
ଜୟପୁର,31 ଅକ୍ଟୋବର (ହି.ସ.)- ଦିନକୁ ଦିନ ବୈପାରିଗୁଡା ବ୍ଲକରେ ବାଇକ୍ ଚୋର ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି। ୧୩ ଦିନ ଭିତରେ ତିନୋଟି ବାଇକ୍ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ମାଠପଡା ପଞ୍ଚାୟତର ବଡ଼ ଅଣ୍ଡରି ଗ୍ରାମର ରାଜେନ୍ଦ୍ର ଗାଦବା ୧୭ ତାରିଖ ଦିନ ଟିପାଗୁଡା ଗ୍ରାମରେ ଚାଲିଥିବା ଯାତ୍ରା ଦେଖିବାକୁ ଆସିଥିଲେ। ରାତିରେ ଯାତ୍ରା ଚାଲିଥିବା ସମୟରେ ନିଜ ବାଇକ୍ ବୈପାରୀଗୁଡା ହାଟପଦାରେ ରଖି ଯାତ୍ରା ଦେଖୁଥିଲେ। ଯାତ୍ରା ସରିବା ପରେ ନିଜ ଗାଁକୁ ଯିବାପାଇଁ ବାଇକ୍ ଆଣିବାକୁ ବାହାରିଥିଲେ। କିନ୍ତୁ ଉକ୍ତ ସ୍ଥାନରେ ବାଇକ୍ ନଥିବା ଜାଣିବା ପରେ ଆଖପାଖ ବହୁତ ଖୋଜାଖୋଜି କରିଥିଲେ। ବାଇକ୍ ନମିଳିବାରୁ ଚୋରି ହୋଇଥିବା ନେଇ ରାମଗିରି ଫାଣ୍ଡିରେ ଅଭିଯୋଗ କରିଥିଲେ। ସେହିପରି ୨୪ ତାରିଖ ଦିନ ରାମଗିରି ଗ୍ରାମର କୃଷ୍ଣଚନ୍ଦ୍ର ମହାପାତ୍ର ରାତିରେ ଖାଇବା ପରେ ନିଜ ଘର ପଛପଟେ ବାଇକ୍ ରଖି ଶୋଇବାକୁ ଯାଇଥିଲେ। ସକାଳୁ ଉଠିବା ପରେ ସେହି ସ୍ଥାନରେ ତାଙ୍କ ବାଇକ୍ ନଥିବା ଦେଖି ଚୋରି ହୋଇଥିବା ସନ୍ଦେହ କରି ରାମଗିରି ଫାଣ୍ଡିରେ ଏତଲା ଦେଇଥିଲେ। ଗତକାଲି ରାତିରେ ମଧ୍ୟ ଦଶମନ୍ତପୁର ପଞ୍ଚାୟତର ପଟ୍ରୋଗୁଡା ଗ୍ରାମର ସାଗର ବାରିକଙ୍କ ବାଇକ୍ ଚୋରି ହୋଇଥିବା ନେଇ ବୈପାରିଗୁଡା ଥାନାରେ ଏତଲା ଦିଆଯାଇଛି। ଏତଲା ଅନୁଯାୟୀ, ସାଗର ବାରିକ ବୈପାରିଗୁଡାରେ ଭଡ଼ାରେ ରହି ନୂଆ ଘରେ ରଙ୍ଗ ମାରିବା କାମ କରନ୍ତି। ୨୭ ତାରିଖ ଦିନ ନୂଆ ଘରେ ରଙ୍ଗ ମାରିବା ପାଇଁ ବାହାର ଗାଁକୁ ଯାଇଥିଲେ। ୨୯ ତାରିଖ ଦିନ ଫେରିବା ପରେ ଭଡ଼ା ଘର ଆଗରେ ରଖିଥିବା ନିଜ ବାଇକ୍ ନଥିବା ଦେଖି ବହୁ ଖୋଜାଖୋଜି କରିଥିଲେ। ନପାଇବାରୁ ଚୋରି ହୋଇଥିବା ଜାଣିପାରି ବୈପାରିଗୁଡା ଥାନାରେ ଏତଲା ଦେଇଛନ୍ତି। କିଛି ଦିନର ନୀରବତା ପରେ ପୁଣି ଥରେ ବାଇକ୍ ଚୋର ମାତିଛନ୍ତି ବୈପାରିଗୁଡା ଅଞ୍ଚଳରେ। ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ବୈପାରିଗୁଡା ପୁଲିସ। ପୁଲିସ ପେଟ୍ରୋଲିଂ ଜୋରଦାର କରିବା ସହ ଚୋରକୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି