟନ୍ସ ଇଂଟରନେସନାଲ ଡିଷ୍ଟ୍ରିଟ୍ ୩୨୨ସି୫ ର ସେକେଣ୍ଡ ଭାଇସ୍ ଡିଷ୍ଟ୍ରିଟ୍ ଗଭର୍ଣ୍ଣର ତଥା ଭଦ୍ରକ ଜିଲା ଲାୟନ୍ସ କ୍ଲବ୍ର ସଭାପତି ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ଏହି ଶିବିରର ଆୟୋଜନ କରାଯାଇଛି। ଭଦ୍ରକ ଚରମ୍ପାର ଏହି କାଳୀପୂଜାରେ ଓଡ଼ିଶା ସମେତ ପଡୋଶୀ ରାଜ୍ୟର ବହୁ ଲୋକଙ୍କର ସମାଗମ ହେଉଥିବାବେଳେ ତୃଷା ମେଂଟାଇବାର କୌଣସି ସୁବନ୍ଦୋବସ୍ତ ହୋଇନଥିବାରୁ ଲାୟନ୍ସ କ୍ଲବ୍ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଛି ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି। ବିଶେଷକରି ଏହି କାଳୀପୂଜାରେ ଲୋକମାନେ ବିଭିନ୍ନ ସ୍ଥାନରୁ ଖାଦ୍ୟ ଖାଉଥିବାବେଳେ ଶୀତଳ ତଥା ଶୁଦ୍ଧ ପାନୀୟ ଜଳ ପାଇପାରୁନାହାଁନ୍ତି। ତେଣୁ ଲାୟନ୍ସ କ୍ଲବ୍ ପକ୍ଷରୁ ସେମାନଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଖୋଲାଯାଇ କେବଳ ଶୀତଳ ଜଳ ନୁହେଁ ଦହି ସରବତ, ଲେମ୍ବୁ ପାଣି ଓ ଜଲଜିରା ମିଶ୍ରିତ ପାନୀୟ ଜଳ ଲୋକମାନଙ୍କୁ ବଂଟନ କରାଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ଶିବିରରେ ଲାୟନ୍ସ କ୍ଲବ୍ର ବହୁ କର୍ମକର୍ତା ଯୋଗ ଦେଇଥିବାବେଳେ ଉଦ୍ଘାଟକ ଶ୍ରୀ ଦ୍ୱିବେଦୀ ନିଜେ ଲୋକଙ୍କୁ ପାନୀୟ ଜଳ ବଂଟନ କରିଛନ୍ତି। ଯାହା ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସିତ ହୋଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ