

ମାଲକାନଗିରି, ୩୧ ଅକ୍ଟୋବର (ହି.ସ.)ମାଲକାନଗିରି ଜିଲାରେ ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ଏବଂ ସ୍ଥାନୀୟ ଜନ ସାଧାରଣଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ପାଇଁ କାଲିମେଳା ଥାନା ଆଇଆଇସି ମୁକୁନ୍ଦ ମେଲକାଙ୍କ ନେତୃତ୍ୱରେ କାଙ୍ଗୁରୁକୋଣ୍ଡା ଆଦର୍ଶ ବିଦ୍ୟାଳୟ ଠାରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରୀଛାତ୍ର ଏବଂ ଥାନାର ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ବର୍ତ୍ତମାନ ଲୋକେ ଇଣ୍ଟରନେଟ୍, ୱାଟ୍ସପ,ଇନ୍ଷ୍ଟାଗ୍ରାମ ଓ ଫେସ୍ବୁକ୍ ଭଳି ସୋସିଆଲ ମିଡିଆକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ଅନେକ ସମୟରେ ଲୋକେ ସାଇବର ଠକଙ୍କ ଦ୍ବାରା ଡିଜିଟାଲ ଆରେଷ୍ଟ ଠକେଇ, ନିବେଶ ଓ ଟ୍ରେଡିଙ ଠକେଇ, ପାର୍ସଲ ଓ କଷ୍ଟମ୍ସ ଠକେଇ, ନକଲି ପରିଚୟ ଓ ଓଟିପି ଠକେଇ, ଚାକିରି ଓ ଘରୁ କାମ କରିବାର ଠକେଇ, ଇ କମର୍ସ ରିଫଣ୍ଡ / ଅଫର ଭଳି ବିଭିନ୍ନ ଠକେଇର ଶିକାର ହେଉଥୁବା ନଜିର ରହିଛି। ତେବେ ସାଇବର ଠକେଇରୁ କିପରି ରକ୍ଷାପାଇବେ ସେ ନେଇ ସମସ୍ତଙ୍କୁ ବିସ୍ତୃତ ଭାବେ ସଚେତନ କରାଯାଇଥିଲା।
ଏଭଳି ଘଟଣା ନଜରକୁ ଆସିଲେ ସତର୍କ ରହିବା ସହିତ ଏ ସମ୍ପର୍କରେ ପୋଲିସର ସହାୟତା ନେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା। ସରକାରଙ୍କ ତରଫରୁ ଏ ନେଇ ଏକ ଟୋଲ୍ ଫ୍ରି ନମ୍ବର ୧୯୩୦ ଉପଲବ୍ଧ କରାଯାଇଛି। ତୁରନ୍ତ ଏହି ନମ୍ବରରେ ଫୋନ୍ କରି ଘଟଣା ସମ୍ପର୍କରେ ଅବଗତ କରାଇପାରିବେ ବୋଲି ଥାନା ଅଧୁକାରୀ ଶ୍ରୀ ମେଲକା କହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ